ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ବାଲିମେଳା : ଗତ କାଲି ଅର୍ଥାତ୍ ୧ ଜୁନ୍ ୨୦୨୨ରେ ପ୍ରଶାସନ ବାଲିମେଳା ଅଞ୍ଚଳର ବିକାଶ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିବା ନଜର ଆସିଥିଲା । ନୂତନ ହସ୍ପିଟାଲ୍ ନିର୍ମାଣ କରିବା ନିମନ୍ତେ ଘର ଭଙ୍ଗାଯିବା ନିମନ୍ତେ ପ୍ରାୟ ୧୪ ଘରକୁ ବିଗତ ଦିନରୁ ନିର୍ଦ୍ଦେଶନାମା ଜାରି କରଯାଇଥିଲା । ଯାହାକୁ ପାଥେୟ କରି ଗତକାଲି ବାସଚ୍ୟୁତ କରି ବିସ୍ଥାପନ ପ୍ରକ୍ରିୟା ୩ଟି ଘର ଭଙ୍ଗା କାର୍ଯ୍ୟରୁ ଆରମ୍ଭ ହୋଇଥିଲା । ଏଠାରେ ପ୍ରକାଶ ଥାଉ କି,ବିଗତ ଦିନରେ ଇଣ୍ଡୋର୍ ଷ୍ଟାଡିୟମ୍ ପାଇଁ ଦୁଇଟି ଘର ଭଙ୍ଗା ଯାଇଥିଲା ଏବଂ ଗତକାଲି ହସ୍ପିଟାଲ୍ ପାଇଁ ୩ଟି ଘର ଇତି ମଧ୍ୟରେ ବିକାଶ ନିମନ୍ତେ ଭଙ୍ଗା ସରିଲାଣି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ରଥଙ୍କ ଘରକୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୨.୩୦ ରେ ମରଣାନ୍ତକ ଆକ୍ରମଣ କେଉଁଠି ନା କେଉଁଠି ଜନ ଅସନ୍ତୋଷ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଏ ନେଇ ଶ୍ରୀଯୁକ୍ତ ରଥ ପ୍ରତିକ୍ରିୟା ରଖି କହିଛନ୍ତି ଯେ ତାଙ୍କ ଝିଅ ଗତ ରାତିରେ ଘରେ ପଢ଼ୁଥିବା ବେଳେ ହଠାତ୍ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ପରେ ପରେ ଘର ବାହାରେ ଧୂଆଁ ଉଠିବାର ଦେଖିବାକୁ ପାଇଲେ। ସଙ୍ଗେ ସଙ୍ଗେ ବାହାରକୁ ଆସି ପାଣି ତଥା ବାଲି ପକାଇ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇ ପାରି ଥିଲେ । ପରବର୍ତ୍ତୀ ସମୟରେ ସେ ସେଠାରେ ଛୋଟ ଛୋଟ ମୃଦୁ ପାନୀୟ ନିମନ୍ତେ ବ୍ୟବହୃତ ବୋତଲ ଗୁଡ଼ିକରେ ପେଟ୍ରୋଲ ରଖି ଆକ୍ରମଣ କରାଯାଇଥିବା ଦେଖିଥିଲେ । ସୌଭାଗ୍ୟବସତଃ ଏଭଳି ଏକ ଦୁର୍ଘଟଣାରୁ ଯଦିଓ ଶ୍ରୀ ରଥ ଏବଂ ତାଙ୍କ ପରିବାର ରକ୍ଷା ପାଇଯାଇଥିଲେ କିନ୍ତୁ ଘଟଣାକୁ ନେଇ ସାଧାରଣରେ ଏକ ପ୍ରକାରର ହଟ ଚମଟର ମହୋଲ୍ ସୃଷ୍ଟି ହୋଇଯାଇଛି । ସାମଗ୍ରିକ ଭାବେ ସମ୍ପୂର୍ଣ୍ଣ ଘଟଣାକୁ ଅନୁଧ୍ୟାନ କଲେ କିଛି ଅସମାହିତ ପ୍ରଶ୍ନ ଗୁଚ୍ଛକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେପରିକି ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଯଦିଓ ଏକ ପ୍ରଶସ୍ତ ସ୍ଥାନରେ ହସ୍ପିଟାଲ୍ ପୂର୍ବରୁ ଥିଲା ଯେଉଁଠାରେ କି ହସ୍ପିଟାଲ୍ କର୍ମଚାରୀ ମାନଙ୍କ ନିମନ୍ତେ ବିଭାଗୀୟ ସ୍ଥାୟୀ ଗୃହ ମଧ୍ଯ ରହିଥିଲା ତା’ ସତ୍ତ୍ଵେ ସେଠାରେ ସ୍ୱାସ୍ଥ୍ୟ ବିଭାଗର ଆବଶ୍ୟକୀୟ ଭିତ୍ତିଭୂମିର କୌଣସି ସୁଧାର ନ କରି ବିକାଶ ନାଆ ରେ ସାଧାରଣ ଲୋକଙ୍କୁ ବାସଚ୍ୟୁତ କରିବା ଘଟଣା, ସେପଟେ ପୁରୁଣା ମିନି ଷ୍ଟାଡିୟମ୍ ଅଦ୍ୟାବଧି ଉନ୍ମୋଚନ ମଧ୍ୟ ହୋଇ ନ ପାରି ରକ୍ଷଣା ବେକ୍ଷଣ ଅଭାବରୁ ଭଗ୍ନ ସ୍ତୁପରେ ପରିଣତ ହୋଇଯିବା ଓ ଏଭଳି ପରିପ୍ରେକ୍ଷୀରେ ଏହାର କୌଣସି ବିଧିବଦ୍ଧ ମରାମତି, ରକ୍ଷଣାବେକ୍ଷଣ ବ୍ୟବସ୍ଥା ନକରି ଲୋକଙ୍କୁ ବାସଚ୍ୟୁତ କରି ନୂତନ ଷ୍ଟାଡିୟମ୍ ତିଆରି କରିବାର ଯୋଜନା ବାସ୍ତବିକ ସରକାର ଓ ପ୍ରଶାସନକୁ ହରଡ଼ଘଣାରେ ପକାଇବାକୁ ବାଧ୍ୟ କରିଛି ।

