କଟକରୁ ୨୬ ଲକ୍ଷର ୫ଶହ ଟଙ୍କିଆ ନୋଟ୍ ଜବତ

କଟକ: ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି । ଏହି ଟଙ୍କା ସେ’ କେଉଁଠୁ ଆଣିଲେ ତାହାର ପ୍ରମାଣ ଦେଇନପାରିବାରୁ ପୁଲିସ ଟଙ୍କା ଜବତ କରି ଆୟକର ବିଭାଗକୁ ହସ୍ତାନ୍ତର କରିଛି । ତେବେ ଏହି ଟଙ୍କା ପଛରେ ଜିଏସ୍‌ଟି ଠକେଇ ର‌୍ୟାକେଟ୍‌ ଥାଇପାରେ ବୋଲି ପୁଲିସ ଆଶଙ୍କା କରୁଛି ।

ଗତକାଲି ସନ୍ଧ୍ୟାରେ ଦରଘାବଜାର ଥାନା ପୁଲିସ ପାଟ୍ରୋଲିଂ କଲା ବେଳେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଧରିଥିଲା । ଯୁବକଙ୍କ ବ୍ୟାଗରେ ପ୍ରାୟ ୨୬ ଲକ୍ଷ ଟଙ୍କାର ୫ଶହ ଟଙ୍କିଆ ନୋଟ୍‌ ମିଳିଥିଲା । ଯୁବକଙ୍କୁ ପଚାରିବାରୁ ସେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ରାକେଶ ଧଡ଼ା ବୋଲି କହିଥିଲେ । ସେ ଉକ୍ତ ଟଙ୍କା ୫ଶହ ଗ୍ରାମ୍‌ର ସୁନା ବିସ୍କୁଟ୍‌ ବିକ୍ରି କରିବା ପରେ ଏକ ବ୍ୟବସାୟୀଙ୍କଠାରୁ ସଂଗ୍ରହ କରି ନେଇ କୋଲକାତା ଯାଉଥିଲେ ବୋଲି କହିଥିଲେ । ଉକ୍ତ ସୁନା ବିସ୍କୁଟ୍‌କୁ ଜିଏସ୍‌ଟି ଫାଙ୍କି ବିକ୍ରି ପାଇଁ ଆଣିଥିବା ଜଣାଇଲେ । ଏପରିକି ଉକ୍ତ ବିସ୍କୁଟ୍‌କୁ ସେ ମୁଜିବର ରେହମାନ୍‌ ନାମକ ବ୍ୟକ୍ତିଙ୍କୁ ବିକିଥିବା କହିଥିଲେ ।

ତେଣୁ ପୁଲିସ ତୁରନ୍ତ ମୁଜିବର ରେହମାନ୍‌ର ବାଖରାବାଦ୍‌ରେ ଥିବା ଗହଣା ତିଆରି କାରଖାନା ଓ ଜୁମା ମସ୍‌ଜିଦ୍‌ ପାଖରେ ଥିବା ଭଡ଼ା ଘରେ ଚଢ଼ଉ କରିଥିଲା । ହେଲେ ସେଠାରୁ ସେହି ସୁନା ବିସ୍କୁଟ୍‌ ମିଳିଲା ନାହିଁ । ମୁଜିବର ରେହମାନ୍‌ର କହିବାନୁସାରେ ସେହି ବିସ୍କୁଟ୍‌କୁ ସେ ଜଣେ ଅଚିହ୍ନା ବ୍ୟବସାୟୀଙ୍କୁ ବିକ୍ରି କରିଦେଇଛନ୍ତି । ତେଣୁ ସୁନା ବିସ୍କୁଟ୍‌ ନମିଳିବାରୁ ଉକ୍ତ ଟଙ୍କା ଜିଏସ୍‌ଟି ଫାଙ୍କି ସୁନା ବିକ୍ରିର ବୋଲି ପ୍ରମାଣିତ ହୋଇ ପାରିଲା ନାହିଁ । ଶେଷରେ ପୁଲିସ ଉକ୍ତ ଟଙ୍କାର ଆୟ ସ୍ରୋତ ନ ପାଇ ତାହାକୁ ‘ଅନ୍‌କ୍ଲେମ୍‌ଡ’ ଟଙ୍କା ବୋଲି ଘୋଷଣା କରି ତୁରନ୍ତ ଆୟକର ବିଭାଗକୁ ହସ୍ତାନ୍ତର କରିଛି । ଆୟକର ବିଭାଗ ଏହାର ଅଧିତ ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.