ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ପାଠାଗାର ପରିଦର୍ଶନ’ କାର୍ଯ୍ୟକ୍ରମ…

ଛାତ୍ରଛାତ୍ରୀଙ୍କ ଭିତରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷ ପଦକ୍ଷେପ

ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ବ୍ୟାପକ କରାଯାଉଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ପାଠାଗାର ପରିଦର୍ଶନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କ ମଧ୍ୟରେ ବହି ପଢ଼ିବାର ଅଭ୍ୟାସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ସପ୍ତାହର ପ୍ରତ୍ୟେକ ଶନିବାର ଦିନ ଜିଲ୍ଲାରେ ଥିବା ବିଭିନ୍ନ ସର୍ବସାଧାରଣ ପାଠାଗାରକୁ ପିଲାମାନେ ଯାଇ ବିଭିନ୍ନ ପ୍ରକାରର ବହି ପଢ଼ିବାର ସୁଯୋଗ ପାଇବେ।

ଏହି ଅଭିଯାନ ଅନ୍ତର୍ଗତ ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଥିବା ଜିଲ୍ଲା ପାଠାଗାର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପାଠାଗାରଠାରେ ବିଶେଷ କାର୍ଯ୍ୟକ୍ରମ କରାଯାଇଥିଲା। ରାଣୀ ବଗିଚା ୟୁପି ସ୍କୁଲ ଏବଂ ଧର୍ମଶାଳା ୟୁପି ସ୍କୁଲର ଛାତ୍ରଛାତ୍ରୀମାନେ ସୂଚନା ଓ ଲୋକସମ୍ପର୍କ ବିଭାଗର ପାଠାଗାରକୁ ଆସିଥିଲେ। ସକାଳ ୭ଟାରୁ ପ୍ରାୟ ୧ ଘଣ୍ଟା ଧରି ଛାତ୍ରଛାତ୍ରୀମାନେ ପାଠାଗାରରେ ବସି ବିଶିଷ୍ଟ ଲେଖକମାନଙ୍କ ଦ୍ୱାରା ଲିଖିତ ପୁସ୍ତକ , ବିଭିନ୍ନ ଗପ ବହି ଆଦି ପଢ଼ିଥିଲେ। ଏହି ସମୟରେ ସମ୍ପୃକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ପିଲାମାନଙ୍କୁ ପୁସ୍ତକ ପଠନର ଉପକାରିତା ସମ୍ପର୍କରେ ବୁଝାଇଥିଲେ। ଛାତ୍ରଛାତ୍ରୀମାନେ ପାଠାଗାର ପରିଦର୍ଶନର ଅନୁଭୂତି ସମ୍ପର୍କରେ ଲେଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିବେ ।

ସେହିପରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଥିବା ଜିଲ୍ଲା ପାଠାଗାରଠାରେ ମଧ୍ୟ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ପତ୍ରାପାଲିସ୍ଥିତ ରଥ ନୋଡାଲ ୟୁପି ସ୍କୁଲ, ଲହୁରାଢ଼ିପାସ୍ଥିତ ୟୁପି ସ୍କୁଲ ଏବଂ ଡେଙ୍ଗିଭାଡ଼ିସ୍ଥିତ ୟୁପି ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଭିନ୍ନ ବହି ପଢ଼ିଥିଲେ।

‘‘ପାଠାଗାରକୁ ଆସି ଭଲ ଲାଗିଲା। ସାଙ୍ଗମାନଙ୍କ ସହିତ ବସି ଗପ ବହି ପଢ଼ିଲି। ତା’ଛଡ଼ା ବିଭିନ୍ନ ଖେଲକମାନଙ୍କ ବହି ଦେଖିଲି। ଏଣିକି ନିୟମିତ ପାଠାଗାରକୁ ଆସି ବହି ପଢିବି’’, କହିଛନ୍ତି ରାଣୀବଗିଚା ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରିୟଦର୍ଶିନୀ ଭଇଁସାଲ।

