ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ବାଲିପାଟଣା ରାଜସ ଗାଁରେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଅଟକ ଥିବା ୨୭ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଆଗକୁ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଆହୁରି ୧୦୦ ଜଣଙ୍କୁ ଖୋଜୁଛି ପୋଲିସ। ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି।
ସୂଚନାନୁଯାୟୀ, ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଶୁକ୍ରବାର ଦିନ ରାଜସ ଗାଁରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଥିଲା। ଏହି ସମୟରେ ୫୦ରୁ ଅଧିକ ଲୋକେ ମିଶି ପୋଲିସକୁ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସ୍ପେସାଲ ସ୍କ୍ୱାଡ୍ ଟିମ୍ ଗାଡ଼ିଛାଡ଼ି ଛତ୍ରଭଙ୍ଗ ଦେଇଥିଲା । ପୋଲିସ ଏହି ଘଟଣାରେ ମିଳିତ ଚଢାଉ କରି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆଣି ଥାନାରେ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପ୍ରକାଶ ଥାଉକି, ବାଲିପାଟଣା ଥାନା ରାଜସ ଗ୍ରାମପଞ୍ଚାୟତର କୃଷ୍ଣପୁର ମେଳଣର ଶୁକ୍ରବାର ଦ୍ୱିତୀୟ ରାତିରେ ଜମିଥିଲା ଜୁଆର ଆସର । ତେବେ ଜୁଆଖେଳ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ରାତି ପ୍ରାୟ ଦୁଇଟା ବେଳେ କମିଶନରେଟ୍ ପୁଲିସର ସ୍ପେସାଲ୍ ସ୍କ୍ୱାଡ୍ ଟିମ୍ ସାଧା ପୋଷାକରେ ଆସି ଚଢ଼ଉ କରିଥିଲେ । ଜୁଆ ଖେଳ ପାଖରେ ଏକତ୍ର ହୋଇଥିବା ଲୋକଙ୍କୁ ଲାଠିରେ ଅତର୍କିତ ପିଟିବା ସହ କିଛି ଜୁଆ ଖେଳାଳିଙ୍କୁ ଧରିଆଣି ଗାଡ଼ିରେ ବସାଇଥିଲେ । ପୁଲିସର ଏପରି ଅତର୍କିତ ଚଢ଼ଉ ଓ କାର୍ଯ୍ୟାନୁଷ୍ଠାନରେ ସ୍ଥାନୀୟ ଲୋକେ ଉତ୍କ୍ଷୀପ୍ତ ହୋଇଥିଲେ । ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଘଟଣା ସ୍ଥଳ ଏକପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା । ଭୟଭୀତ ପୁଲିସ ଟିମ୍ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଲୋକେ ବନ୍ଧୁକକୁ ଖାତିର ନକରି ହାତରେ ଯାହା ପାଇଲେ ସେଥିରେ ଗୋଡ଼ାଇ ଗୋଡ଼ାଇ ପୁଲିସକୁ ପିଟି ଚାଲିଲେ ।