ଅବ୍ୟବସ୍ଥା ଘେରରେ ଦିଗପହଣ୍ଡି ପୁଞ୍ଜିକୟାଁ ଚାରିଛକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ବ୍ୟବସାୟ ତଥା ବାଣିଜ୍ୟର ଏକ ପେଣ୍ଠସ୍ଥଳୀ । ଏଠାକୁ ରାତି ପାହିଲେ ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ଲୋକ ବେପାର କରିବାକୁ ଆସିଥାନ୍ତି । ଏଥିସହ ଏଠାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ଳକ , ତହସିଲ , ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ , ପୋଲିସ ଥାନା , ପୂର୍ତ୍ତବିଭାଗ କାର୍ଯ୍ୟାଳୟ , ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଭଳି ଅନେକ କାର୍ଯ୍ୟାଳୟ ରହିବା ସହ ସ୍କୁଲ ଓ କଲେଜ ମଧ୍ୟ ରହିଛି । ଯାହାଫଳରେ ଛୋଟ ଶିଶୁଠାର ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ଦୈନିକ ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ତେବେ ଦିଗପହଣ୍ଡି ପୁଞ୍ଜିକୟାଁ ତଥା ଚାରିଛକରେ ଏକ ଟ୍ରାଫିକ ପୋଷ୍ଟ ନ ଥିବା କାରଣରୁ ପ୍ରତ୍ୟେକ ଦିନ କିଛିନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଜଣାପଡୁଛି । ଯାହାଫଳରେ ବର୍ତ୍ତମାନ ଏହାର ନକ୍ସା ବଦାଳାଇବା ପାଇଁ ସହରବାସୀ ଦାବି କରୁଛନ୍ତି । ବିଶେଷକରି ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ଏବଂ ୩୨୬ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ଛକ ବ୍ରହ୍ମପୁର – ଚିକିଟି – ରାୟଗଡ଼ା – ଆସିକା ରାସ୍ତାକୁ ସରଳ ରେଖାରେ ବିଭକ୍ତ କରୁଛି । ଦିଗପହଣ୍ଡି – ବ୍ରହ୍ମପୁର ଏବଂ ଦିଗପହଣ୍ଡି – ରାୟଗଡ଼ା ରାସ୍ତାଟି ୪ ଲେନ ବିଶିଷ୍ଟ ହୋଇସାରିଥିବା ବେଳେ ଗତ ୮ ବର୍ଷ ହେଲା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ନାହିଁ ନାହିଁରେ ଚାଲିଛି ନିର୍ମାଣ କାର୍ଯ୍ୟ । ରାଞ୍ଚି – ବିଜୟ ୱାଡ଼ା କରିଡ଼ର ରାସ୍ତା ପ୍ରକଳ୍ପ ଆସିକା – ଢ଼ଉଗାଁ ଛକ ଠାରୁ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଭାୟା ଶେରଗଡ଼ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନି।ଦିଗପହଣ୍ଡିର ଏହି ପୁଞ୍ଜିକଂୟା ଚାରିଛକ ଦେଇ ଚିକିଟିର ପର୍ଯ୍ୟଟନ କ୍ଷେତ୍ର ମାଁ ବାଳକୁମାରୀ ଶକ୍ତି ପୀଠ , ଗଞ୍ଜାମର ପର୍ଯ୍ୟଟନ କ୍ଷେତ୍ର , ଶ୍ରୀ ଜ୍ଜଳେଶ୍ୱରଶୈବପୀଠ, ଘୋଡ଼ାହାଡ଼ ଡ଼୍ୟାମ , ଉଷ୍ଣ ପ୍ରଶ୍ରବଣ ତପ୍ତପାଣି , ଗଜପତି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ଚନ୍ଦ୍ରଗିରି ଜିରାଙ୍ଗ ସ୍ଥିତ ପଦ୍ମ ସମ୍ଭବ ବୌଦ୍ଧ ବିହାର ସମେତ ଖସଡ଼ାା , ମାଙ୍କଡ ଡିଆଁ ଜଳପ୍ରପାତ ପ୍ରଭୃତି ପର୍ଯ୍ୟଟନସ୍ଥଳୀକୁ ପ୍ରତ୍ୟେହ ହଜାର ହଜାର