ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ କ୍ଲିନଚିଟ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଡ୍ରଗ୍ସ କେସ୍‌ରେ ଫସିଥିବା ଆର୍ଯ୍ୟନଙ୍କୁ ଶେଷରେ ଏନସିବି କ୍ଲିନଚିଟ୍‌ ଦେଇଛି। ଅର୍ଥାତ ଡ୍ରଗ୍ସ କେସ୍‌ରେ ତାଙ୍କର କୌଣସି ଭୂମିକା ନାହିଁ ଓ ସେ ସଂପୂର୍ଣ୍ଣ ଦୋଷମୁକ୍ତ ହୋଇଛନ୍ତି।
ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନସିବି ପକ୍ଷରୁ ଘଟଣାର ତଦନ୍ତି କରି ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହି ଚୂଡ଼ାନ୍ତ ଚାର୍ଜଶିଟ୍‌ରେ ଆର୍ଯ୍ୟନଙ୍କ ସମେତ ମୋଟ ୬ ଜଣଙ୍କ ନାଁକୁ ବାଦ ଦିଆଯାଇଛି। ଗତବର୍ଷ ମୁମ୍ବାଇ କ୍ରୁଜ ପାର୍ଟିରେ ଡ୍ରଗ୍ସ ସେବନ କରିବା ଅଭିଯୋଗରେ ଏନସିବି ଆର୍ଯ୍ୟନ ଓ ତାଙ୍କ ବନ୍ଧୁମାନଙ୍କ ସହ ମୋଟ ୨୦ ଜଣଙ୍କୁ ଗିରଫ କରିଥିଲେ। ସାରା ଦେଶରେ ଏହାକୁ ନେଇ ତମ୍ବିତୋଫାନ ଦେଖିବାକୁ ମିଳିଥିଲା।
ଆର୍ଯ୍ୟନ ଓ ଶାହରୁଖଙ୍କ ଚରିତ୍ର ସଂହାର କରିବାକୁ ମଧ୍ୟ ଗଣମାଧ୍ୟମ ପଛାଇ ନଥିଲା। ୨୩ ବର୍ଷୀୟ ଆର୍ଯ୍ୟନଙ୍କୁ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଅକ୍ଟୋବର ୩ ତାରିଖରେ ଗିରଫ କରିଥିଲା। ଏହାପରେ ଅକ୍ଟୋବର ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ରହିଥିଲେ। ଶେଷରେ ବମ୍ବେ ହାଇକୋର୍ଟ ତାଙ୍କୁ ଅକ୍ଟୋବର ୨୮ରେ ଜାମିନ ପ୍ରଦାନ କରିଥିଲେ। ଜାମିନ ମିଳିବାର ଦୁଇ ଦିନ ଅର୍ଥାତ ଅକ୍ଟୋବର ୩୦ରେ ଆର୍ଯ୍ୟନ ଘରକୁ ଫେରିଥିଲେ। ଏନସିବି ପକ୍ଷରୁ ଘଟଣାର ତଦନ୍ତ କରାଯାଇ ୬ ହଜାର ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏଥିରେ ୧୪ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। କିନ୍ତୁ ଆର୍ଯ୍ୟନ ଓ ଆଉ ୫ ଜଣଙ୍କ ବିରୋଧରେ ତଦନ୍ତ ବେଳେ କୌଣସି ପ୍ରମାଣ ମିଳି ନଥିଲା। ତେଣୁ ସେମାନଙ୍କୁ ଦୋଷମୁକ୍ତ କରାଯାଇଛି। ଆର୍ଯ୍ୟନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇବା ପାଇଁ ଉପଯୁକ୍ତ ପ୍ରମାଣ ମିଳି ନଥିବା ଏନସିବି କହିଛି।
ଏନସିବିର ଡିଡିଜି(ଅପରେସନ) ସଞ୍ଜୟ କୁମାର ସିଂହ କହିଛନ୍ତି, ଆର୍ଯ୍ୟନ ଓ ମୋହଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଠାରୁ ଡ୍ରଗ୍ସ ମିଳିଥିଲା। ୨୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ ଜଣଙ୍କ ନାଁରେ ଏନଡିପିଏସ୍‌ ଆକ୍ଟର ବିଭିନ୍ନ ଦଫାରେ ମାମଲା ହୋଇଥିଲା। ପ୍ରମାଣ ଅଭାବରୁ ବାକି ୬ ଜଣଙ୍କ ନାଁରେ କୌଣସି ପ୍ରକାରର ଅଭିଯୋଗ କିମ୍ବା ମାମଲା ଦାଏର ହୋଇ ନାହିଁ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.