ଦିବ୍ୟସ୍ନାନ ପରେ ଦିବ୍ୟ ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ତିଥି ଅବସରରେ ଶ୍ରକ୍ଷେତ୍ରରେ ଆଜି ବିଗ୍ରହମାନଙ୍କର ଦୁର୍ଲଭ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନରୁ ପହଣ୍ଡି ବିଜେ ହୋଇ ବିଗ୍ରହମାନେ ଆସି ସ୍ନାନ ବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ୧୦୮ ଗଡୁ ଅଧିବାସିତ ସୁବାସିତ ଜଳରେ ବିଗ୍ରହମାନେ ସ୍ନାନ ବେଦୀରେ ସ୍ନାନ କରିଛନ୍ତି।

ଜଳ ଲାଗି ପରେ ବିଗ୍ରହମାନେ ସ୍ନାନ ବେଦୀରେ ହାତୀ ବା ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଛି ସ୍ନାନ ଯାତ୍ରା। ଯାହାକୁ ଦେଖିବା ପାଇଁ ଆଜି ଶ୍ରୀକ୍ଷେତ୍ରରେ ଜମିଛି ଲକ୍ଷାଧିକ ଭକ୍ତଙ୍କ ଭିଡ଼। ପ୍ରବଳ ଖରା ଓ ଗରମ ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ଆଜି ଭକ୍ତଙ୍କ ପ୍ରବଳ ଜନ ସମାଗମ ହୋଇ ଥିବାର ପରିଲକ୍ଷିତ ହୋଇଛି। ଅନ୍ୟୁନ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇ ଥିବାର ଆକଳନ କରାଯାଇଛି।

ହାତୀ ବେଶରେ ବିଗ୍ରହ ମାନଙ୍କୁ ଦର୍ଶନ କରି ପରମ ଆନନ୍ଦ ଲାଭ କରିଛନ୍ତି ଭକ୍ତମାନେ। ବାଉଁଶ, କଦଳୀ ପଟ୍ଟ, ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ସୋଲ, ଫୁଲ, ଧଳା ଓ ନାଲି ରଙ୍ଗର ଚୂନ, ରଙ୍ଗଣି ଫୁଲ ଓ ତୁଳସୀରେ ନିର୍ମିତ ହାତୀ ବେଶରେ ସଜ୍ଜିତ ବିଗ୍ରହ ମାନେ ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଦେଖା ଯାଉଥିଲେ। ଯାହାକୁ ଦେଖି ଭକ୍ତ ମାନେ ଆତ୍ମ ବିଭୋର ହୋଇ ଉଠି ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ

ଚୁଡାନ୍ତ ହୋଇ ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳବାର ଦ୍ଵାର ଫିଟା ପରେ ରାତ୍ର ୪ ଟା ୧୫ ମିନିଟରେ ବିଗ୍ରହ ମାନଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇ ଥିଲା। ଘଣ୍ଟ ଘଣ୍ଟା, କାହାଳୀର ଧ୍ବନିରେ ପ୍ରକମ୍ପିତ ହୋଇ ଉଠି ଥିଲା ଶ୍ରୀମନ୍ଦିର ଚତୁର ପାର୍ଶ୍ଵ । ଘଣ୍ଟ ଘଣ୍ଟା କାହାଳୀର ତାଳେ ତାଳେ ଦଇତା ପତି ସେବକ ମାନେ ରତ୍ନ ସିଂହାସନରୁ ବିଗ୍ରହ ମାନଙ୍କୁ ଧାଡ଼ି ପହଣ୍ଡି ବିଜେ କରି ଥିଲେ। ମୁଣ୍ଡରେ ସୋଲ ଓ ଫୁଲରେ ନିର୍ମିତ ଟାହିଆ ଲଗାଇ ବିଗ୍ରହ ମାନେ ଝୁଲି ଝୁଲି ପହଣ୍ଡି ବିଜେ ହୋଇ ଆସି ଥିଲେ।

