ନୂପୁର ଶର୍ମାଙ୍କୁ ସମର୍ଥନ କଲେ ତସଲିମା 

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦ ବିରୋଧୀ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଘନେଇବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଦେଶ ଓ ଦେଶ ବାହାରେ ଦେଖାଦେଇଥିବା ତୀବ୍ର ପ୍ରତିକ୍ରିୟା ଦିନକୁ ଦିନ ଉଗ୍ରରୂପ ଧାରଣ କରିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସାତ୍ମକରୂପ ନେଇଛି। ଏହି ବିବାଦକୁ ନେଇ ବାଂଲାଦେଶରୁ ନିର୍ବାସିତ ତଥା ପ୍ରସିଦ୍ଧ ଲେଖିକା ତସଲିମା ନସରିନ୍‌ ନିଜର ପ୍ରତିକ୍ରୟା ରଖିଛନ୍ତି। ଏ ନେଇ ସେ ଦୁଇଟି ଟ୍ୱିଟ୍‌ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଯଦି ଆଜି ପ୍ରଫେଟ ମହମ୍ମଦ ବଞ୍ଚିଥାନ୍ତେ ତେବେ ସେ ଏଭଳି ହିଂସାତ୍ମକ ଆନ୍ଦୋଳନକୁ ଦେଖି ବିଷ୍ମିତ ହୋଇଥାନ୍ତେ। ସାରାବିଶ୍ୱରେ ମୁଲମାନଙ୍କ ପାଗଳପଣକୁ ନେଇ ସେ ଚକିତ ହୋଇଥାନ୍ତେ ନିଶ୍ଚିତ। ସେହିପରି ସେ ଆଉ ଏକ ଟ୍ୱିଟ୍ କରିଲେଖିଛନ୍ତି ଯେ, ସମାଲୋଚନାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି । କୌଣସି ମାନବ, ଋଷି, ମସିହା, ପ୍ରଫେଟ ଏମିତିକି ଭଗବାନ ମଧ୍ୟ ନୁହନ୍ତି।
ବିଶ୍ୱକୁ ଏକ ଶେଷ୍ଠତମ ସ୍ଥାନରେ ଅବସ୍ଥାପିତ କରିବାକୁ ହେଲେ ହେଲେ ଜଟିଳ ଅନୁଧ୍ୟାନ(critical scrutinity) ଜରୁରୀ ବୋଲି ସେ କହିଛନ୍ତି। ‘ଲଜ୍ଜା’ ଶୀର୍ଷକ ବହି ଲେଖିବା ପରେ ବାଂଲାଦେଶରେ ଘୋର ବିବାଦଘେରକୁ ଆସିଥିଲେ ତସଲିମା। ଏହି ବହି ବାଂଲାଦେଶରେ ଝଡ଼ ସୃଷ୍ଟି କରିବା ସହ ତସଲିମାଙ୍କୁ ନିର୍ବାସନ ହେବାକୁ ପଡ଼ିଥିଲା। ସେ ଗତ ୩ ବର୍ଷ ହେବ ବଂଲାଦେଶରୁ ନିର୍ବାସିତ ହୋଇ ଭାରତରେ ରହୁଛନ୍ତି। ସେହି ବହିରେ ଇସଲାମ ବିରୋଧୀ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ଫଳରେ ୫୯ ବର୍ଷୀୟ ତସଲିମାଙ୍କୁ ୧୯୯୪ରେ ମୌଳବାଦୀମାନେ ହତ୍ୟା ଧମକ ଦେଇଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେ ପ୍ରଥମେ ଆମେରିକା ଓ ପରେ ୟୁରୋପ ପଳାଇଯାଇଥିଲେ। ପରେ ଗତ ଦୁଇ ଦଶନ୍ଧିଧରି ଭାରତରେ ରହି ଆସୁଛନ୍ତି।
ସୂଚନା ଅନୁଯାୟୀ, ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିବା ନୂପୁର ଶର୍ମାଙ୍କୁ ବିଜେପି ନିଲମ୍ବିତ କରିଛି। ହେଲେ ତାଙ୍କ ବୟାନକୁ ବିରୋଧ କରି ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ଜାରି ରହିଛି। ଏହିକ୍ରମରେ ଝାରଖଣ୍ଡର ରାଞ୍ଚିରେ ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ବେଳେ ଲଙ୍କାକାଣ୍ଡ ଘଟିଛି। ବ୍ୟାପକ ଭଙ୍ଗାରୁଜା ସମେତ ପୋଡ଼ାଜଳା ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନୂପୁର ଶର୍ମାଙ୍କ ଗିରଫଦାରୀ ପାଇଁ ଶୁକ୍ରବାର ବିକ୍ଷୋଭ ଚାଲିଥିବା ବେଳେ ବିକ୍ଷୋଭକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ।
ବିକ୍ଷୋଭକାରୀମାନେ ଟେକାପଥର ମାଡ଼ କରିବାରୁ ପୁଲିସ୍ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା। ସେହିପରି ଟିୟର ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। ଲୋକମାନେ ଗାଡ଼ି ମୋଟର ଭାଙ୍ଗିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା କିଛି ଦୋକାନକୁ ମଧ୍ୟ ପଥର ମାଡ଼ କରିଥିଲେ। ଏହି ଖଣ୍ଡଯୁଦ୍ଧରେ ଆହତ ହୋଇଥିବା ପ୍ରାୟ ୧୨ ଜଣଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ସାଇନ୍ସକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଆଖି ବୁଜିଛନ୍ତି। ଏବେ ବି ଆଉ ୧୦ ଜଣଙ୍କ ଚିକିତ୍ସା ଚାଲିଛି। ଶୁକ୍ରବାର ସଂଘର୍ଷକୁ ଦୃଷ୍ଟିରେ ରଖି ରାଜଧାନୀ ରାଞ୍ଚିର ବିଭିନ୍ନ ପ୍ରାନ୍ତରେ କର୍ଫ୍ୟୁ ଲାଗୁ କରାଯାଇଛି। ଶୁକ୍ରବାର ଶତାଧିକ ଲୋକ ରାଞ୍ଚିର ବିଭିନ୍ନ ପ୍ରାନ୍ତରେ ଏକାଠି ହୋଇ ନୂପୁର ଶର୍ମାଙ୍କ ଗିରଫଦାରୀ ପାଇଁ ଦାବି କରିଥିଲେ।

nis-ad
Leave A Reply

Your email address will not be published.