ସୁନ୍ଦରଗଡ଼ : ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ର ସମନ୍ଵୟ ବୈଠକ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ


ସୁନ୍ଦରଗଡ଼ : ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ଆନୁକୁଲ୍ୟରେ ଗତ କାଲି ସ୍ଥାନୀୟ ମାଦ୍ରୀ କାଲୋ ଭବନ ଠାରେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ସମନ୍ଵୟ ବୈଠକରେ ଫାଇନାନ୍ସ କମ୍ପାନୀ ଅଧିକାରୀ,ସ୍ଥାନୀୟ ସାମ୍ବାଦିକ, ପ୍ରାକ୍ତନ ଓ ବର୍ତ୍ତମାନ ଟ୍ରକ୍ ମାଲିକ ତଥା ସଂଘର ସଦସ୍ୟ ଉପସ୍ଥିତ ଥିଲେ। ସଂଘର ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ ପରିଡ଼ା ତାଙ୍କ ବକ୍ତବ୍ୟରେ ସଂଘର ଉତ୍ପତ୍ତି ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସଂଘର ସାମାଜିକ କଲ୍ୟାଣ କାର୍ଯ୍ୟ ଗୁଡ଼ିକ ଉପରେ ସେ ସୂଚନା ଦେବା ସହିତ କିଭଳି ସମସ୍ତଙ୍କ ମଧ୍ୟରେ ସମନ୍ଵୟ ରହି ପାରିବ ସେ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ସଂଘ ସୁନ୍ଦରଗଡର ଉନ୍ନତି ଓ ସେବା ପାଇଁ ସର୍ବଦା ନିଜକୁ ଆଗକୁ ରଖିବ ବୋଲି ଶ୍ରୀ ପରିଡ଼ା ପ୍ରକାଶ କରିଥିଲେ।ଜେ.ଜେ.ଟି.ଏ ଅଧ୍ୟକ୍ଷ ସଞ୍ଜୟ ନନ୍ଦ ତାଙ୍କ ବକ୍ତବ୍ୟରେ ପୁଙ୍ଖାନୁପୁଙ୍ଖ ଭାବରେ ୬ ଚକ ଗାଡ଼ି ଏବଂ ୧୮ ଚକ ଗାଡ଼ି ଚାଲିବାରେ ଟ୍ରକ୍ ମାଲିକର ଆୟର ବ୍ୟବଧାନ ବିଷୟରେ ତଥ୍ୟଭିତ୍ତିକ ଆକଳନ କରିଥିଲେ ଏବଂ ପ୍ରମାଣ ସହିତ ଦର୍ଶାଇଥିଲେ ଛଅ ଚକ ଗାଡ଼ି ତୁଳନାରେ କିପରି ୧୮ ଚକ ଗାଡ଼ି ଅଧିକ ଲାଭ ପ୍ରଦାନ କରୁଛି ।ଆଗରୁ ୨୪୦୦ ଗାଡ଼ି ଚାଲୁଥିଲା ବେଳେ ବର୍ତ୍ତମାନ ୩୫୦୦ ରୁ ଊର୍ଦ୍ଧ୍ବ ଗାଡ଼ି ଚାଲୁଛି ଏବଂ ଏହା ଦ୍ଵାରା ଟ୍ରକ୍ ମାଲିକ ପ୍ରତି ଗାଡ଼ି ପିଛା ୧ ଲକ୍ଷରୁ ଅଧିକ ଆୟ ପାଉଥିବା ସେ ପ୍ରକାଶ କରିଥିଲେ। ଛଅ ଚକ ସମୟରେ ଯେତିକି ଗାଡ଼ି ମାଲିକ ଥିଲେ ଏବେ ତାହା ଅପେକ୍ଷା ବେଶୀ ମାଲିକ ଏହି ବ୍ୟବସାୟରେ ସାମିଲ ଅଛନ୍ତି। ଏଣୁ ଛଅ ଚକ ଗାଡ଼ି ବନ୍ଦ ହେବା ଦ୍ବାରା ସୁନ୍ଦରଗଡର ଅର୍ଥନୈତିକ ମାନଦଣ୍ଡ ଉପରେ ପ୍ରତିକୂଳ ପ୍ରଭାବ ପଡିବା ବିଷୟକୁ ଏକ ବିଭ୍ରାନ୍ତ ସୃଷ୍ଟିକାରୀ କଥା ବୋଲି କହିଥିଲେ । ଏହି ଅଯଥା ଭ୍ରାନ୍ତ ଧାରଣାରେ ନ ପଡ଼ିବା ପାଇଁ ସେ ଗାଡ଼ି ମାଲିକ ତଥା ସାମ୍ବାଦିକମାନଙ୍କୁ ନିବେଦନ କରିଥିଲେ।