ପ୍ରଥମେ ମହାପ୍ରଭୁ ସୁଦର୍ଶନ ସ୍ନାନ ବେଦୀରେ ବିଜେ ହୋଇ ଥିଲେ। ପରେ ବଡ଼ ଠାକୁର ବଳଭଦ୍ର, ମା ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ସ୍ନାନ ବେଦୀରେ ବିଜେ କରି ଥିଲେ । ପରେ ମଦନ ମୋହନ ପହଣ୍ଡି ବିଜେ କରି ଥିଲେ। ରାତ୍ର ୪ ଟା ୧୫ ମିନିଟରୁ ପହଣ୍ଡି ଆରମ୍ଭ ହୋଇ ସକାଳ ୭ ଟା ୪୦ ମିନିଟ ସୁଦ୍ଧା ଶେଷ ହୋଇ ଥିଲା।

ଏହା ପରେ ସ୍ନାନ ବେଦୀରେ ବିଗ୍ରହମାନଙ୍କର ଅନ୍ୟାନ୍ୟ ନୀତି କାନ୍ତି ମଙ୍ଗଳ ଆଳତି, ମଇଲମ୍, ତଡ଼ପଲାଗି, ଅଧରପୋଛା, ଅବକାଶ, ମଇଲମ୍, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ଜଳ ବିଜେ ନୀତି ଅନୁଷ୍ଠତ ହୋଇ ଥିଲା। ଗରା ବଡୁ ସେବକ ମାନେ ପବିତ୍ର କୁଅରୁ ୧୦୮ ଗଡୁ ସୁବାସିତ ଜଳ ଆଣି ମେକାପ ସେବାୟତଙ୍କୁ ଦେଇ ଥିଲେ। ବଡ଼ପୂଜାପଣ୍ଡା ଏହାକୁ ମନ୍ତ୍ରରେ ପୂଜା କରି ଅଭିମନ୍ତ୍ରିତ କରି ଥିଲେ। ଜଳ ପୂଜା ପୂର୍ବାହ୍ନ ୧୧ ଟା ୫୦ ମିନିଟରେ ଆରମ୍ଭ ହୋଇ ଅପରାହ୍ନ ୧୨ ଟା ୩୦ ମିନିଟରେ ଶେଷ ହୋଇ ଥିଲା। ଏହା ପରେ ବିଗ୍ରହମାନଙ୍କର ଜଳ ଲାଗି ନୀତି ଆରମ୍ଭ ହୋଇ ଥିଲା। ଅପରାହ୍ନ ୧୨ ଟା ୪୫ ମିନିଟ ସୁଦ୍ଧା ବିଗ୍ରହ ମାନଙ୍କର ଜଳ ଲାଗି ନୀତି ସମ୍ପନ୍ନ ହୋଇ ଥିଲା। ପରେ ବିଗ୍ରହ ମାନଙ୍କର ମଇଲମ ମେକାପ ସର୍ବାଙ୍ଗ ନୀତି ହୋଇ ୨ ଟା ୪୦ ମିନିଟରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇ ଥିଲା। ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜା ହାତରେ ସୁନା ଖଡ଼ିକାରେ ସ୍ନାନ ବେଦୀରେ ଛେରା ପହଁରା କରି ଥିଲେ। ପରେ ବିଗ୍ରହ ମାନଙ୍କର ହାତୀ ବେଶ ଆରମ୍ଭ ହୋଇ ଥିଲା। ଅପରାହ୍ନ ୩ ଟାରୁ ବେଶ ଆରମ୍ଭ ହୋଇ ୩ ଟା ୫୦ ମିନିଟରେ ଶେଷ ହୋଇ ଥିଲା ।

