ଓଡ଼ିଆ ଚଳଚ୍ଚିତ୍ର ଭୋକ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନମାନଙ୍କ ଦୁର୍ଦ୍ଦଶାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ଇନ୍ଦ୍ରଧନୁ ରେନ୍-ବୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ପୁରସ୍କାର ଲାଭ କରିଛି । ଗତ ମେ ୨୯ରୁ ଜୁନ ୫ ଯାଏ ଲଣ୍ଡନଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।

ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଲକ୍ ଡାଉନ୍ ସମୟରେ ଏକ ଦମ୍ପତି ସାମ୍ନା କରିଥିବା ଦୁଃଖଦ ସ୍ଥିତି ଓ ସଂଘର୍ଷ ଉପରେ ଆଧାରିତ । ସୁରଟରେ ରହୁଥିବା ଗୋଟିଏ ପରିବାର ଲକ୍ ଡାଉନ୍ ସମୟରେ କିଭଳି ଓଡ଼ିଶା ଫେରୁଛନ୍ତି ଏବଂ ରାସ୍ତାରେ କେଉଁସବୁ ସମସ୍ୟାର ସାମ୍ନା କରିଛନ୍ତି, ତାର ସଜଳ ଚିତ୍ରରୂପ ହେଉଛି ଏହି ଚଳଚ୍ଚିତ୍ର । ବିଶେଷକରି ଜଣେ ମହିଳାଙ୍କ ଭିଟାମାଟି ଫେରିବାର ଦୁଃଖ କାହାଣୀକୁ ଏଠାରେ ପ୍ରଦର୍ଶନ କରାଯାଇଛି ।

କରୋନା ମହାମାରୀ ସାରା ବିଶ୍ବବାସୀଙ୍କୁ ପ୍ରଭାବିତ କରିଥିବାବେଳେ ଏହାର ଭୟାବହତା ଓ ଏହାର ପ୍ରଭାବକୁ ସାମ୍ନାକୁ ଆଣିବାର ଏକ ପ୍ରୟାସ ହେଉଛି ‘ଭୋକ’। ଲକଡାଉନ୍ ଓ ସଟଡାଉନ୍ ସମୟରେ ଅନେକଙ୍କ ଜୀବିକା ଚାଲିଯାଇଥିଲା ଏବଂ ଆହୁରି ଅନେକ ଏହି ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ । ଏଭଳି ସ୍ଥିତିର ଚିତ୍ରଣ କରିଛି ଜ୍ୟୋତି ପ୍ରଡକ୍ସନ୍-ର ଏହି ଚଳଚ୍ଚିତ୍ର ।

‘ଭୋକ’ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ରାଜୀବ ମହାନ୍ତି ଦେଇଥିବାବେଳେ ଏହାର କାହାଣୀ ଏବଂ ସଂଳାପ ଲେଖିଛନ୍ତି ରଞ୍ଜନ ଦାସ । ସଂପାଦନା କରିଛନ୍ତି ମାନସ ସାହୁ ଓ କ୍ୟାମେରା ପରିଚାଳନା କରିଛନ୍ତି ବିଶ୍ବଜିତ କୁଲାଡ । ସେହିପରି ମୁଖ୍ୟ ଭୂମିକାରେ ଅଭିନେତା ଅଙ୍କିତ କୁମାର, କାବ୍ୟ କିରଣ ନଜର ଆସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିନେତା କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଚିରଞ୍ଜିବୀ, ଦୀପା, ପ୍ରତୀମ୍ ଓ ଅନ୍ୟମାନେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ‘ଭୋକ’ ନିର୍ମାଣ କରିଥିବାବେଳେ ଏଥିରେ ସଂଗୀତ ଦେଇଛନ୍ତି ବିକାଶ ଦାସ ।

nis-ad
Leave A Reply

Your email address will not be published.