ଅର୍ଥ ନଥିବାରୁ କାମ ବନ୍ଦ କଲା ଠିକା କମ୍ପାନୀ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଅନିଶ୍ଚିତତା : ସମୀକ୍ଷା କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ(୨୬।୫) : ଯୋଜନା ପରେ ଯୋଜନା ମାଳ ମାଳ। ହେଲେ ନିର୍ମାଣ ବାକେୟା ଟଙ୍କା ନ ମିଳିବା ରୁ ଦୀର୍ଘ ଦିନ ଧରି କାର୍ଯ୍ୟ ବନ୍ଦ କଲା ଠିକା କମ୍ପାନୀ। ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ କୁହାଯାଉଥିବା ବେଳେ ଅର୍ଥ ଅଭାବରୁ ଅଧାରେ କାମ ବନ୍ଦ କରିଛି ଠିକା କମ୍ପାନୀ। ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଗଡ଼ରେ। ଅନ୍ୟ ପକ୍ଷରେ କାର୍ଯ୍ୟ ବନ୍ଦ ହେତୁ ବ୍ୟବସାୟୀ ଓ ଜନସାଧାରଣ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ଅସନ୍ତୋଷ ବୃଦ୍ଧି ପାଇଛି। ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ନିକଟରେ ୨ ଟି ବହୁତଳ କୋଠା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଅଧାରୁ ବନ୍ଦ ପାଇଁ ବ୍ୟବସାୟୀ ଓ ସାଧାରଣରେ ଉଦବେଗ ପ୍ରକାଶ ପାଇଥିବା ସହ ଅସନ୍ତୋଷ ସୃଷ୍ଟି ପରେ ଚେତା ପଶିଲା ପ୍ରଶାସନ ଓ ନିର୍ମାଣ ବିଭାଗ ଅଧିକାରୀ ଙ୍କ ମଧ୍ୟରେ।। ବୁଧବାର ରାତିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧାପନ୍ତରିଆ ଓ ନିର୍ମାଣ ବନ୍ଦ ଥିବା ସ୍ଥାନରେ ପହଟିଂ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣରେ ବିଳମ୍ବ କାରଣର ସମୀକ୍ଷା କରିଥିଲେ । ଶୀଘ୍ର କାମ ସାରିବା ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହ ବିଡିଏ ସଚିବ ସମ୍ବିତ ରାଉତ, ପୁର୍ତବିଭାଗ ସହକାରୀ ଯନ୍ତ୍ରୀ ଉମାଚରଣ ପାଢି ,ଡୁଡା ପିଡି ଅଚ୍ୟୁତାନନ୍ଦ ନାୟକ, ହିଞ୍ଜିଳିକାଟୁ ପୌରପାଳିକା ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ଓ ବିଡ଼ିଓ ସୁବ୍ରତ କୁମାର ଜେନା ଉପସ୍ଥିତ ଥିଲେ। ଠିକା ସଂସ୍ଥା କୁ ନିର୍ମାଣ ର ପାର୍ଟ ପେମେଣ୍ଟ ମିଳିଲା ନାହିଁ। ପୁରୁଣା ନିର୍ମାଣ ଦରରେ କାର୍ଯ୍ୟ ଆଉ କରିହେବ ନାହିଁ ବୋଲି ପୂର୍ତ୍ତ ବିଭାଗ କୁ ଜଣାଇଦେଲେ ଠିକା ସଂସ୍ଥା। କୌଣସି ଆଖି ଦୃଶିଆ ପଦକ୍ଷେପ ବିଭାଗ ନେଲା ନାହିଁ। ଅନ୍ୟ ପକ୍ଷରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ କାମ ଆଗକୁ ଯାଇ ପାରିଲା ନାହିଁ ବୋଲି ଏବେ ଚର୍ଚ୍ଚା ହେଉଛି। ଅସନ୍ତୋଷ ବୃଦ୍ଧି ପରେ ଚେତା ଆସୁଛି ତେବେ କେବେ କାମ ସରିବ ତାହାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି।

