ବାରବାଟୀ ଟି-୨୦: ଆସନ୍ତାକାଲି ୯ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍

କଟକ: ବାରବାଟୀ ଟି-୨୦ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ଆଉ ମାତ୍ର ୩ ଦିନର ଅପେକ୍ଷା । ରବିବାର ବାରବାଟୀରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ । ମ୍ୟାଚ ପାଇଁ ଅନଲାଇନ ଟିକେଟ ବିକ୍ରି ପରେ ଗତକାଲିଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ଆସନ୍ତାକାଲି ୯ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍।

ଶୃଂଖଳା ରକ୍ଷା ପାଇଁ ମୁତୟନ ହେବେ ୧୦ ପ୍ଲାଟୁନ ପୋଲିସ ଫୋର୍ସ। ଏପରିକି ଟିକେଟ କଳାବଜାରୀ ଉପରେ ନଜର ରଖାଯିବ ବୋଲି କଟକ ଡିସିପି ମିନାକ ମିଶ୍ର କହିଛନ୍ତି।

ଆସନ୍ତାକାଲି ଏବଂ ଶୁକ୍ରବାର ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ଟିକେଟ୍ । ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ ବିକ୍ରି । ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ଓସିଏ । ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ କରାଯାଇଛି । ଦର୍ଶକ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଟିକେଟ କଣିପାରିବେ ସେଥିପାଇଁ ୧୨ଟି କାଉଣ୍ଟର ହୋଇଛି । ପ୍ରାୟ ୯ ହଜାର ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୩ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ସେପଟେ ଓସିଏ ସହ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ସଂସ୍ଥାକୁ ଟିକେଟ ବିକ୍ରି କରାଯାଉଛି । ଆଜି ମଧ୍ୟ ଏହି ଟିକେଟ ବିକ୍ରି ଜାରି ରହିଛି । ୭୦ଟି ଅନୁବନ୍ଧିତ ସଂସ୍ଥାକୁ ୮ ହଜାର ଟିକେଟ ବିକ୍ରି ଚାଲିଛି। କେବଳ ଅନୁମତି ପାଇଥିବା ବିଭିନ୍ନ କ୍ରୀଡା ସଙ୍ଗଠନ ଓ ଅନ୍ୟ ସଂସ୍ଥାର କର୍ମକର୍ତ୍ତାଙ୍କୁ ଟିକେଟ ପାଇଁ ଓସିଏ କନ୍ଫରେନ୍ସ ହଲକୁ ଛଡାଯାଉଛି ।

ବାରବାଟୀ ମ୍ୟାଚ ନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଆସନ୍ତାକାଲି ୯ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ। ତେଣୁ ଶୃଂଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଶୃଂଖଳିତ ହୋଇ ଟିକେଟ କିଣିବାକୁ ଦର୍ଶକଙ୍କୁ ସେ ପରାମର୍ଶ ଦେଇଛନ୍ତି। ବିଶୃଂଖଳାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ଟିକେଟ କଳାବଜାରୀ ଉପରେ ନଜର ରଖାଯିବ ବୋଲି ଡିସିପି କହିଛନ୍ତି।

nis-ad
Leave A Reply

Your email address will not be published.