ଆଇପିଏଲ୍ ପ୍ରସାରଣ ମୂଲ୍ୟ ୪୮,୯୩୦ କୋଟି: ବିଶ୍ବର ଦ୍ବିତୀୟ ସର୍ବାଧିକ ମୂଲ୍ୟବାନ କ୍ରୀଡ଼ା ଲିଗ୍‌

ମୁମ୍ବାଇ: ୨୦୨୩ରୁ ୨୦୨୭ ମସିହା ପର୍ଯ୍ୟନ୍ତ ୫ ବର୍ଷୀୟା ଚକ୍ର ଲାଗି ଆଇପିଏଲ୍ ପ୍ରସାରଣ ଅଧିକାର ଅବିଶ୍ବସନୀୟ ଭାବେ ୪୮,୯୩୦ କୋଟି ଟଙ୍କାରେ ବିକ୍ରି ହୋଇଛି। ପୂର୍ବ ପ୍ରସାରଣ ଅଧିକାର (୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ) ଦର (୧୬୩୪୭.୫୦ କୋଟି)ର ଏହା ପାଖାପାଖି ୩ ଗୁଣ। କୌଣସି କ୍ରି‌କେଟ୍ ଲିଗ୍‌ର ପ୍ରସାରଣ ଅଧିକାର ଏତେ ଟଙ୍କାରେ ବିକ୍ରି ହେବା ବିଶ୍ବ କ୍ରୀଡ଼ା ଇତିହାସରେ ପ୍ରଥମ। ଏହାକୁ ଦେଖି ବଜାର ବିଶେଷଜ୍ଞମାନେ ଚକିତ ହୋଇଯାଇଥିଲା ବେଳେ ସାଧାରଣ କ୍ରିକେଟ୍ ପ୍ରେମୀଙ୍କ ଆଖିଖୋସି ହୋଇଯାଇଛି। ବିସିସିଆଇ ସଂପାଦକ ଜୟ ସାହଙ୍କ ସୂଚନା ଅନୁସାରେ ଷ୍ଟାର ସ୍ପୋର୍ଟସ ୨୩,୫୭୫ କୋଟି ଟଙ୍କାରେ ଟେଲିଭିଜନ୍ ପ୍ରସାରଣ ଅଧିକାର କିଣିଛି। ଅନ୍ୟପକ୍ଷରେ ଭାୟାକମ୍-ଏଇଟିନ୍ ଡିଜିଟାଲ ପ୍ରସାରଣ ଅଧିକାର ୨୩,୭୫୮ କୋଟି ଟଙ୍କା‌ରେ କିଣି ନେଇଛି।
ଏହି ସମୟ ମଧ୍ୟରେ ଖେଳାଯିବାକୁ ଥିବା ୪୧୦ ମ୍ୟାଚ୍ ଲାଗି ଡିଜିଟାଲ ପ୍ରସାରଣ ଅଧିକାର ମ୍ୟାଚ୍ ପିଛା ୫୦ କୋଟି ଏବଂ ଟେଲିଭିଜନ୍ ପ୍ରସାରଣ ଅଧିକାର ୫୭.୪୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଫଳରେ ମ୍ୟାଚ୍ ପିଛା ମୂଲ୍ୟ ଆଧାରରେ ଆଇପିଏଲ୍ ବିଶ୍ବର ଦ୍ବିତୀୟ ସର୍ବାଧିକ ମୂଲ୍ୟବାନ କ୍ରୀଡ଼ା ଲିଗ୍‌ ହେବାର ଗୌରବ ଅର୍ଜନ କରିଛି। ଡିଜିଟାଲ ପ୍ରସାରଣ ଅଧିକାର ଲାଗି ଭାୟାକମ୍ ଏବଂ ଡିଜ୍‌ନି ଷ୍ଟାରସ୍ପୋର୍ଟସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଶେଷରେ ଭାୟକମ୍ ବାଜି ମାରି ନେଇଥିଲା। ସେହିଭଳି ଫାଇନାଲ୍, ତିନିଟି ପ୍ଲେ ଅଫ୍, ସପ୍ତାହାନ୍ତ ଯୁଗଳ ଲଢ଼େଇ ସମେତ ୧୮ ମ୍ୟାଚ୍ ଲାଗି ପୃଥକ ଭାବେ ହୋଇଥିବା ଅଣସ୍ବତନ୍ତ୍ର ଡିଜିଟାଲ ପ୍ରସାରଣ ଅଧିକାରକୁ ମଧ୍ୟ ଭାୟାକମ୍ ୩୨୫୮ କୋଟି ଟଙ୍କାରେ କିଣିଥିଲା। ସୂଚନାଯୋଗ୍ୟ ଯେ ବିସିସିଆଇ ପ୍ରଥମ ଥର ଆଇପିଏଲ୍ ପ୍ରସାରଣ ଅଧିକାରକୁ ଇ-ଅକ୍ସନ ଜରିଆରେ ବିକ୍ରି କରିଛି।
କାହା ପାଇଁ କେତେ?
n ଟିଭି ପ୍ରସାରଣ ଅଧିକାର (ଭାରତୀୟ ଉପମହାଦେଶ): ୨୩,୫୭୫ କୋଟି (ମ୍ୟାଚ୍ ପିଛା ୫୭.୪୦ ଟଙ୍କା)
n ଡିଜିଟାଲ ପ୍ରସାରଣ ଅଧିକାର (ଭାରତୀୟ ଉପମହାଦେଶ): ୨୦,୫୦୦ କୋଟି (ମ୍ୟାଚ୍ ପିଛା ୫୦ କୋଟି ଟଙ୍କା)
n ଡିଜିଟାଲ ପ୍ରସାରଣ ଅଧିକାର (୧୮ ମ୍ୟାଚ୍ ବିଶିଷ୍ଟ ଅଣସ୍ବତନ୍ତ୍ର ଅଧିକାର): ୩୨୫୮ କୋଟି (ମ୍ୟାଚ୍ ପିଛା ୩୩.୨୪ କୋଟି ଟଙ୍କା)
n ବିଦେଶ ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର: ୧୦୫୮ କୋଟି ଟଙ୍କା (ମ୍ୟାଚ୍ ପିଛା ୨.୬ କୋଟି ଟଙ୍କା)।

nis-ad
Leave A Reply

Your email address will not be published.