ତେଜୁଛି ପ୍ରଫେଟ ବିରୋଧୀ ମନ୍ତବ୍ୟ ବିବାଦ: ପଶ୍ଚିମବଙ୍ଗ ବିଜେପି ସଭାପତି ଗିରଫ

କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜମୁଦାରଙ୍କୁ ପୁଲିସ ଗିରଫ କରିଛି। ସେ ଆଜି ହାୱଡ଼ା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନ ତେଜିବାରେ ଲାଗିଛି। ଏମିତିକି ରାଜ୍ୟର କେତେକ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ମଧ୍ୟ ଉପୁଜିଛି। ଆଜି ସକାଳେ ସୁକାନ୍ତଙ୍କୁ ହିଂସାସ୍ଥଳକୁ ଯିବାକୁ ପୁଲିସ ବାରଣ କରିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ପୁଲିସ ତାଙ୍କୁ ଅଟକାଇଥିଲା । ପରେ ତାଙ୍କୁ ପୁଲିସ ଗୃହବନ୍ଦୀ କରିଥିଲା। ହେଲେ ସେ ତାଙ୍କ ଘର ଆଗରେ ଥିବା ବ୍ୟାରିକେଡ ଡେଇଁ ହଂସାସ୍ଥଳ ହାୱଡ଼ାର ପାଞ୍ଚାଳ ସହର ଯିବାକୁ ବାହାରିଥିଲେ। ଫଳରେ ପୁଲିସ ତାଙ୍କୁ ଗିରଫ କରିଛି। ପ୍ରଫେଟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଗତକାଲି ହାୱଡ଼ାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିବା ନୂପୁର ଶର୍ମାଙ୍କୁ ବିଜେପି ନିଲମ୍ବିତ କରିଛି। ହେଲେ ତାଙ୍କ ବୟାନକୁ ବିରୋଧ କରି ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ଜାରି ରହିଛି।

ଏହିକ୍ରମରେ ଝାରଖଣ୍ଡର ରାଞ୍ଚିରେ ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ବେଳେ ଲଙ୍କାକାଣ୍ଡ ଘଟିଛି। ବ୍ୟାପକ ଭଙ୍ଗାରୁଜା ସମେତ ପୋଡ଼ାଜଳା ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନୂପୁର ଶର୍ମାଙ୍କ ଗିରଫଦାରୀ ପାଇଁ ଶୁକ୍ରବାର ବିକ୍ଷୋଭ ଚାଲିଥିବା ବେଳେ ବିକ୍ଷୋଭକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ଟେକାପଥର ମାଡ଼ କରିବାରୁ ପୁଲିସ୍ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା। ସେହିପରି ଟିୟର ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। ଲୋକମାନେ ଗାଡ଼ି ମୋଟର ଭାଙ୍ଗିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା କିଛି ଦୋକାନକୁ ମଧ୍ୟ ପଥର ମାଡ଼ କରିଥିଲେ। ଏହି ଖଣ୍ଡଯୁଦ୍ଧରେ ଆହତ ହୋଇଥିବା ପ୍ରାୟ ୧୨ ଜଣଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ସାଇନ୍ସକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଆଖି ବୁଜିଥିଲେ। ଏବେ ଆଉ ୧୦ ଜଣଙ୍କ ଚିକିତ୍ସା ଚାଲିଛି। ଶୁକ୍ରବାର ସଂଘର୍ଷକୁ ଦୃଷ୍ଟିରେ ରଖି ରାଜଧାନୀ ରାଞ୍ଚିର ବିଭିନ୍ନ ପ୍ରାନ୍ତରେ କର୍ଫ୍ୟୁ ଲାଗୁ କରାଯାଇଛି। ଶୁକ୍ରବାର ଶତାଧିକ ଲୋକ ରାଞ୍ଚିର ବିଭିନ୍ନ ପ୍ରାନ୍ତରେ ଏକାଠି ହୋଇ ନୂପୁର ଶର୍ମାଙ୍କ ଗିରଫଦାରୀ ପାଇଁ ଦାବି କରିଥିଲେ।

nis-ad
Leave A Reply

Your email address will not be published.