ହଜାର ହଜାର କୋଟି ଟଙ୍କାର ରାଜସ୍ବ ବ୍ୟବହାର ହୋଇ ତିଆରି ହେଉଥିବା ସାଧାରଣ ସମ୍ପତ୍ତିର କାହିଁକି ରକ୍ଷଣା ବେକ୍ଷଣ ହେଉନି ? କାହିଁକି ପ୍ରତି ବିକାଶ ନିମନ୍ତେ କିଛି ନା କିଛି ସାଧାରଣ ଜନତାଙ୍କୁ ନିଜର ସ୍ୱାର୍ଥକୁ ବଳି ଦେବାକୁ ପଡୁଛି ? କାହିଁକି ଭିତ୍ତିଭୂମିର ସୁଧାର କରିବା ନିମନ୍ତେ ଆବଶ୍ୟକୀୟ ସମାଧାନର ଦିଗ ବାହାର କରାଯାଉ ନାହିଁ ? ନା ସରକାରୀ ଦଳ,ନା କେଉଁ ପ୍ରଶାସନିକ ବାବୁ, ନା କିଛି ଗୋଷ୍ଠୀ,ନା କିଛି ବର୍ଗ ନିଜର ଲାଭ ଲୋଭ ଚରିତାର୍ଥ କରିବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ନ କରି କେବଳ ଓ କେବଳ ନୂତନ ନିର୍ମାଣ ଉପରେ ଗୁରୁତ୍ଵ ଦେଉଛନ୍ତି ଏଥି ପାଇଁ ଯେ ସେଠାରୁ କିଛି ମୋଟା ଅଙ୍କର ଅର୍ଥ ବାଟମାରଣା କରିପାରିବେ !! ସର୍ବୋପରି ଆଜି ସମୟରେ “ବିକାଶ” ଶବ୍ଦର ପରିଭାଷା ଏଭଳି କିଛି ପରିବର୍ତ୍ତନ କରି ଦିଆଯାଇଛି ଯେପରି କି ବିକାଶ ଅର୍ଥାତ୍ କିଛି ନା କିଛି ନିରୀହ ଜନସାଧାରଣଙ୍କ ଆତ୍ମୋତ୍ସର୍ଗକୁ ହିଁ ବୁଝାଉଛି ଯାହା ବୋଧ ହୁଏ ଜନ ଆକ୍ରୋଶକୁ ଅଯାଚିତ ଭାବେ ଜନ୍ମ ଦେଉଛି ଏବଂ ସେହି ଆକ୍ରୋଶ କାରଣରୁ ପ୍ରଥମ ଥର ପାଇଁ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଭଳି ଏକ ନିନ୍ଦନୀୟ ଘଟଣା ସଂଗଠିତ ହୋଇଥାଇପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ଓ ପର୍ଯ୍ୟାଲୋଚାନା ଚାଲିଛି । ଦେଖିବାକୁ ବାକି ରହିଲା ଆଜି ଘଟଣା ପରେ ସରକାର ଏବଂ ପ୍ରଶାସନର କିଭଳି ପ୍ରତିକ୍ରିୟା ରହିବ ଯାହାକି ବାସ୍ତବିକ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାକୁ ବିକଶିତ କରିବାରେ ସହାୟକ ହେବ ।

nis-ad
Leave A Reply

Your email address will not be published.