‘ମୋ ପରିବାର ପ୍ରତି ବିପଦ ରହିଛି ‘ : ନବୀନ ଜିନ୍ଦଲ

ନୂଆଦିଲ୍ଲୀ: ‘ମୋ ପରିବାର ପ୍ରତି ବିପଦ ରହିଛି। ଇସଲାମିକ କଟ୍ଟରପନ୍ଥୀଙ୍କ ଦ୍ୱାରା ଆକ୍ରମଣ ଭୟ ରହିଛି।’ ଏଭଳି କିଛି ଗୁହାରି କରିଛନ୍ତି ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିବା ବିଜେପି ନେତା ନବୀନ କୁମାର ଜିନ୍ଦଲ।
ସେ ଶନିବାର ଟ୍ୱିଟ୍ କରି କହିଛନ୍ତି, ‘ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ମୋର ଏବଂ ମୋ ପରିବାର ବିଷୟରେ କୌଣସି ସୂଚନା କାହା ସହ ଶେଆର କରନ୍ତୁ ନାହିଁ। ମୋର ଅନୁରୋଧ ସତ୍ତ୍ୱେ ଅନେକ ଲୋକ ମୋ ଠିକଣା ସୋଶାଲ ମିଡିଆରେ ପୋଷ୍ଟ କରୁଛନ୍ତି। ମୋ ପରିବାର ପ୍ରତି ଇସଲାମିକ କଟ୍ଟରପନ୍ଥୀଙ୍କ ଦ୍ୱାରା ବିପଦ ରହିଛି।’
କେବଳ ସେତିକି ନୁହେଁ ଏହି ପୂର୍ବତନ ବିଜେପି ନେତା ଜଣକ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଏକ ଫୋନ୍‌ ନମ୍ବରର ସ୍କ୍ରିନ୍‌ ସଟ୍‌ ମଧ୍ୟ ଶେଆର କରିଛନ୍ତି। ଏହି ନମ୍ବରରୁ ତାଙ୍କୁ ଧମକ ମିଳିଥିବା ସେ ଦାବି କରିଛନ୍ତି। ଏଥିସହ ଦିଲ୍ଳୀ ପୁଲିସ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଗୁହାରି କରିଛନ୍ତି। ପରିବାରର ସୁରକ୍ଷା ବର୍ତ୍ତମାନ ତାଙ୍କର ପ୍ରାଥମିକତା, ଯାହା ତାଙ୍କୁ ସୁନିଶ୍ଚିତ କରିବାକୁ ପଡିବ ବୋଲି ଜିନ୍ଦଲ କହିଛନ୍ତି।
ଗତ ସପ୍ତାହରେ ଜିନ୍ଦଲଙ୍କୁ ବିଜେପି ବହିଷ୍କାର କରିଥିଲା। ଦେଶ ଓ ବିଦେଶରେ ପ୍ରବଳ ବିରୋଧ ଓ ହିଂସା ପରେ ଦଳ ତାଙ୍କ ଓ ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

nis-ad
Leave A Reply

Your email address will not be published.