କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, କୋର୍ଟରେ ଆବେଦନ

କୋଲକାତା: ପ୍ରଖ୍ୟାତ ତଥା ଲୋକପ୍ରିୟ ବଲିଉଡ ଗାୟକ କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୈତିକ ବିବାଦ। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଗଲାଣି। ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ କ୍ୟାଲକାଟା ହାଇକୋର୍ଟରେ ଆବେଦନ ହୋଇଛି। ଆଇନଜୀବୀ ରବିଶଙ୍କର ଚାଟାର୍ଜୀ ଏହି ଆବେଦନ କରିଛନ୍ତି। ଏହାପରେ କ୍ୟାଲକାଟା ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ପିଆଇଏଲ୍‌ ଦାଖଲ କରିବାକୁ ଅନୁମତି ଦେଇଛନ୍ତି।
ବଲିଉଡର ସିଙ୍ଗର କେକେ ଗତ ମଙ୍ଗଳବାର ରାତିରେ କୋଲକାତାର ନଜରୁଲ ମଞ୍ଚରେ ଲାଇଭ ଶୋ’ ବେଳେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ କୋଲକାତା ପୁଲିସ ନ୍ୟୁ ମାର୍କେଟ୍‌ ଥାନାରେ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା।
ପୁଲିସ ଗାୟକଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କିନ୍ତୁ ବିରୋଧୀ ରାଜନୈତିକ ଦଳ ଠାରୁ ଆରମ୍ଭ କରି କୋଲକାତା ରାଜ୍ୟପାଳଙ୍କ ଯାଏଁ କେକେଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଛି।
କୋଲକାତାର ନଜରୁଲ ମଞ୍ଚରେ କେକେଙ୍କ ଲାଇଭ ଶୋ’ ବେଳେ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ହୋଇଛି। କେକେଙ୍କ କର୍ଯ୍ୟକ୍ରମ ବେଳେ ପ୍ରବଳ ଭିଡ ଜମି ଥିଲା। ଉକ୍ତ କାର୍ଯ୍ୟକ୍ରମ ସ୍ଥଳରେ ଦର୍ଶକଙ୍କ ବସିବା ପାଇଁ ୨୭୦୦ଟି ସିଟ୍‌ ବ୍ୟବସ୍ଥା ଥିବା ବେଳେ ସେଠାରେ ପ୍ରାୟ ୭୦୦୦ ଲୋକ ଉପସ୍ଥିତ ଥିଲେ। ଏଥିସହ କାର୍ଯ୍ୟକ୍ରମ ବେଳେ ଅଡିଟୋରିୟମରେ ଏସି ମଧ୍ୟ କାମ କରୁନଥିବା ଅଭିଯୋଗ ହୋଇଛି।
ତେବେ ଏହି ଅଭିଯୋଗକୁ ତ୍ରୁଣମୂଳ କଂଗ୍ରେସ ମନ୍ତ୍ରୀ ଫିରହାଦ ହକିମ ଖଣ୍ଡନ କରିଛନ୍ତି। ଏସି ଠିକ୍‌ ଥିଲା କିନ୍ତୁ କାର୍ଯ୍ୟକ୍ରମରେ ଅପେକ୍ଷାକୃତ ଅଧିକ ଭିଡ ଥିବା ସେ ସ୍ୱୀକାର କରିଛନ୍ତି। କେକେଙ୍କ ମୃତ୍ୟୁ ପରେ କୋଲକାତା ମେଟ୍ରୋପଲିଟାନ ଡେଭଲପମେଣ୍ଟ ଅଥରିଟି ପୂରା ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲା।
ସେପଟେ ଗାୟକ କେକେଙ୍କ ମୃତ୍ୟୁ ପରେ କୋଲକାତା ରାଜ୍ୟପାଳ ଜଗଦୀପ ଧନଖଡ କାର୍ଯ୍ୟକ୍ରମ ସ୍ଥଳର ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଥିଲେ। ସେ କହିଥିଲେ, ‘କେକେଙ୍କ ମୃତ୍ୟୁ ବେଶ୍‌ ଯନ୍ତ୍ରଣାଦାୟକ ଥିଲା। ଏଥିପାଇଁ ପୂରା ମାମଲାର କଡା ତଦନ୍ତ ହେବା ଉଚିତ।’ ବିଜେପି ମଧ୍ୟ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଥିଲା।

nis-ad
Leave A Reply

Your email address will not be published.