‘‘ମୁଁ ଛାତ୍ରୀ ଥିବା ସମୟରେ ଏହି ପାଠାଗାରକୁ ଆସି ବିଭିନ୍ନ ବହି ପଢ଼ୁଥିଲି। ଆଜି ଅନେକ ବର୍ଷ ପରେ ପାଠାଗାରକୁ ଆସିଛି। ଏଠାରେ ବିଭିନ୍ନ ପ୍ରକାରର ବହି ଦେଖି ଖୁସି ଲାଗୁଛି। ଏହାସହ ପାଠାଗାର ମଧ୍ୟ ନୂଆ ରୂପ ନେଇଛି। ତେଣୁ ଛାତ୍ରଛାତ୍ରୀମାନେ ଏହି ପାଠାଗାରକୁ ଆସି ବହି ପଢ଼ିବାର ସୁଯୋଗ ନିଅନ୍ତୁ’’, କହିଛନ୍ତି ଧର୍ମଶାଳା ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପଟେଲ।

ଛାତ୍ରଛାତ୍ରୀମାନଙ୍କୁ ପାଠାଗାରକୁ ଆଣି ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସୁନ୍ଦରଗଡ଼ ଉପଖଣ୍ଡରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ପାନପୋଷ ଓ ବଣାଇଁ ଉପଖଣ୍ଡରେ ଥିବା ସର୍ବସାଧାରଣ ପାଠାଗାରଠାରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ଶନିବାର ସକାଳ ୭ଟାରୁ ଛାତ୍ରଛାତ୍ରୀମାନେ ପାଠାଗାରଗୁଡ଼ିକୁ ଆସି ସେମାନଙ୍କ ମନପସନ୍ଦର ପୁସ୍ତକ ପଢ଼ି ପାରିବେ।

ସୁନ୍ଦରଗଡ଼ ଜିଲ୍ଲା ପାଠାଗାର ଏବଂ ସୂଚନା ଓ ଲୋକସମ୍ପର୍କ ପାଠାଗାରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖା ଖା, ସଦର ବ୍ଲକ ଶିକ୍ଷା ଅଧିକାରୀ ଗ୍ଲୋରିଆ ଡୁଙ୍ଗ ଡୁଙ୍ଗଙ୍କ ସହିତ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲ।

ସୁନ୍ଦରଗଡ଼ ଜିଲ୍ଲାରେ ସାଧାରଣ ଲୋକଙ୍କ ଭିତରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ଥାନରେ ସାର୍ବଜନୀନ ପାଠାଗାରକୁ ପ୍ରୋତ୍ସାହିତ କରାଯାଉଛି। ସୁନ୍ଦରଗଡ଼ସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ପାଠାଗାର ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ଏକ ପାଠାଗାର ମଧ୍ୟ ରହିଛି। ସେହିପରି ରାଉରକେଲାଠାରେ ମହାନଗର ନିଗମର ପାଠାଗାର ଓ ବଣାଇଁରେ ଉପଖଣ୍ଡସ୍ତରୀୟ ପାଠାଗାର ପ୍ରତିଷ୍ଠା କରାଯାଇଛି। ଏହାଛଡ଼ା ହେମଗିର ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ବ୍ଲକଠାରେ ଦୁଇଟି ଗ୍ରାମୀଣ ପାଠାଗାର ଖୋଲାଯାଇଛି।

ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ‘ବହି ବଗିଚା’ ଖୋଲାଯାଇଛି। ଏଠାରେ ବିଭିନ୍ନ ପ୍ରକାରର ଗପ, କବିତା, ଉପନ୍ୟାସ, କମିକ୍ସ ସହିତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ରହିଛି। ଛାତ୍ରଛାତ୍ରୀମାନଙ୍କର ସର୍ଜନାତ୍ମକ ପ୍ରତିଭାର ବିକାଶ ଲାଗି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

nis-ad
Leave A Reply

Your email address will not be published.