ଜ୍ଞାନବାପୀ ମସ୍‌ଜିଦରେ ପୂଜାପାଠ ପ୍ରସଙ୍ଗ : ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଶିଷ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଗୃହବନ୍ଦୀ

ଲକ୍ଷ୍ନୌ: ଦେଶରେ ଥମୁନି ଜ୍ଞାନବାପୀ ମସଜିଦକୁ ନେଇ ଚର୍ଚ୍ଚା। ମସଜିଦ ଭିତରେ ଶିବଲିଙ୍ଗ ଥିବା କହି ହିନ୍ଦୁ ପକ୍ଷ ପୂଜା କରିବାକୁ ଅଡି ବସିଛନ୍ତି। ସେପଟେ ମୁସଲିମ ପକ୍ଷ ଏହାକୁ ବିରୋଧ ଜାରି ରାଖିଛନ୍ତି। ଦିନକୁ ଦିନ ଏହି ବିବାଦ ଘନେଇବାରେ ଲାଗିଛି। ଏହାରି ଭିତରେ ମସଜିଦ ଭିତରେ ପୂଜା ପାଠ କରିବା ଦାବିରେ ଅନଶନରେ ବସିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଶିଷ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ। ପୁଲିସ ତାଙ୍କୁ ତାଙ୍କ ମଠ ଭିତରେ ହିଁ ଗୃହବନ୍ଦୀ କରିଛି।
ବାସ୍ତବରେ, ଜ୍ଞାନବାପୀ ମସଜିଦରେ କରାଯାଇଥିବା ସର୍ଭେର ଭିଡିଓରେ ଶିବଲିଙ୍ଗ ଦେଖିବାକୁ ମିଳିଥିଲା। ଏହା ପରେ ଅଭିମୁକ୍ତେଶ୍ୱରାନନ୍ଦ ଶନିବାର ଦିନ ଜ୍ଞାନବାପୀରେ ପୂଜା କରିବାକୁ ଘୋଷଣା କରିଥିଲେ। ଏହା ପରେ ପୁଲିସ ତାଙ୍କୁ ଅନୁମତି ଦେଇନଥିଲା ଏବଂ ତାଙ୍କୁ ତାଙ୍କ ମଠ ଭିତରେ ହିଁ ନଜରବନ୍ଦୀ କରିଦେଇଥିଲା।
ନିକଟରେ ଅଭିମୁକ୍ତେଶ୍ୱରାନନ୍ଦ ଘୋଷଣା କରିଥିଲେ ଯେ ସେ ୭୧ଜଣଙ୍କ ସହ ମିଶି ଜ୍ଞାନବାପୀରେ ପହଞ୍ଚି ପୂଜା କରିବେ। ଏହା ଜାଣିବା ପରେ ବାରାଣାସୀ ପୁଲିସ ମୁକ୍ତେଶ୍ୱରାନନ୍ଦଙ୍କୁ ଜ୍ଞାନବାପୀ ଯିବାକୁ ଦେଇନଥିଲା। ଏଥି ସହିତ, ତାଙ୍କର ଘୋଷଣାକୁ ଧ୍ୟାନରେ ରଖି ଶନିବାର ସକାଳେ ବାରାଣାସୀ ପୁଲିସ ସୋନାରପୁରା ଅଞ୍ଚଳରେ ଅବସ୍ଥିତ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିଦ୍ୟା ମଠ ଦ୍ୱାରରେ ପହଞ୍ଚିଥିଲା।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟାରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଜ୍ଞାନବାପୀ ମସଜିଦରେ ପୂଜା ପାଠ କରିବାକୁ ଅନୁମତି ଦେଇନଥିଲା। ବର୍ତ୍ତମାନ ପୁଲିସ ମଠ ଚାରିପଟେ ଘେରି ରହିଛି। ମଠ ଭିତରକୁ ଏବଂ ବାହାରକୁ ଯାଉଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଇଛି। ସେପଟେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ପୁଲିସ କମିଶନରଙ୍କୁ ହ୍ୱାଟସ୍‌ଆପ ଜରିଆରେ ଅନୁମତି ପାଇଁ ଚିଠି ପଠାଇଛି। ଏହି ସମନ୍ଧରେ ମୁଁ ଲିଖିତ ଉତ୍ତର ଚାହୁଁଛି। ପୂଜା କରିବା ହେଉଛି ମୋର ଅଧିକାର। ଜ୍ଞାନବାପୀରେ ପୂଜା କରିବା ପରେ ହିଁ ମୁଁ ଭୋଜନ ଗ୍ରହଣ କରିବି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.