ରଥଯାତ୍ରା ପାଇଁ ଶେଷ ହେଲା ଦ୍ବିତୀୟ ସମନ୍ୱୟ ବୈଠକ

ପୁରୀ : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ହୋଇଛି ଦ୍ବିତୀୟ ସମନ୍ୱୟ ବୈଠକ। ପୁରୀ ଟାଉନ ହଲରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ରଥଯାତ୍ରା ସମୟରେ ଭକ୍ତଙ୍କ ଯେପରି କିଛି ଅସୁବିଧା ନହେବ, ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ନିଷ୍ପତ୍ତି ଅନୁଯାୟୀ, ପୁରୀରେ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା କରାଯିବ । କେବଳ ରଥଯାତ୍ରା ପାଇଁ ନୁହେଁ, ବର୍ଷସାରା ମିଳିବ ୨୪ ଘଣ୍ଟିଆ ପାନୀୟ ଜଳ । ଜଳଯୋଗାଣ ଅଭିଯୋଗ ଉପରେ ରାଜ୍ୟ ସ୍ତରୀୟ ଅଧିକାରୀ ନିରୀକ୍ଷଣ କରିବେ । ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

ରଥଯାତ୍ରା ସମୟରେ ପ୍ରତ୍ୟେକ ଦିନ ପୁରୀକୁ ୪୦ରୁ ଅଧିକ ଟ୍ରେନ ଚାଲିବ । ସ୍ୱାସ୍ଥ୍ୟସେବା ପାଇଁ ରହିବେ ଶତାଧିକ ବିଶେଷଜ୍ଞ ଡାକ୍ତର । ବୈଠକରେ ଭକ୍ତଙ୍କ ରହଣୀ, ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଓ ନୀତି କାନ୍ତି ଉପରେ ଆଲୋଚନା ହୋଇଛି। ଗତ ସପ୍ତାହରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ସହରର ପରିମଳ ବ୍ୟବସ୍ଥା ଉପରେ ଉଦବେଗ ପ୍ରକାଶ ପାଇଥିଲା।

ସେହିପରି ରାସ୍ତାଘାଟ, ମେଡିକାଲରେ ଖାଲି ପଡିଥିବା ଡାକ୍ତରୀ ପଦ ପୂରଣ ପାଇଁ ଦାବି ହୋଇଥିଲା। ଆଜିର ବୈଠକରେ ବିଭିନ୍ନ ବିଭାଗ, ବିଧାୟକ, ଜିଲ୍ଲାପାଳ, ଏସପି, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.