ସୁନ୍ଦରଗଡ଼ ଜିଲ୍ଲାରେ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଆୟୋଜିତ

ସୁନ୍ଦରଗଡ଼ (୨୮/୦୫) : ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ଓ ପୌରାଞ୍ଚଳ ସ୍ତରରେ କ୍ରୀଡ଼ା ପ୍ରତିଭାମାନଙ୍କର ମନୋନୟନ ପ୍ରକ୍ରିୟା ଶେଷ ହୋଇଛି। ଏହି ପ୍ରକ୍ରିୟା ମେ’ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ହକିର ଗଡ଼ ସୁନ୍ଦରଗଡ଼ରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେଇ ଭବିଷ୍ୟତରେ ଜିଲ୍ଲାରୁ ଅଧିକ ସଂଖ୍ୟାରେ କ୍ରୀଡ଼ା ତାରକା ସୃଷ୍ଟି କରିବାରେ ବିଶେଷ ସହାୟକ ହେବ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୩,୩୫୨ ଛାତ୍ରଛାତ୍ରୀ ଅନଲାଇନ୍‌ରେ ନାମ ପଞ୍ଜୀକରଣ କରିଥିଲେ। ଯେଉଁମାନେ ଅନ୍‌ଲାଇନ୍ ପଞ୍ଜୀକରଣ କରିପାରି ନଥିଲେ, ସେମାନେ ଅନ୍ ସ୍ପଟ୍ ପଞ୍ଜୀକରଣ କରି କ୍ରୀଡ଼ା ପ୍ରତିଭା ମନୋନୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

“ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମିର ବିକାଶ କରିବା ସହିତ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ ଭଳି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ଲାଗି ମଧ୍ୟ ବ୍ୟାପକ ସୁଯୋଗ ଦେଉଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି। ସେମାନେ ଆଗ୍ରହର ସହ ଏଥିରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଆଣିଦେବ”, କହିଛନ୍ତି ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ ତରାଇ। ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଜରିଆରେ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ ସମେତ ରାଉରକେଲା ଓ ବୀରମିତ୍ରପୁର ପୌରାଞ୍ଚଳରେ ସେଣ୍ଟର କରାଯାଇ କ୍ରୀଡ଼ା ପ୍ରତିଭା ଚିହ୍ନଟ ପ୍ରକ୍ରିୟା ଚାଲିଥିଲା। ପ୍ରଥମେ ବାଳକ ବାଳିକାମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ସହ ଉଚ୍ଚତା ଏବଂ ଓଜନ ମାପ କରାଯାଇଥିଲା। ଏହାପରେ ସେମାନଙ୍କର ୩୦ ମିଟର ଦୌଡ଼ ଓ ଷ୍ଟାଣ୍ଡିଂ ବ୍ରଡ୍ ଜମ୍ପ ପରୀକ୍ଷା ନିଆଯାଇଥିଲା।

ବ୍ଲକ୍ ଓ ପୌରାଞ୍ଚଳ ସ୍ତରରୁ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ପରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ସେଠାରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେଇ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ, ସେମାନଙ୍କୁ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ରଖାଯାଇ ପ୍ରଶିକ୍ଷଣ ଦିଆଯିବ। ସେଠାରେ ତୀରନ୍ଦାଜୀ, ଦୌଡ଼କୁଦ, ସାଇକେଲ ଚାଳନା, ବାସ୍କେଟବଲ, ଫୁଟବଲ, ଜିମ୍ନାଷ୍ଟିକ, ହକି, ଜୁଡୋ, କବାଡି, ଖୋଖୋ, ଭଲିବଲ ଏବଂ କୁସ୍ତି ଭଳି ୧୨ଟି ଶୃଙ୍ଖଳାରେ ତାଲିମ ପ୍ରଦାନ କରାଯିବ। ଫଳରେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ କ୍ରୀଡ଼ାବିତ୍ ଭାବେ ଗଢ଼ିବାର ସୁଯୋଗ ପାଇବେ।

ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ ତରାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମେ’ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଚାଲିଥିଲା। ସୁନ୍ଦରଗଡ଼ ଓ ପାନପୋଷ ସ୍ଥିତ କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକମାନେ ପ୍ରତିଦିନ ବିଭିନ୍ନ ବ୍ଲକକୁ ଗସ୍ତ କରି ଏହି କାର୍ଯ୍ୟକ୍ରମର ମନିଟରିଂ କରୁଥିଲେ। ବିଭିନ୍ନ ବ୍ଲକରେ ଥିବା ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କ୍ରିନିଂ ଦାୟିତ୍ୱ ତୁଲାଇଥିଲେ।

nis-ad
Leave A Reply

Your email address will not be published.