ମାସ୍କ ନଥିଲେ ବାରବାଟୀ ଷ୍ଟାଡିୟମରେ ମିଳିବନି ପ୍ରବେଶ ଅନୁମତି

ଭୁବନେଶ୍ୱର: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ ଖବର । ନୋ ମାସ୍କ ନୋ ଏଣ୍ଟ୍ରି । ଅର୍ଥାତ ମାସ୍କ ନାହିଁ ତ ବାରବାଟୀ ଷ୍ଟାଡିୟମକୁ ପ୍ରବେଶ ମନା । ସ୍ପଷ୍ଟ କଲେ ପୋଲିସ କମିଶନର । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୧୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବା ଦ୍ୱିତୀୟ ଟି-୨୦ । ଓସିଏ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି ।

କେବଳ ରବିବାର ସନ୍ଧ୍ୟାକୁ ଅପେକ୍ଷା। ଖେଳାଳି ମଧ୍ୟ ଭୁବନେଶ୍ୱର ପହଞ୍ଚି ସାରିଛନ୍ତି । ତେବେ ଶାନ୍ତି ଶୃଙ୍ଖଳା ଏବଂ ସଫଳତା ସହ ମ୍ୟାଚ୍ ଆୟୋଜନ ନେଇ ଓସିଏ ଏବଂ ପୋଲିସ କମିଶନରେଟ୍ ଅଣ୍ଟା ଭିଡିଛି ।

ମ୍ୟାଚ୍ ଆୟୋଜନ ନେଇ ଶୁକ୍ରବାର ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବିନା ମାସ୍କରେ ମ୍ୟାଚ୍ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହା ପୂର୍ବରୁ ନୋ ମାସ୍କ ନୋ ଏଣ୍ଟ୍ରି ନେଇ ସ୍ପଷ୍ଟ କରାଯାଇଛି । ଉତ୍ସାହ ଏବଂ ଉଦ୍ଦିପନା ନାମରେ ଗଣ୍ଡଗୋଳ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ଦର୍ଶକଙ୍କ ସାମ୍ନାରେ ପୋଲିସ କର୍ମଚାରୀ ଛିଡା ହେବେ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି ।

ଏହା ପୂର୍ବରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ଷ୍ଟାଡିୟମ ବୁଲି ଦେଖିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖେଳ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୋଲିସ ଡିଜି । ଆବଶ୍ୟକ ଅନୁସାରେ ପୋଲିସ ଫୋର୍ସ ଓ ଅଫିସରଙ୍କୁ ମୁତୟନ କରାଯିବ। ସେଥିପାଇଁ ପୋଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । ଦର୍ଶକଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ତେଣୁ ଶୃଂଖଳିତ ଭାବେ ବସି ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ପରାମର୍ଶ ଦେଇଛନ୍ତି। ଡିଜିପିଙ୍କ ସହ ଆଇନଶୃଂଖଳା ଏଡିଜି ଆର୍‌କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ମଧ୍ୟ ସୁରକ୍ଷା ବ୍ୟବସ୍ଥା ପରଖିଛନ୍ତି।

nis-ad
Leave A Reply

Your email address will not be published.