କରାଚିରେ ଅଛି ଦାଉଦ୍‌ ଇବ୍ରାହିମ୍‌, ସତ ଉଗାରିଲା ଭଣଜା

ନୂଆଦିଲ୍ଲୀ: ଧରାପଡ଼ିଲା ପାକିସ୍ତାନର ମିଛ। କରାଚିରେ ଅଛି ଭାରତର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଗରେ ସତ ଉଗାରିଛି ଦାଉଦ ଇବ୍ରାହିମର ଭଣଜା ଅଲ୍ଲିଶାହ ପାରକର। ଏଥିସହ ଯେକୌଣସି ଉତ୍ସବ ବେଳେ ତା’ ପରିବାର ଦାଉଦ ଇବ୍ରାହିମ୍‌ର ପତ୍ନୀଙ୍କ ସହ ସମ୍ପର୍କରେ ରୁହେ ବୋଲି ଇଡି ଆଗରେ ଖୁଲାସା କରିଛି ଅଲ୍ଲିଶାହ।
୧୯୮୬ ପରେ ଦାଉଦ ଇବ୍ରାହିମ ଭାରତ ଛାଡ଼ି ଦେଇଥିଲା। ବର୍ତ୍ତମାନ ସେ ପାକିସ୍ତନାର କରାଚିରେ ଅଛି। ଦାଉଦ ଇବ୍ରାହିମକୁ ବିଶ୍ୱସ୍ତରରେ ଆତଙ୍କବାଦୀ ବୋଲି ଘୋଷଣା କରିସାରିଛି ସଂଯୁକ୍ତ ରାଷ୍ଟ୍ର। ଇଡିର ପଚରାଉଚରା ବେଳେ ଅଲ୍ଲିଶାହା କହିଛି, ‘ଦାଉଦ ଇବ୍ରାହିମ୍‌ ତା’ ମାମୁ। ସେ ୧୯୮୬ ଯାଏଁ ଦକ୍ଷିଣ ମୁମ୍ବାଇର ଡମ୍ବରବାଲା ବିଲ୍ଡିଂର ଚତୁର୍ଥ ଫ୍ଲୋରରେ ରହୁଥିଲେ। କିନ୍ତୁ କିଛି ସମ୍ପର୍କୀୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେ ଏବେ କରାଚିରେ ଥିବା ମୁଁ ଶୁଣିବାକୁ ପାଇଛି।’
ଦାଉଦ ଇବ୍ରାହିମର ଭଣଜା ଆହୁରି କହିଛି, ‘ଯେତେବେଳେ ସେ କରାଚି ଯାଇଥିଲେ, ସେତେବେଳେ ମୁଁ ଜନ୍ମ ହୋଇନଥିଲି। ବର୍ତ୍ତମାନ ମୁଁ କିମ୍ବା ମୋ ପରିବାର ତାଙ୍କ ସହ ସମ୍ପର୍କରେ ନାହିଁ। କିନ୍ତୁ ବେଳେ ବେଳେ ଇଦ୍‌, ଦୀପାବଳି କିମ୍ବା ଅନ୍ୟ କୌଣସି ଉତ୍ସବ ବେଳେ ତାଙ୍କ ପତ୍ନୀ ମହଜବିନ୍‌ ଦାଉଦ ଇବ୍ରାହିମଙ୍କ ସହ କଥାବାର୍ତ୍ତା ହେଉ। ସେ ମୋ ପତ୍ନୀ ଆୟିସା ଓ ଭଉଣୀମାନଙ୍କ ସହ କଥାବାର୍ତ୍ତା ହୁଅନ୍ତି।’
ଉଲ୍ଲେଖଯୋଗ୍ୟ, ଦାଉଦ ଇବ୍ରାହିମ୍‌ ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ। ସେ ଭାରତରେ ଅନେକ ଆତଙ୍କବାଦ କର୍ଯ୍ୟାକଳାପ ସହ ଜଡ଼ିତ। ଦାଉଦ ଇବ୍ରାହିମକୁ ଦୀର୍ଘ ଦିନ ଧରି ଖୋଜା ଚାଲିଛି। ଏହାପୂର୍ବରୁ ଏନ୍‌ଆଇଏ ପଳାତକ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ଦ୍ୱାରା ସଂଚାଳିତ ହେଉଥିବା ବିଭିନ୍ନ କାରବାର ନେଣଦେଣ ସମ୍ଭାଳୁଥିବା ଅଭିଯୋଗରେ ମେ’ ୧୩ ତାରିଖରେ ଗ୍ୟାଙ୍ଗଷ୍ଟର ଛୋଟା ସକିଲର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ଏହି ଦୁଇ ଜଣ ଆରିଫ ଅବୁବକର ଶେଖ, ଓ ସବ୍ବିର ଅବୁବକର ଶେଖ୍‌ ରୂପେ ଚିହ୍ନଟ ହୋଇଥିଲେ।
ସେହିପରି ନିକଟରେ ମୁମ୍ବାଇ ଓ ଥାଣେର ବିଭିନ୍ନ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ କରି ତଦନ୍ତ ପାଇଁ ଅନେକ ସନ୍ଧିଗ୍ଧଙ୍କୁ ରାଡର୍‌ରେ ରଖିଥିଲା। ଆରିଫ ଏବଂ ସବ୍ବିର ମଧ୍ୟ ଏଥିରେ ସାମିଲ ଥିଲେ। ଡି-କମ୍ପାନୀ ସହ ଏହି ଦୁଇ ଜଣଙ୍କ ସମ୍ବନ୍ଧ ଥିବା ଜଣାପଡ଼ିବା ପରେ ଏମାନଙ୍କୁ ଏନ୍‌ଆଇଏ ଗିରଫ କରିଥିଲା।

nis-ad
Leave A Reply

Your email address will not be published.