ଆଇଓଏ ଅଧ୍ୟକ୍ଷ ପଦରୁ ବାତ୍ରାଙ୍କ ଇସ୍ତଫା : ଗତ ମାସରେ ସିବିଆଇ ଜା‌ଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ଅଧ୍ୟକ୍ଷ ପଦରୁ ବୁଧବାର ଶକ୍ତିଶାଳୀ କ୍ରୀଡ଼ା ସଂଗଠକ ତଥା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା ଅଚାନକ ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ଦୁରୁପଯୋଗ କରିଥିବା ମାମଲାରେ ଗତମାସରେ ସିବିଆଇ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହା ପରେ ନୈତିକତା ଦୃଷ୍ଟିରୁ ସେ ଆଇଓଏ ଅଧ୍ୟକ୍ଷ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଅନ୍ୟ ସଦସ୍ୟମାନେ ଦାବି କରିଥିଲେ। ତା ଛଡ଼ା ଏକାଧିକ କ୍ରୀଡ଼ା ସଂଗଠନର ପଦ ପଦବିରେ ରହିବା ଏବଂ ଆର୍ଥିକ ଅନିୟମିତତାରେ ଜଡ଼ିତ ହେବା ନେଇ ତାଙ୍କ ନାଁରେ ଏକାଧିକ ମାମଲା ମଧ୍ୟ ଏବେ ବିଚାରାଧୀନ ରହିଛି। ଫଳରେ ଆଗାମୀ ସମୟରେ ସେ ଏଫ୍‌ଆଇଏଚ୍ ଅଧ୍ୟକ୍ଷ ପଦ ହରାଇବାର ବି ଯଥେଷ୍ଟ ଆଶଙ୍କା ରହିଛି। ତେବେ ବିଶ୍ବ ହକିର ବିକାଶ ଦିଗରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ଏବଂ ନୂଆ ଲୋକ ତଥା ନୂଆ ଯୋଜନାକୁ ସ୍ବାଗତ କରିବା ଲକ୍ଷ୍ୟ ନେଇ ଆଇଓଏ ଅଧ୍ୟକ୍ଷ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବାତ୍ରା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ଏଫ୍‌ଆଇଏଚ୍ ସଭାପତି ପଦ ବି ହାତରୁ ଖସିବ
ସେପଟେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଅଲିମ୍ପିଆନ୍‌ ଅସଲମ୍ ସେର ଖାନ୍‌ କରିଥିବା ମାମଲାର ରାୟ ମଧ୍ୟ ବାତ୍ରାଙ୍କ ବିରୋଧରେ ଯାଇଥିବା ଜଣାପଡ଼ିଛି। ‌ଜାତୀୟ କ୍ରୀଡ଼ା ସଂହିତାର ଉଲ୍ଲଂଘନ କରି ସେ ଏକାଧିକ କ୍ରୀଡ଼ା ସଂଗଠନର ପଦ ପଦବିରେ ରହିଥିବାର ପ୍ରମାଣ ମଧ୍ୟ ମିଳିଛି। ଫଳରେ ବାତ୍ରାଙ୍କ ହାତରୁ ଏଫ୍‌ଆଇଏଚ୍ ସଭାପତି ପଦ, ହକି ଇଣ୍ଡିଆର ଆଜୀବନ ସଭାପତି ପଦ ଖସି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ତା’ ସହ ଗତ ୧୦ ବର୍ଷ ମଧ୍ୟରେ ହକି ଇଣ୍ଡିଆ ପାଣ୍ଠିରୁ ବ୍ୟକ୍ତିଗତ କାର୍ଯ୍ୟରେ ବିନିଯୋଗ କରିଥିବା ସମସ୍ତ ଅର୍ଥକୁ ମଧ୍ୟ ତାଙ୍କୁ ଫେରାଇବାକୁ ପଡ଼ିପାରେ। ପୂର୍ବରୁ ହକି ଇଣ୍ଡିଆର କୌଣସି ପଦପଦବିରେ ନଥିଲେ ମଧ୍ୟ ବାତ୍ରା ଏହାର ପରିଚାଳନାରେ ହସ୍ତକ୍ଷେପ କରି ବିବାଦୀୟ ହୋଇଥିଲେ। ୧୯୭୫ ବିଶ୍ବକପ୍ ବିଜେତା ସଦସ୍ୟ ତଥା ଅଲିମ୍ପିଆନ୍ ଅସଲମ୍ ସେର୍ ଖାନଙ୍କ ସମେତ ବହୁ ପୂର୍ବତନ ଅଲିମ୍ପିଆନ୍ ତାଙ୍କୁ ଏଥିଲାଗି ତୀବ୍ର ସମାଲୋଚନା କରିଥିଲେ। ଖାନ୍‌ ମଧ୍ୟ ଏଥିଲାଗି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।
ହକି ଇଣ୍ଡିଆ ପରିଚଳନା ଲାଗି ୩ଜଣିଆ କମିଟି : ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ହକି ଇଣ୍ଡିଆ ପରିଚାଳନା ଲାଗି ତିନି ଜଣିଆ ପ୍ରଶାସକ ସମିତି ଗଠନ କରିଛନ୍ତି। ଏହି ସମିତିରେ ଏସ୍‌ୱାଇ କୁରେସି, ଅଲିମ୍ପିଆନ୍ ଜାଫର ଇକବାଲ ଏବଂ ଅବସରପ୍ରାପ୍ତ ବିଚାରପତି ଅନିଲ ଦାଭେ ସଦସ୍ୟ ରହିଛନ୍ତି। ହକି ଇଣ୍ଡିଆରୁ ଆଜୀବନ ସଭାପତି, ଆଜୀବନ ସଦସ୍ୟ ଭଳି ପଦକୁ ମଧ୍ୟ ଉଚ୍ଛେଦ କରିଛନ୍ତି ମାନ୍ୟବର ନ୍ୟାୟାଳୟ। ସେହିଭଳି ଜାତୀୟ କ୍ରୀଡ଼ା ସଂହିତା ଅନୁସାରେ ହକି ଇଣ୍ଡିଆର ସମ୍ବିଧାନ ସଂଶୋଧନ କରିବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ୨୦ ସପ୍ତାହର ସମୟ ଦେଇଛନ୍ତି। ଫଳରେ ହକି ଇଣ୍ଡିଆରେ ଆମୂଳଚୂଳ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ସମ୍ପ୍ରତି ବିଭିନ୍ନ ପଦ ପଦବିରେ ଥିବା ହକି ସଂଗଠକ ନିଜ ପଦ ହରାଇବା ମଧ୍ୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

nis-ad
Leave A Reply

Your email address will not be published.