ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଫାଇନ୍‌

ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଫାଇନ୍‌। ଯାତ୍ରୀମାନଙ୍କ ପାଖରେ ବୈଧ ଟିକେଟ ଥିଲେ ମଧ୍ୟ ଏୟାର ଇଣ୍ଡିଆ ସେମାନଙ୍କୁ ଉଡ଼ାଣ ପାଇଁ ଅନୁମତି ଦେଇନି। ସେହିପରି ନିୟମ ଅନୁସାରେ ସେବାରୁ ବଞ୍ଚିତ ହୋଇଥିବା ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ କ୍ଷତି ପୂରଣ ମଧ୍ୟ ପ୍ରଦାନ କରିନି। ଏଥିପାଇଁ ଡିଜିସିଏ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଫାଇନ ଲଗାଇଛି।
ଡିଜିସିଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଡିଜିସିଏ ପକ୍ଷରୁ ଏକାଧିକ ଚେକିଂ କରାଯାଇଥିଲା। ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଦିଲ୍ଲୀରେ ଚାଲିଥିବା ସର୍ଭେଲାନ୍ସ ବେଳେ ଏୟାର ଇଣ୍ଡିଆ ଅନେକ ଥର ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ କ୍ଷତିପୂରଣ ନିୟମକୁ ପାଳନ କରୁ ନଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ଓ ଶୁଣାଣି ସପକ୍ଷରେ ପ୍ରସ୍ତାବ ଦିଆଯାଇଥିଲା।”
ଏହାର ଜବାବରେ ଏମିତି କୌଣସି ନୀତି ନାହିଁ ଓ ଯାତ୍ରୀମାନଙ୍କୁ ସଂସ୍ଥା କ୍ଷତିପୂରଣ ଦେଇ ନଥିବା ଏୟାର ଇଣ୍ଡିଆ କହିଥିଲା। ଏହା ଶୁଣି ଡିଜିସିଏ କ୍ଷୁବ୍ଧ ହୋଇଛି। ଡିଜିସିଏ କହିଛି ଯେ ଏପରି କଥା କହିବା ଅତ୍ୟନ୍ତ ଚିନ୍ତାର ବିଷୟ ଓ ଅଗ୍ରହଣୀୟ। ଏଥିପାଇଁ ସଂସ୍ଥା ଉପରେ ୧୦ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି। ଏଥିସହ ସଂସ୍ଥା ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁ। ଯଦି ଏଥିର ତ୍ରୁଟି ହୁଏ, ତା’ହେଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ ଚେତାବନୀ ଦେଇଛି।

nis-ad
Leave A Reply

Your email address will not be published.