ଏହା ପରେ ବିଗ୍ରହମାନଙ୍କର ସର୍ବ ସାଧାରଣ ସାହଣ ମେଲା ଦର୍ଶନ ଆରମ୍ଭ ହୋଇ ଥିଲା। ଭକ୍ତ ମାନେ ଧାଡ଼ିରେ ଯାଇ ସ୍ନାନ ବେଦୀରେ ବିଗ୍ରହ ମାନଙ୍କୁ ହାତୀ ବେଶରେ ଦର୍ଶନ କରି ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରି ଥିଲେ। ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା। ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ମାର୍କେଟ ଛକ ଠାରୁ ସିଂହ ଦ୍ୱାର ପର୍ଯ୍ୟନ୍ତ ମଧ୍ୟ ବ୍ୟାରିକେଡ଼ କରା ଯାଇ ଥିଲା। ଭକ୍ତମାନେ ଧାଡ଼ିରେ ଵ୍ୟାରିକେଡ୍ ଦେଇ ସିଂହଦ୍ଵାର ନିକଟରେ ପହଞ୍ଚି ଥିଲେ। ସେଠାରୁ ଜିଗ୍ଜାଗ ବ୍ୟାରିକେଡ଼ ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଥିଲେ। ପରେ ଉତ୍ତର ଦ୍ଵାର ଦେଇ ଭକ୍ତମାନେ ପ୍ରସ୍ଥାନ କରି ଥିଲେ। ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ଉପରେ ଛାମୁଣ୍ଡିଆ, ପାନୀୟ ଜଳ ବ୍ୟବସ୍ଥା କରା ଯାଇ ଥିଲା। ସେହିପରି ଆଶୁ ଚିକିତ୍ସା ନିମନ୍ତେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯିବା ସହ ଆମ୍ବୁଲାନ୍ସ ମୃତୟନ୍ କରା ଯାଇଥିଲା। ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ଯାନ ବାହନ ପାର୍କିଂ ଓ ଟ୍ରାଫିକ ସୁପରିଚାଳନା ନିମନ୍ତେ ବ୍ୟାପକ ସୁବନ୍ଦୋବସ୍ତ କରା ଯାଇଥିଲା। ରାତ୍ର ୧୦ ଟା ପର୍ଯ୍ୟନ୍ତ ଦର୍ଶନ ଚାଲିଥିଲା।

ଏହା ପରେ ବିଗ୍ରହ ମାନେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିଥିଲେ। ଏହା ପରେ ବିଗ୍ରହମାନଙ୍କର ଅନ୍ୟାନ୍ୟ ନୀତି କାନ୍ତି ଅନୁଷ୍ଠିତ ହୋଇ ଥିଲା। ଆସନ୍ତା କାଲି ଠାରୁ ବିଗ୍ରହ ମାନେ ଅଣସର ଘରେ ଜୱରରେ ପୀଡ଼ିତ ହୋଇ ଗୁପ୍ତ ସେବାରେ ପୂଜା ପାଇବେ। ପନ୍ଦରଦିନ ଧରି ବିଗ୍ରହମାନେ ଜ୍ଵରରେ ପୀଡ଼ିତ ହୋଇ ଥିବାରୁ ଦର୍ଶ ନ ଦେବେ ନାହିଁ। ଶ୍ରୀମନ୍ଦିର ଆସନ୍ତା କାଲି ଠାରୁ ପଟ୍ଟି ଦିଅଁଙ୍କ ଦର୍ଶନ ମିଳିବ। ଆସନ୍ତା କାଲି ଠାରୁ ବ୍ରହ୍ମଗିରିରେ ଆଲାରନାଥଙ୍କ ଦର୍ଶନ ମିଳିବ। ବିଗ୍ରହମାନଙ୍କର ନୀତି କାନ୍ତି ଶୃଙ୍ଖଳିତ କରିବା ଓ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଖୋଦ୍ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡକ୍ଟର କନୱର ବିଶାଲ ସିଂହ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ କେଶରୀ ଯାଦବ, ପୋଲିସ ଡିଜି ସୁନିଲ କୁମାର ବଂଶଲ୍, ଅତିରିକ୍ତ ପୋଲିସ ଡିଜି ଆଇନ ଶୃଙ୍ଖଳା ଶ୍ରୀ ଆର କେ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଚରଣ ଭୋଳ, କମାଣ୍ଡଣ୍ଡ ଲିଙ୍ଗରାଜ ମିଶ୍ର, ଆଶିଷ କୁମାର ଦ୍ୱିବେଦୀ, ଅଜୟ କୁମାର ପାଢ଼ୀ, ଅତିରିକ୍ତ ଏସପି ମିହିର କୁମାର ପଣ୍ଡାଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.