ଘୋଡ଼ା ବେପାର ଭୟ, ବିଧାୟକଙ୍କୁ ହୋଟେଲ ପଠାଇଲା କଂଗ୍ରେସ

ଜୟପୁର: କର୍ଣ୍ଣାଟକ ଓ ମହାରାଷ୍ଟ୍ର ପରେ ରାଜସ୍ଥାନ। ପୁଣି ଆରମ୍ଭ ହେଲା ହୋଟେଲ ପଲିଟିକ୍ସ। କଂଗ୍ରେସକୁ ଘାରିଲାଣି ଘୋଡା ବେପାର ଭୟ। କାଳେ ବିଧାୟକ ଦଳ ଡେଇଁବେ, ସେଥିପାଇଁ ସତର୍କ ହୋଇଯାଇଛି କଂଗ୍ରେସ। ରାଜ୍ୟସଭା ନିର୍ବାଚନ ନାମାଙ୍କନ ଯାଏଁ ସମସ୍ତ ବିଧାୟକଙ୍କୁ ବିଜେପି ନଜରରୁ ଲୁଚାଇ ରଖିବାକୁ ଚାଲିଛି ପ୍ରସ୍ତୁତି। ବୁକ୍‌ ହୋଇଛି ଫାଇଭ ଷ୍ଟାର୍‌ ହୋଟେଲ। ଯେଉଁଠି ସୁରକ୍ଷାକର୍ମୀଙ୍କ ୨୪ ଘଣ୍ଟିଆ ନଜରରେ ରହିବେ ବିଧାୟକ।
ଆସନ୍ତା ୧୦ରେ ହେବ ରାଜସ୍ଥାନ ରାଜ୍ୟସଭା ନିର୍ବାଚନ। ଖାଲି ପଡିଥିବା ୪ଟି ସିଟ୍‌ ପାଇଁ ହେବ ଭୋଟ। ହେଲେ ଏଯାଏ ତା’ର ସମସ୍ତ କାର୍ଡ ଖୋଲିନି ବିଜେପି। ଆଉ କାହାକୁ ସଂସଦର ଉଚ୍ଚ ସିଦନକୁ ଦଳ ପଠାଇବ ସେନେଇ ଏବେବି ସସ୍‌ପେନ୍ସ ଜାରି ରହିଛି। ହେଲେ କଂଗ୍ରେସ ଶିବିରରେ ଛନକା ପସିଛି। କାଳେ ବିଜେପି ତା’ର ପ୍ରାର୍ଥୀଙ୍କୁ ନିଜ ସମର୍ଥନରେ ଟାଣି ନେବ ସେଥିପାଇଁ ଆଗୁଆ ଡିଫେନ୍ସ ମୁଡରେ ରହିଛି କଂଗ୍ରେସ।
ମିଡିଆ ରିପୋର୍ଟ ଅନୁସାରେ ରାଜସ୍ଥାନ କଂଗ୍ରେସ ନିଜର ସମସ୍ତ ବିଧାୟକଙ୍କୁ ଉଦୟପୁରର ଏକ ହୋଟେଲକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ଦଳର ସବୁ ବିଧାୟକଙ୍କୁ ଉଦୟପୁର ପହଞ୍ଚିବା ପାଇଁ କୁହାଯାଇଛି। କଂଗ୍ରେସ ବିଧାୟକଙ୍କ ବ୍ୟତୀତ ନିର୍ଦ୍ଦଳୀୟ ବିଧାୟକ ଓ ଅନ୍ୟ ଦଳ ଯିଏ ଶାସକ ଦଳକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ମଧ୍ୟ ଉଦାୟପୁର ପଠାଇ ଦିଆଯିବା। କଂଗ୍ରେସ ସୂତ୍ରରୁ ପ୍ରକାଶ, କିଛି ବିଧାୟକ ଗତକାଲି ଉଦୟପୁରରେ ପହଞ୍ଚିସାରିଥିବା ବେଳେ ଆଉ କିଛି ଆଜି ଯିବେ। ଗତ ମାସରେ କଂଗ୍ରେସର ଚିନ୍ତନ ଶିବିର ଯେଉଁ ହୋଟେଲରେ ଆୟୋଜିତ ହୋଇଥିଲା ସେହି ହୋଟେଲରେ ହିଁ ଏହି ବିଧାୟକମାନେ ରହିବେ। ଏଥିପାଇଁ ପୂରା ହୋଟେଲ ବୁକ୍‌ ସରିଛି।
ରାଜସ୍ଥାନର ୪ଟି ରାଜ୍ୟସଭା ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିରୁ କଂଗ୍ରେସର ୩ଜଣ ପ୍ରାର୍ଥୀ ଥିବା ବେଳେ ବିଜେପିର ଜଣେ ଓ ଆଉ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଅଛନ୍ତି। କଂଗ୍ରେସ ପକ୍ଷରୁ ମୁକୁଲ ବାସନିକ, ପ୍ରମୋଦ ତିୱାରୀ ଓ ରଣଦୀପ ସିଂହ ସୂର୍ଯ୍ୟେୱାଲା ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେପି ପୂର୍ବତନ ମନ୍ତ୍ରୀ ଘନଶ୍ୟାମ ତିୱାରୀଙ୍କୁ ପ୍ରାର୍ଥୀ କରିଛି। ନିର୍ଦ୍ଦଳୀୟ ଭାବେ ମିଡିଆ କର୍ମଚାରୀ ସୁଭାଷ ଚନ୍ଦ୍ରା ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ବୁଧବାର ବିଜେପି ସମର୍ଥନ ଜଣାଇଛି। ଏହାପରେ ଭୟଭୀତ ହୋଇପଡିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବିଜେପି ଖେଳ କରୁଥିବା କହି ମୋଦିଙ୍କୁ ଟାର୍ଗେଟ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ, ରାଜସ୍ଥାନର ୨୦୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ନିଜର ୧୦୮ ବିଧାୟକଙ୍କ ସହ ରାଜ୍ୟସଭାର ଦୁଇଟି ଆସନ ଏବଂ ବିଜେପି ତା’ର ୭୧ ବିଧାୟକଙ୍କ ସହ ଗୋଟିଏ ଆସନରେ ବେଶ୍‌ ସହଜରେ ଜିତି ପାରିବ। ରାଜ୍ୟସଭାରେ ଜଣେ ପ୍ରାର୍ଥୀ ଜିତିବା ପାଇଁ ୪୧ ଭୋଟ ଆବଶ୍ୟକ। ତେଣୁ ସରକାରର ସମର୍ଥନ କରୁଥିବା ଅନ୍ୟ ଦଳର ବିଧାୟକ ତଥା ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନରେ ରାଜ୍ୟସଭାର ତିନୋଟି ଆସନ ନିଜ ଅକ୍ତିଆରକୁ ଆଣିବ ବୋଲି କଂଗ୍ରେସ ଅଶା କରୁଛି।

nis-ad
Leave A Reply

Your email address will not be published.