ପାକିସ୍ତାନ ସେନାର ଗୁମର ଖୋଲିଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନର ନିର୍ବାଚିତ ସରକାରଙ୍କ ଉପରେ ଦେଶର ସେନା କେଉଁଭଳି ଭାବେ ହୁକୁମାତି ଚଳାଏ, ତା’ର ଗୁମର ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ପାକିସ୍ତାନ ଆର୍ମି ଉପରେ ମନଇଚ୍ଛା ବର୍ଷିଛନ୍ତି। ଏଥିସହ ତାଙ୍କ ସରକାର ଦୁର୍ବଳ ଥିଲା ଓ ସବୁବେଳେ ତାଙ୍କୁ ବ୍ଲାକମେଲ କରାଯାଉଥିବା କଥା ମଧ୍ୟ ଇମ୍ରାନ ସ୍ୱୀକାର କରିଛନ୍ତି।
ଏପ୍ରିଲ ମାସରେ ଇମ୍ରାନ ଖାନଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। ସେ ଏହା ପଛରେ ‌ଆମେରିକାର ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଥିଲେ। ପାକିସ୍ତାନ ସରକାର ରୁଷ, ଚେନ୍ନାଇ ଓ ଆଫଗାନିସ୍ତାନ ସହ ସ୍ୱାଧୀନ ବିଦେଶ ନୀତି ସହ କାମ କରିବାରୁ ଆମେରିକା ଏଥିରେ କ୍ଷୁବ୍ଧ ହୋଇଥିଲା। ଏଥିପାଇଁ ୱାଶିଂଟନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିବା ଇମ୍ରାନ କହିଥିଲେ।
କିନ୍ତୁ ଏବେ ସେ ପ୍ରଥମଥର ପାଇଁ ପାକିସ୍ତାନ ସରକାର ଉପରେ ସେନାର ଦବଦବା ସମ୍ପର୍କରେ ମୁହଁ ଖୋଲିଛନ୍ତି। ପାକିସ୍ତାନର ଗୋଟିଏ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଇମ୍ରାନ ଖାନଙ୍କୁ ଅନାସ୍ଥା ପ୍ରସ୍ତାବ ପଛର କାରଣ ଓ ଦେଶର ସ୍ଥିତି ସମ୍ପର୍କରେ ପଚରାଯାଇଥିଲା। ଏହି ସମୟରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ କହିଛନ୍ତି ଯେ “କ୍ଷମତାକୁ ଆସିବା ସମୟରେ ହିଁ ଆମ ଦଳ ଦୁର୍ବଳ ଥିଲା। ତେଣୁ ମେଣ୍ଟ ସରକାର ଗଠନ କରିବାକୁ ପିଟିଆଇ ବାଧ୍ୟ ହୋଇଥିଲା। ଆମ ହାତ ବାନ୍ଧି ଦିଆଯାଇଥିଲା। ଚାରିଆଡ଼ୁ ଆମକୁ ବ୍ଲାକମେଲ କରାଯାଉଥିଲା। କ୍ଷମତା ପାଖରେ ନଥିଲା। ସମସ୍ତେ ଜାଣିଛନ୍ତି ପାକିସ୍ତାନରେ କ୍ଷମତା କାହା ପାଖରେ ଥାଏ। ତେଣୁ ଆମକୁ ମଧ୍ୟ ସେମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଲା।”
ଇମ୍ରାନ ଆର୍ମିର ନାଁ ନେଇ ନାହାନ୍ତି। କିନ୍ତୁ ପରୋକ୍ଷରେ ସେ ଆର୍ମି ଆଡ଼କୁ ଇଙ୍ଗିତ କରିଛନ୍ତି। ଏଥିସହ ଆଗାମୀ ଦିନରେ ମେଣ୍ଟ ସରକାରର ସ୍ଥିତି ଆସିଲେ, ସେ ପୁଣି ନିର୍ବାଚନର ସମ୍ମୁଖୀନ ହେବାକୁ ଚାହିଁବେ ବୋଲି କହିଛନ୍ତି।
୨୦୧୮ରେ ଇମ୍ରାନ ଖାନ କ୍ଷମତାକୁ ଆସିଥିଲେ। ସେତେବେଳେ ପାକ୍‌ ଆର୍ମି ତାଙ୍କୁ ସମର୍ଥନ କରିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବାକୁ ପଡ଼ିଛି। ସେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ଗାଦିଚ୍ୟୁତ ହେବାର ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି। ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଶହବାଜ ଶରିଫ ଶାସନ ଗାଦିରେ ବସିଛନ୍ତି।
ଇମ୍ରାନ ଆହୁରି କହିଛନ୍ତି, ଗୋଟିଏ ଦେଶ ପାଇଁ ଶକ୍ତିଶାଳୀ ଆର୍ମି ରହିବା ଜରୁରୀ। କାରଣ ଶତ୍ରୁ ପକ୍ଷରୁ ବିପଦର ଭୟ ରହିଛି। କିନ୍ତୁ ଶକ୍ତିଶାଳୀ ଆର୍ମି ଓ ଶକ୍ତିଶାଳୀ ସରକାର ମଧ୍ୟରେ ଗୋଟିଏ ବାଲାନ୍ସ ରହିବା ମଧ୍ୟ ଆବଶ୍ୟକ। ଆମେ ସେମାନଙ୍କ ଉପରେ ସବୁବେଳେ ନିର୍ଭର କରୁଥିଲୁ। ସେମାନେ ଅନେକ କିଛି ଭଲ କାମ କରିଛନ୍ତି। ହେଲେ ସେମାନେ ଏମିତି ଅନେକ କାମ କରିଛନ୍ତି, ଯାହା ସେମାନଙ୍କୁ କରିବାର ନଥିଲା। ସେମାନଙ୍କ ପାଖରେ କ୍ଷମତା ରହିଛି। କାରଣ ସେମାନେ ଏନଏବି ଭଳି ସଂସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି। ଏହା ଆମ ନିୟନ୍ତ୍ରଣରେ ନାହିଁ। ସରକାର ସବୁ ପ୍ରସଙ୍ଗରେ ଉତ୍ତରଦାୟୀ ରହୁଥିବା ବେଳେ ତାଙ୍କ ପାଖରେ କ୍ଷମତା ଓ ଅଧିକାର ନଥିଲା। ଗୋଟିଏ ବ୍ୟବସ୍ଥା ସେତେବେଳେ କାର୍ଯ୍ୟ କରେ ଯେତେବେଳେ କ୍ଷମତା ଓ ଅଧିକାର ରହିଥାଏ। କେବଳ ଦାୟିତ୍ୱ ମିଳିଗଲେ କିଛି ବି ଲାଭ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ଦେଶରେ ସୃଷ୍ଟି ହୋଇଥିବା ରାଜନୀତିକ ପରିସ୍ଥିତି ଦେଶ ଓ ଦେଶର ପ୍ରତିଷ୍ଠାନଗୁଡ଼ିକ ପାଇଁ ବିପଦ ଆଣିପାରେ ବୋଲି ମଧ୍ୟ ଇମ୍ରାନ ଖାନ ଆଶାଙ୍କା କରିଛନ୍ତି।

nis-ad
Leave A Reply

Your email address will not be published.