ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ ବୋଲି ଦୀର୍ଘ ଦିନ ହେବ ପ୍ରଚାର ହୋଇ ଆସୁଛି । ହେଲେ ତାହା ବାସ୍ତବତାରେ ପରିଣତ ହେବା ପାଇଁ ଦିନ ପରେ ଦିନ ଗଡ଼ି ଚାଲିଛି । ତେବେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ରେଳ ଷ୍ଟେସନର ବିକାଶ ନେଇ ଆଶା ଜନ୍ମିଛି । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ଷ୍ଟେସନର ବିକାଶ ନେଇ ୨୭୫ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

ପୂର୍ବତଟ ରେଳପଥ ପକ୍ଷରୁ ଏ ନେଇ ଟେଣ୍ଡର ଆହ୍ୱାନ କରାଯାଇଛି । ୨୪ ମାସ ମଧ୍ୟରେ କାମ ଶେଷ କରିବାକୁ କୁହାଯାଇଛି । ଟେଣ୍ଡର ଦାଖଲର ଶେଷ ତାରିଖ ରହିଛି ଜୁଲାଇ ୮ ତାରିଖ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ରେଳ ମନ୍ତ୍ରଣାଳୟ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଉଭୟଙ୍କ ମଧ୍ୟରେ ବାରମ୍ବାର ବୈଠକ ପରେ ବି କାମ ଆଗେଇ ପାରିଲାନି । ତେଣୁ ଏବେ ରେଳ ଷ୍ଟେସନର ବିକାଶ କାର୍ଯ୍ୟ ରେଳ ବିଭାଗ କରିବ । ଷ୍ଟେସନର ପାରିପାଶ୍ୱିର୍କ ବିକାଶ ବିଡିଏ କରିବ ବୋଲି ବୁଝାମଣା ହୋଇଛି । ଉଭୟ ସଂସ୍ଥା ପୃଥକ୍‌ ଭାବେ କାମ କରିବେ ।

ଗତ ଫେବ୍ରୁଆରୀରେ ରେଳ ମନ୍ତ୍ରୀ ଓଡ଼ିଶା ଗସ୍ତ ବେଳେ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୌର ଓ ପଞ୍ଚାୟତ ଆଚରଣ ବିଧି ଆଇନ ହଟିବା ପରେ ରେଳ ଷ୍ଟେସନ ବିକାଶର ଡିଜାଇନ୍‌ ବାବଦରେ ସୂଚନା ଦେବେ ବୋଲି କହିଥିଲେ । ହେଲେ ମେ ୨୮ ତାରିଖରେ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ୬୭ତମ ଜାତୀୟ ରେଳ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ରେଳ ମନ୍ତ୍ରୀ ଏ ସମ୍ପର୍କରେ କିଛି କହି ନ ଥିଲେ । ମାତ୍ର ଏବେ ପୂର୍ବତଟ ରେଳପଥ ପକ୍ଷରୁ ଏ ନେଇ ଟେଣ୍ଡର ଆହ୍ୱାନ କରାଯାଇଥିବାରୁ ଏହାକୁ ଓଡ଼ିଶା ରେଲ ୟୁଜର୍ସ- ମଲ୍ଟି ମୋଡାଲ୍‌ କନେକ୍ଟିଭିଟି ଫୋରମ୍‌ ପକ୍ଷରୁ ସ୍ୱାଗତ କରାଯାଇଛି ।

nis-ad
Leave A Reply

Your email address will not be published.