ଅଧ୍ୟକ୍ଷ ଶ୍ରୀ ନନ୍ଦ ୧୪ ଚକ ଗାଡ଼ି ମାଲିକମାନଙ୍କ ସମସ୍ୟାକୁ ଅତ୍ୟନ୍ତ ଗମ୍ଭୀରତା ସହିତ ନେଇ ସେମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଧ୍ୟାନ ଦେଇ ସେମାନଙ୍କ ପାଇଁ ବିଶେଷ ଘୋଷଣା କରିଥିଲେ। ଏହି ଘୋଷଣା ଅନୁସାରେ ୧୪ ଚକ ଗାଡ଼ି ସମସ୍ତ କାରଖାନାକୁ ଜୁନ୍ ପହିଲାରୁ କୋଇଲା ପରିବହନ କରି ପାରିବେ । ଗାଡ଼ି ମାଲିକ କିଭଳି ବେଶୀ ଖେପରେ ଅଧିକ ମାଲ୍ ପରିବହନ କରି ଅଧିକ ରୋଜଗାର କରିବେ ସେଥି ପାଇଁ ସେ ନିଜେ ପ୍ରତିଜ୍ଞାବଦ୍ଧ ବୋଲି ପ୍ରକାଶ କରିଥିଲେ। ତାଙ୍କ ବକ୍ତବ୍ୟରେ ଶ୍ରୀ ନନ୍ଦ ଏମ୍.ସି.ଏଲ୍ ସାଧାରଣ ପ୍ରବନ୍ଧକ ଓ ମୁଖ୍ୟ ପ୍ରବନ୍ଧକଙ୍କୁ ରାସ୍ତା ମାଧ୍ୟମରେ କିଭଳି କୋଇଲା ପରିବହନ ବେଶୀ ମାତ୍ରାରେ ହେବ, ସେଥିପାଇଁ ଅନୁରୋଧ କରିବା ବିଷୟରେ ଆଲୋକପାତ କରିଥିଲେ। ତତ୍ ସହିତ ଆଗାମୀ ଦିନରେ ନୂଆ ଖଣି କାର୍ଯ୍ୟକ୍ଷମ ହେଲେ ନୂଆ ଗାଡ଼ି ଆଣିବାକୁ ସଂଘ ସମ୍ମତି ପ୍ରଦାନ କରିବା ସମୟରେ ପୁରାତନ ମାଲିକ ତଥା ଛଅ ଚକ ଗାଡ଼ି ମାଲିକମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଅଧ୍ୟକ୍ଷ ନନ୍ଦ ଘୋଷଣା କରିଥିଲେ। ଆସନ୍ତା ଦିନମାନଙ୍କରେ ଗାଡ଼ି ଗୁଡ଼ିକ କିପରି ସୁରୁଖୁରୁରେ ବିନା ବାଧାରେ ଚାଲି ପାରିବ ଓ ଭଡା ଠିକ୍ ସମୟରେ ମିଳିବ ତାର ଉଚିତ୍ ପ୍ରବନ୍ଧନର ଏକ ଦୃଢ଼ ପ୍ରତିଶ୍ରୁତି ସେ ସଭାକୁ ଦେଇଥିଲେ। ଟ୍ରକ୍ ଚାଳକଙ୍କ ବିଶ୍ରାମ ତଥା କ୍ଳାନ୍ତ ଉପଶମ ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ଭେଡାବାହାଲ- ଟୋଲ୍ ଗେଟ୍ ନିକଟରେ ଓ ଏମ.ସି. ଏଲ୍ ପାଖରେ ଟ୍ରକ୍ ଟର୍ମିନାଲ ପାଇଁ ସ୍ଥାପନ ପାଇଁ ଅନୁରୋଧ କରିଥିବା ସୂଚିତ କରିଥିଲେ। ଟ୍ରକ୍ ଗୁଡ଼ିକ ଠିକ୍ ଭାବେ ରାସ୍ତାରେ ଯାତାୟାତ କରିବା ସହିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଖଣି ଠାରୁ ସୁନ୍ଦରଗଡ଼ ଯାଏଁ ସୁରକ୍ଷାକର୍ମୀ ନିୟୋଜିତ ହେବା ବିଷୟରେ ସେ ମତବ୍ୟକ୍ତ କରିଥିଲେ।


