ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ନିର୍ଘଣ୍ଟ ଚୁଡ଼ାନ୍ତ: ହାତୀବେଶରେ ତିନିଘଣ୍ଟା ଧରି ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆସନ୍ତା ଜୁନ୍ ୧୪ ତାରିଖରେ ହେବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦୁର୍ଲଭ ହାତୀବେଶରେ ତିନିଘଣ୍ଟା ଧରି ଦର୍ଶନ ଦେବେ। ଶ୍ରଦ୍ଧାଳୁମାନେ ନିବିଘ୍ନରେ ମହାପ୍ରଭୁମାନଙ୍କ ଦର୍ଶନ କରିପାରିବେ। ତେବେ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ।

ବୁଧବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସବକମିଟିର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ଛତିଶା ନିଯୋଗ ଅନୁମୋଦନ ଦେଇଛି। ଜଳଲାଗି ଓ ହାତୀବେଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତ ସେବାୟତ ନିଯୋଗକୁ ଏଠାରେ ପରାମର୍ଶ ଦିଆଯାଇଛି।

ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନୀତି ସବକମିଟି ପରେ ଛତିଶା ନିଯୋଗ ବୈଠକ ବସିଥିଲା। ବୈଠକରେ ସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ହୋଇଥିଲା। ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ। ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ସକାଳ ୯.୩୦ରୁ ପୂର୍ବାହ୍ନ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ମଧ୍ୟାହ୍ନ ୧୨ଟା୧୫ରେ ଛେରା ପହଁରା ଓ ୧୨.୩୦ରୁ ଅପରାହ୍ନ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ। ସ୍ନାନପୂର୍ଣ୍ଣମୀ ଦିନ ସନ୍ଧ୍ୟା ୬ ଟାରୁ ରାତି ୯.୩୦ ଯାଏଁ ସର୍ବସାଧାରଣ ଦର୍ଶନ କରିବାକୁ ନୀତି ନିର୍ଘଣ୍ଟ ହୋଇଛି। ସେହିପରି ରାତି ୧୦ ଟାରେ ବାହୁଡ଼ା ପହଣ୍ଡି ଓ ରାତି ୧.୩୦ରେ ସୁନା ଚିତା ଓ ରାହୁରେଖା ଲାଗି, ପରେ ମଇଲମ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି।

ସେହିପରି ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ବାଧା ସୃଷ୍ଟି କରିବେ ନାହିଁ ଏହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଦୁଇ ଗୁଣା ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସବୁ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ନୀତିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

nis-ad
Leave A Reply

Your email address will not be published.