ନୂପୁର ଶର୍ମାଙ୍କ ବିରୋଧରେ ଅଶୋଭନୀୟ ଭିଡିଓ କରି ୟୁ-ଟ୍ୟୁବର ଫୈଜଲ ୱାନି ଗିରଫ

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଅଶୋଭନୀୟ ଭିଡିଓ କରି ୟୁ-ଟ୍ୟୁବର ଫୈଜଲ ୱାନି ଗିରଫ ହୋଇଛନ୍ତି। ଉକ୍ତ ଭିଡିଓକୁ ନେଇ ଫୈଜଲ କ୍ଷମା ମାଗିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି। ଶନିବାର ତାଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଛି।
ୟୁ-ଟ୍ୟୁବରେ ଫୈଜଲଙ୍କର ଏକ ସ୍ୱାସ୍ଥ୍ୟ ଭିତ୍ତିକ ଚ୍ୟାନେଲ ରହିଛି। ଏହାର ନାଁ ‘ଡିପ୍‌ ପେନ୍‌ ଫିଟନେସ୍‌’। ଗତ ସପ୍ତାହରେ ସେ ତାଙ୍କ ୟୁ-ଟ୍ୟୁବ ଚ୍ୟାନେଲରେ ନିଜେ ଖୋଲା ଦେହରେ ଥାଇ ଏକ ଭିଡିଓ କରିଥିଲେ। ଏଥିରେ ସେ ଏକ ଖଣ୍ଡା ଧରି ନୂପୁର ଶର୍ମାଙ୍କ ବେକ କାଟୁଥିବା ଦୃଶ୍ୟ ରହିଥିଲା। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ନୂପୁର ଶର୍ମା ଦେଇଥିବା ବିବାଦୀୟ ବୟାନର ପ୍ରତିବାଦ ସ୍ବରୂପ ଫୈଜଲ ଏଭଳି ଭିଡିଓ କରିଥିଲେ। ତେବେ ଏହି ଭିଡିଓଟିକୁ ନେଇ ବିବାଦ ସୃଷ୍ଟି ହେବାରୁ ସେ ଏହାକୁ ଡିଲିଟ୍ କରି ଦେଇଥିଲେ।
ପରେ ଫୈଜଲ ଆଉ ଗୋଟିଏ ଭିଡିଓ ପୋଷ୍ଟ କରି କହିଥିଲେ, ”ମୁଁ ହିଁ ଉକ୍ତ ଭିଡିଓ ଭିଏଫଏକ୍ସ ଜରିଆରେ ତିଆରି କରିଥିଲି। କିନ୍ତୁ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ କିମ୍ବା ହିଂସା ସୃଷ୍ଟି କରିବାର ଲକ୍ଷ୍ୟ ନଥିଲା। ମୁଁ ଏବେ ଉକ୍ତ ଭିଡିଓକୁ ଡିଲିଟ କରି ଦେଇଛି। ଯଦି ମୋ ଭିଡିଓ କାହାକୁ ଆଘାତ ଦେଇଥିବ, ତା’ହେଲେ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଆମ ଇସଲାମରେ କେଉଁ ଧର୍ମକୁ ଅପମାନିତ କରିବାକୁ କେବେ ହେଲେ ଶିଖାଯାଇ ନଥାଏ।” ଫୈଜଲ ଏହି ଭିଡିଓରେ କହିଛନ୍ତି ଯେ ସେ ତାଙ୍କର ଲେଡିଜ ଗାରମେଣ୍ଟ କମ୍ପାନୀକୁ ବନ୍ଦ କରିବାକୁ ମଧ୍ୟ ବାଧ୍ୟ ହୋଇଛନ୍ତି।

nis-ad
Leave A Reply

Your email address will not be published.