ଯାତ୍ରୀଙ୍କ ସମେତ ବିଭିନ୍ନ କାମ ପାଇଁ ପ୍ରତିଦିନ ଦିଗପହଣ୍ଡି ଆସୁଥିବା ଲୋକଙ୍କ ପାଇଁ ଏହି ଛକରେ ପରିଶ୍ରାଗାର ଟିଏ ନାହିଁ । ଦିଗପହଣ୍ଡି ପୁଞ୍ଜିକୟାଁ ଚାରିଛକଟି ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥର ସଙ୍ଗମ ସ୍ଥଳୀ ହୋଇଥିବାରୁ ଏହି ଛକଟି କାହାର ତାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି । ଦିଗପହଣ୍ଡି ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ପୁଞ୍ଜିକଂୟା ଚାରି ଛକଟି ଆମର ନୁହେଁ ତାହା ଜାତୀୟ ରାଜପଥ କାର୍ଯ୍ୟାଳୟର ବୋଲି କହୁଥବା ବେଳେ ଜାତୀୟ ରାଜପଥ କାର୍ଯ୍ୟାଳୟ ଦିଗପହଣ୍ଡି ପୁଞ୍ଜିକୟାଁ ଚାରିଛକଟି ଆମର ନୁହେଁ ବରଂ ତାହା ଦିଗପହଣ୍ଡି ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟର ବୋଲି କହୁଛନ୍ତି । ପୁଞ୍ଜିକୟାଁ ଚାରିଛକର ୪ ଲାଇନ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ସରିଯାଇଥିଲେ ମଧ୍ୟ ଦୀର୍ଘ ୮ ବର୍ଷ ହେଲା ସ୍ଥାନୀୟ ଜନସାଧାରଣଙ୍କ ଦାବୀ ମୁତାବକ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଛକର ଭୁଲ ନକ୍ସା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବା ଦ୍ୱାରା ଦୁର୍ଘଟଣା ବୃଦ୍ଧି ପାଇବା , ଗୋଲେଇ ଛକ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ନକରିବା ନେଇ ପୂର୍ବରୁ ଦିଗପହଣ୍ଡି ବିକାଶ ପରିଷଦ , ବ୍ୟବସାୟୀ ସଂଘ , ସିପିଆଇ , କଂଗ୍ରେସ , ବିଜେପି ପ୍ରଭୃତି ବିଭିନ୍ନ ରାଜନୈତିକ ଦଳ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ପୁଞ୍ଜିକଂୟା ଚାରିଛକର ଉନ୍ନତି ନେଇ ଦାବୀ କରାଯାଇଥିଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଓ ଅପରିଣାମ ଦର୍ଶିତା ଯୋଗୁଁ ଜନସାଧାରଣ , ଛାତ୍ରୀ ଛାତ୍ର ଏହି ଛକରେ ରାସ୍ତା ଅତିକ୍ରମ କରିବାପାଇଁ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଶିକାର ହେଉଛନ୍ତିି । ଏହାର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାପାଳଙ୍କୁ ଏନେଇ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା ସମସ୍ତଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ପୁଞ୍ଜିକଂୟା ଚାରିଛକର ଗୁରୁତ୍ଵ ଦୃଷ୍ଟିରୁ ଯୁଦ୍ଧକାଳୀନ ଭିତ୍ତିରେ ଏଠାରେ ଏକ ଗୋଲେଇ ଛକ ନିର୍ମାଣ କରିବା ସହିତ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବା ଏବଂ ଉଠା ଦୋକାନୀ ମାନଙ୍କ ପାଇଁ ଭେଣ୍ଡିଂ ଜୋନ ନିର୍ମାଣ କରିବା ପାଇଁ ଦାବି ହେଉଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.