ହିଞ୍ଜିଳିକାଟୁ ବସଷ୍ଟାଣ୍ଡ କୁ ଲାଗି ୨ଟି ମାର୍କେଟ କଂପ୍ଲେକ୍ସ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୩ ବର୍ଷ ପୂର୍ବରୁ ଟେଣ୍ଡର ହୋଇଥିଲା। ବ୍ରହ୍ମପୁରର ସାରିକା ସିଭିକନ ପ୍ରାଇଭେଟ ଲିମିଟେଡ଼ ଠିକା କାର୍ଯ୍ୟ ସମ୍ପାଦନ ନିମନ୍ତେ ଯୋଗ୍ୟ ହେବା ପରେ ପୂର୍ତ୍ତ ବିଭାଗ ସହ ଚୁକ୍ତିନାମା କରିଥିଲା। ୨୦୨୦ -୨୧ରେ କାର୍ଯ୍ୟ ସମ୍ପନ୍ନ ହେବା ଯୋଜନା ରହିଥିଲା । ଏଥି ନିମନ୍ତେ ଜବରଦଖଲ କରି ବ୍ୟବସାୟ କରୁଥିବା ପରିବା ବେପାରୀ ଓ ଅନ୍ୟ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିବାରେ ଏକ ବର୍ଷ ବିଳମ୍ବ ଘଟିଲା। ନିର୍ମାଣ ଚଳନ୍ତି ବିଲ୍ ର ପେମେଣ୍ଟ ବିଳମ୍ବ ହେବାରୁ କାର୍ଯ୍ୟ ଠିକ ସମୟରେ ଆଗକୁ ଗଲା ନାହିଁ। ସଂପ୍ରତି ପୁରୁଣା ନିର୍ମାଣ ଦରରେ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଠିକା କମ୍ପାନୀ। ପୂର୍ବରୁ ଲିଖିତ ଭାବେ ବିଭାଗକୁ ଜଣାଇବା ସହ ନିର୍ମାଣ ଦର ହୁ ହୁ ହୋଇ ବଢୁଛି ବୋଲି କହିଛନ୍ତି। ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ୨ବର୍ଷ ହେଲା କାର୍ଯ୍ୟକ୍ଷମ ହେଲେ ମଧ୍ୟ ସେଥିରେ ମଧ୍ୟ ବାକେୟା ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି ଠିକା କମ୍ପାନୀ ର ଅଂଶୀଦାର ଇଂ ସରୋଜ କୁମାର ଶତପଥୀ। ବିଭିନ୍ନ କାର୍ଯ୍ୟର ପ୍ରାୟ ୨ କୋଟି ଟଙ୍କା ନିର୍ମାଣ ଅର୍ଥ ସରକାରଙ୍କ ଠାରୁ ପାଇନଥିବା ଫଳରେ କମ୍ପାନୀରେ ଆର୍ଥିକ ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛନ୍ତି ଠିକା କମ୍ପାନୀ ମ୍ୟାନେଜିଂ ପାର୍ଟନର ଶତପଥୀ।

ଏଠାରେ ଉଲେଖଯୋଗ୍ୟ ଯେ ପ୍ରାୟ ୧କୋଟି ୫୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାର୍କେଟ କଂପ୍ଳେକ୍ସର ଦକ୍ଷିଣ ବ୍ଳକର କାମ ଚାଇଛି । ସେଥିରେ ୩୯ ବଜାର ଗୃହ ନିର୍ମାଣ ହେବ ଓ ଅନ୍ୟଟିରେ ୭୨ ଓ ଉଭୟ ପାର୍ଶ୍ବରେ ୧୧୦ ଟି ବଜାର ଗୃହ ନିର୍ମାଣ ହେବାକୁ ବ୍ୟବସ୍ଥା ରହିଛି। ଏହି ଠିକା କଂପାନୀ ପୂର୍ବରୁ ହିଂଜିଳିକାଟୁର ବସ ଟର୍ମିନାଲ ମଧ୍ୟ ନିର୍ମାଣ କରିଛି।
ଦକ୍ଷିଣ ବ୍ଳକର କାମ ସରି ନଥିବା ବେଳେ ଠିକା ସଂସ୍ଥା ଉତ୍ତର ବ୍ଲକର ସ୍ଥାନରେ ପ୍ରାୟ ୧୦ ଫୁଟ ଗଭୀର ମାଟି ଖୋଳି କୃତ୍ରିମ ପୋଖରୀ ଭଳି ସୃଷ୍ଟି କରିଛି। ଫଳରେ ବ୍ୟବସାୟୀ ଓ ଜନ ସାଧାରଣଙ୍କ ନାହିଁ ନ ଥିବା ସମସ୍ୟା ହେଉଛି। ପରିବା ବଜାର ରେ ବେପାରୀ ଓ ଚାଷୀ ଙ୍କ ଅବସ୍ଥା ଦୟନୀୟ ହେଉଛି। ସେଠାରେ ଟ୍ରାଫିକ ଜାମ ସାଧାରଣ ଘଟଣା ହୋଇଛି। ବର୍ଷା ପାଣି ଆବର୍ଜନା ଖୋଲା ଯାଇଥିବା ଖାଲରେ ଜମାରହି ପରିବେଶ ଦୁର୍ଗନ୍ଧ ହେଉଛି। ଫଳରେ ଅସନ୍ତୋଷ ସୃଷ୍ଟି ହେଉଛି।ଏହା ସତ୍ବେ ବିଭାଗ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଗଲା ନାହିଁ କି ଠିକା କମ୍ପାନୀ କୁ ବୁଝାଇ କାର୍ଯ୍ୟ ଆଗକୁ ନେଲେ ନାହିଁ। ଆଗକୁ ବର୍ଷାଦିନ ଆସୁଥିବାରୁ ଧାର୍ଯ୍ୟ ସମୟ ଭିତରେ କାମ ସରିବା ନେଇ ସନ୍ଦେହ ସୃଷ୍ଟି କରିଛି । ବୁଧବାର ଜିଲ୍ଲାପାଳଙ୍କ ସମୀକ୍ଷା ବେଳେ ଠିକାଦାର ସଂସ୍ଥା ର କେହି ଉପସ୍ଥିତ ନଥିଲେ। କାର୍ଯ୍ୟ କିପରି ହେବ ସେ ନେଇ ତର୍ଜମା ଚାଲିଛି। ଜିଲାପାଳଙ୍କ ସମୀକ୍ଷା ପରେ କାର୍ଯ୍ୟ ସାରିବା ସହ ଠିକା କମ୍ପାନୀ ଓ ବିଭାଗ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।

nis-ad
Leave A Reply

Your email address will not be published.