ସ୍ୱିଗି, ଜୋମାଟୋ ବିରୋଧରେ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ଯୋଜନା ପ୍ରଣୟନ କରିବେ ସରକାର

ନୂଆଦିଲ୍ଲୀ: ଅନଲାଇନ ଜରିଆରେ ଗ୍ରାହକମାନଙ୍କ ଘରେ ନେଇ ଖାଦ୍ୟ ଯୋଗାଉଥିବା ସ୍ୱିଗି ଓ ଜୋମାଟୋ ପରି ଅନଲାଇନ୍‌ ଖାଦ୍ୟ ବ୍ୟବସାୟ କରୁଥିବା ଅପରେଟରମାନଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ଗ୍ରାହକ ବା ଉପଭୋକ୍ତାମାନଙ୍କର ଏକାଧିକ ଅଭିଯୋଗ ଶୁଣିବାକୁ ମିଳିଥାଏ। ତେବେ, ସଂପ୍ରତି ଏହି ଅଭିଯୋଗର ମାତ୍ରା ବଢ଼ି ବଢି ଚାଲିଥିବା ବେଳେ ଏବେ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି।
ଏବେ ଅନଲାଇନ ଜରିଆରେ ଏମାନଙ୍କ ମାଧ୍ୟମରେ ଖାଦ୍ୟ ମଗାଉଥିବା ଉପଭୋକ୍ତା ମାନଙ୍କର ଅଭିଯୋଗର ସମାଧାନ ପାଇଁ ଏମାନେ କି ବ୍ୟବସ୍ଥା ରଖିଛନ୍ତି? ଏହି ବ୍ୟବସ୍ଥା କିପରି କାର୍ଯ୍ୟ କରୁଛି? ଏବଂ ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଆଗାମୀ ୧୫ ଦିନ ମଧ୍ୟରେ ଏକ ପ୍ରସ୍ତାବ ଦାଖଲ କରିବାକୁ ସରକାର ସୋମବାର ସ୍ୱିଗି ଏବଂ ଜୋମାଟୋ ପରି ଅନଲାଇନ୍‌ ଖାଦ୍ୟ ବ୍ୟବସାୟ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଉପଭୋକ୍ତା ବ୍ୟାପାର ବିଭାଗ ପ୍ରମୁଖ ଇ-କମର୍ସ ଖାଦ୍ୟ ବ୍ୟବସାୟ ଅପରେଟରମାନଙ୍କୁ ବର୍ତ୍ତମାନର ପ୍ରଚଳିତ ଥିବା ଅଭିଯୋଗ ସମାଧାନର ଢାଞ୍ଚା ପ୍ରଦାନ କରିବା ସହିତ ୧୫ ଦିନ ମଧ୍ୟରେ ଉପଭୋକ୍ତା ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଏକ ପ୍ରସ୍ତାବ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି।
ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ଇ-କମର୍ସ ଖାଦ୍ୟ ବ୍ୟବସାୟ ଅପରେଟରଙ୍କ ସହ ଅନୁଷ୍ଠିତ ଏକ ବୈଠକରେ ଏହି କ୍ଷେତ୍ରର ଗ୍ରାହକଙ୍କୁ ପ୍ରଭାବିତ କରୁଥିବା ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି।
ବିବୃତ୍ତିରେ କୁହାଯାଇଛି, ଗତ ୧୨ ମାସ ମଧ୍ୟରେ ସ୍ୱିଗି ବିରୋଧରେ ଜାତୀୟ ଉପଭୋକ୍ତା ହେଲ୍‌ପଲାଇନ (୧୯୧୫)ରେ ୩,୬୩୧ରୁ ଅଧିକ ଅଭିଯୋଗ ପଞ୍ଜୀକୃତ ହୋଇଛି ଏବଂ ଜୋମାଟୋ ବିରୋଧରେ ୨,୮୨୮ଟି ଅଭିଯୋଗ ପଞ୍ଜୀକୃତ ହୋଇଛି।

nis-ad
Leave A Reply

Your email address will not be published.