ସମାଜ ସେବା କାର୍ଯ୍ୟରେ ସଂଘ କୋଭିଡ ସମୟରୁ ତତ୍ପର ଥିବା ସହିତ ବର୍ତ୍ତମାନ ସମୟରେ ଲୋକାର୍ପଣ ଉତ୍ସବ ପରେ ଗୋଟିଏ ମାସ ମଧ୍ୟରେ ତାହାର ଉପଯୋଗିତା ଉପରେ ତଥ୍ୟ ପ୍ରଦାନ କରିଥିଲେ।ପ୍ରକାଶ ଯୋଗ୍ୟ ଯେ ସୁନ୍ଦରଗଡର ଜଗନ୍ନାଥ ମନ୍ଦିର ପରିସରରେ ନବ ନିର୍ମିତ ଲକ୍ଷ୍ମୀ ମନ୍ଦିର ପାଇଁ ଜେ.ଜେ.ଟି.ଏ ୧ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରିବା ସହିତ ଅନ୍ୟାନ୍ୟ ପୂଜା ପାର୍ବଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଖେଳକୁଦ କ୍ଷେତ୍ରରେ ସହଯୋଗ କରି ଆସୁଅଛି।ତାଙ୍କ ବକ୍ତବ୍ୟରେ ଶ୍ରୀ ନନ୍ଦ ଫାଇନାନ୍ସ କମ୍ପାନୀ ଅଧିକାରୀ ମାନଙ୍କୁ କିସ୍ତି ପରିଶୋଧ ପାଇଁ କୋହଳ ମନୋଭାବ ପୋଷଣ କରିବା ପାଇଁ ଅନୁରୋଧ କରିଥିଲେ। ବକ୍ତବ୍ୟ ଶେଷରେ ସେ ସୁନ୍ଦରଗଡର ଟ୍ରକ୍ ମାଲିକ ମାନଙ୍କ ଆର୍ଥିକ ମାନଦଣ୍ଡରେ ଅଭିବୃଦ୍ଧି କରିବା ସହିତ ସମାଜ ସେବା କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସୁନ୍ଦରଗଡ଼କୁ ଆହୁରି ସୁନ୍ଦର କରି ଗଢି ତୋଳିବା ପାଇଁ ପ୍ରତିଜ୍ଞା କରିବା ସହିତ ସମାଜ ସେବାରେ ସଂଘକୁ ବ୍ରତୀ କରାଇବା ପ୍ରକାଶ କରିଥିଲେ। ଏହା ବ୍ୟତୀତ ସେ ସାମ୍ବାଦିକମାନଙ୍କୁ ତଥ୍ୟଭିତ୍ତିକ ଓ ସକାରାତ୍ମକ ଖବର ପରିବେଷଣ କରିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀ ନନ୍ଦଙ୍କ ଅନୁରୋଧ ରକ୍ଷା କରି ଫାଇନାନ୍ସ କମ୍ପାନୀର ଅଧିକାରୀ ମଧ୍ୟ କିସ୍ତି ପରିଶୋଧ ସମୟରେ କୋହଳ ମନୋଭାବ ପୋଷଣ କରିବାର ପ୍ରତିଶ୍ରୁତି ମଞ୍ଚ ଉପରୁ ପ୍ରଦାନ କରିଥିଲେ। ଜେ.ଜେ.ଟି.ଏ ଆସନ୍ତା ରଥଯାତ୍ରା ଦିନରୁ ନିଜର ସଦସ୍ୟତା ଗ୍ରହଣ ଆରମ୍ଭ କରିବା ସହିତ ସଂଘର ସଦସ୍ୟଙ୍କ ପାଇଁ ସଂଘ ପକ୍ଷରୁ ୧୦ ଲକ୍ଷ ଟଙ୍କାର ବୀମା କରାଯିବାର ସୂଚନା ସଂଘର ଅଧ୍ୟକ୍ଷ ସଞ୍ଜୟ ନନ୍ଦ ପ୍ରଦାନ କରିଥିଲେ। ସଂଘର ବରିଷ୍ଠ ସଦସ୍ୟ ରତନ ଷଡ଼ଙ୍ଗୀ, ମନୋରଞ୍ଜନ ବହିଦାର, ହାଜି ଅବଦୁଲ ସଇଦ,ଶରତ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବିଶ୍ୱରଂଜନ ହୋତା ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.