୧୩ ରାତିରୁ ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁ

ପୁରୀ: ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁ ହେବ । ଜୁନ୍‌ ୧୩ ତାରିଖ ରାତି ୧୨ଟାରୁ ଏହି କଟକଣା ଲାଗୁ ରହିବ । ସ୍ନାନବେଦିରୁ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ପର୍ଯ୍ୟନ୍ତ ଏହି ଟ୍ରାଫିକ୍‌ କଟକଣା ବଳବତ୍ତର ରହିବ । ମରିଚିକୋଟ ଛକରୁ ଦୋଳବେଦି ଓ ମରିଚିକୋଟରୁ ଜଗାବଳିଆ ଲଜ୍‌ ଇଲାକାକୁ ‘ନୋ- ପାର୍କିଂ ଜୋନ୍‌’ ଚିହ୍ନଟ କରାଯାଇଛି ।

ସ୍ନାନଯାତ୍ରା ଟ୍ରାଫିକ୍‌ ବ୍ୟବସ୍ଥାରେ ଦୁଇଚକିଆ, ଚାରିଚକିଆ, ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍‌, ଭୁବନେଶ୍ୱରରୁ ଆସୁଥିବା ବସ୍‌ ମାଲିକ ସଂଘର ଘରୋଇ ବସ୍‌ଗୁଡ଼ିକ ପାଇଁ ଟ୍ରାଫିକ୍‌ ରୁଟ ନିର୍ଦ୍ଧାରଣ କରାଯାଇଛି ।

ବସଷ୍ଟାଣ୍ଡକୁ ଆସୁଥିବା ଘରୋଇ ବସ୍‌ ସଂଘର ଯାତ୍ରୀବାହୀ ବସ୍‌ଗୁଡିକ ନିୟମିତ ଶରଧାବାଲି ବସଷ୍ଟାଣ୍ଡରେ ପାର୍କିଂ କରିବେ । ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍‌ଗୁଡ଼ିକ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ । ମେଡିକାଲ ଛକରୁ ଅଟୋଗୁଡ଼ିକ ବଡ଼ଦାଣ୍ଡ ଆଗକୁ ଛଡ଼ାଯିବ ନାହିଁ । ଟାଉନ ବସ୍‌ ବି ମେଡିକାଲ ଛକରୁ ଆଗକୁ ଯିବନାହିଁ । ପୁରୀକୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମେଡିକାଲ ଛକରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ପାର୍କିଂ କରାଯିବ ।

ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନଗୁଡ଼ିକ ଅଠରନଳାରୁ ମେଡିକାଲ ଛକ ଦେଇ ମାର୍କେଟ ଛକ ପାର୍କିଂରେ ରହିବେ । ଏହି ସ୍ଥାନ ଭରିଗଲେ ଅଠରନଳାରୁ ମେଡିକାଲ ଛକ ଦେଇ ଶରଧାବାଲି ଦିଗକୁ ଯାଇ ପାର୍କିଂ କରିବେ । କୋଣାର୍କ ଦିଗରୁ ଆସୁଥିବା ଚାରିଚକିଆଗୁଡ଼ିକ ଆଇଟିଆଇ ପାଖରେ ପାର୍କିଂ କରିବେ । ଏହି ଇଲାକା ଭରିଗଲେ ବ୍ଳୁ’ ଫ୍ଲାଗ୍‌ ବିଚ୍‌ ଦିଗରେ ପାର୍କିଂ କରାଯିବ ।

ବ୍ରହ୍ମଗିରି ଦିଗରୁ ଆସୁଥିବା ଚାରି ଚକିଆ ଯାନ ଜଟିଆ ବାବାଜୀ ଛକରୁ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଯିବେ । ପରେ ଚାରିଚକିଆ ଯାନ ଶରଧାବାଲିରେ ପାର୍କିଂ କରିବେ, ଏହି ସ୍ଥାନ ଭରିଗଲେ ମଙ୍ଗଳାଘାଟରୁ ଷ୍ଟର୍ଲିଂ ରିସର୍ଟ ବାଇପାସ ଦେଇ ଦେଇ ସମୁଦ୍ର କୂଳ ଯାତ୍ରୀକାରେ ପାର୍କିଂ କରିବେ । ଯାତ୍ରୀକା ଷ୍ଟାଣ୍ଡ ଭରିଗଲେ ସମୁଦ୍ର କୂଳରୁ ଦିଗବାରେଣୀ ପାର୍କିଂ ପର୍ଯ୍ୟନ୍ତ ଚାରି ଚକିଆ ପାର୍କିଂ କରାଯିବ । ଯାତ୍ରୀକା ଷ୍ଟାଣ୍ଡରୁ ଟାଉନ୍‌ବସ୍‌ରେ ଭିଆଇପି ରୋଡ ଦେଇ ଲୋକମାନେ ବଡ଼ଦାଣ୍ଡକୁ ଆସିବେ । ମେଡିକାଲ ଛକ ପର୍ଯ୍ୟନ୍ତ ଟାଉନ୍‌ ବସ୍‌ରେ ଯାତ୍ରୀକା ପାର୍କିଂର ଲୋକେ ଆସିପାରିବେ । ପଥଚାରୀଙ୍କ ଯାତାୟାତର କୌଣସି କଟକଣା ରହିବ ନାହିଁ । ଏଭଳି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ପରିସ୍ଥିିତିକୁ ଦେଖି ସାମାନ୍ୟ ପରିବର୍ତ୍ତନ ବି ହୋଇପାରେ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.