ବହୁ ଆଡ଼ମ୍ବରେ ଲଘୁକ୍ରିୟା : କୃଷି ବିଭାଗ, ଜିଲ୍ଲା ପ୍ରଶାସନ ମାଲକାନଗିରିର ଅଣଦେଖାରେ ଦଲାଲ୍ ମାଲାମାଲ୍


ମାଲକାନଗିରି(୨୧/୦୫) : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର ପ୍ରାୟ ୬୦ ରୁ ୭୦ ଭାଗ ଲୋକ କେବଳ କୃଷି ତଥା କୃଷି ଜନିତ ବ୍ୟାପାର ଜରିଆରେ ପରିବାର ପ୍ରତିପୋଷଣ କରନ୍ତି। ଜିଲ୍ଲାରେ ଖରିଫ ଚାଷ ସମୟରେ ମୁଖ୍ୟତଃ ଧାନ,ମକା,ମାଣ୍ଡିଆ,ମୁଗ,ବିରି,ବାଜରା ଭଳି ଶସ୍ୟ ତଥା ବାଦାମ,ଲଙ୍କା,କନ୍ଦମୂଳ,ଲଙ୍କା,ଅଦା,ହଳଦୀ ଆଦି ଉତ୍ପାଦନ ହେଉଥିବା ବେଳେ ରବି ଚାଷରେ ଆଖୂ,ଗହମ,ବୁଟ,କୋଳଥ,ସୋରିଷ,ଆଳୁ ତଥା ପିଆଜ ପ୍ରଭୃତି ଉତ୍ପାଦନ ହୋଇଥାଏ । ଚଳିତବର୍ଷ ଆପାତତଃ ଜାନୁୟାରୀ/ଫେବୃୟାରୀ ମାସରୁ ଯଦିଓ ମୁଗ ଆୟ ସାରିଲାଣି କିନ୍ତୁ ଚାଷୀ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ତଥା ସବୁ କିଛି ଆଖି ସାମ୍ନାରେ ଦେଖି ମୁକ,ଅନ୍ଧ,ବଧିର ତଥା ପଙ୍ଗୁ ସାଜିଥିବା ଜିଲ୍ଲା ପ୍ରଶାସନ ସାଜିଛନ୍ତି ନୀରବ ଦ୍ରଷ୍ଟା। ଅମଳର ୩/୪ ମାସ ବିତି ଯାଇଥିବା ସ୍ଥଳେ ଜିଲ୍ଲାର ବଡ଼ ବଡ଼ ବେପାରୀ,ସାହୁକାର ଏବଂ ମହାଜନ ଚାଷୀ କୂଳ ଲୁଟ୍ କରି ସମସ୍ତ ଉତ୍ପାଦିତ ଦ୍ରବ୍ୟର ପ୍ରାୟ ୭୦% କିଣି ସାରିବା ପରେ ଗତକାଲି ଅର୍ଥାତ୍ ୨୧-ମେ-୨୦୨୨ ଶୁକ୍ରବାର ଦିନ ଜିଲ୍ଲାରେ ଚଳିତ ବର୍ଷ ମୁଗ ଓ ବାଦାମ ମଣ୍ଡିର ଶୁଭ ଉଦ୍ଘାଟନ କରାଯାଇଛି।

ସବୁଠାରୁ ବିଡ଼ମ୍ବନା ଯେ ନିୟନ୍ତ୍ରିତ ବଜାର କମିଟିକୁ ପଛରେ ପକାଇ ପୋଲିସ୍ ପ୍ରଶାସନ ଦୁଇ ପାଦ ଆଗକୁ ଯାଇ ଉତ୍ପାଦିତ ଦ୍ରବ୍ୟ ଚାଲାଣର ତତ୍ତ୍ଵାବଧାନ ଭାର ଗ୍ରହଣ କରିବା ସତ୍ତ୍ଵେ ମହୁଲ,ବାଦାମ,ମୁଗ ତଥା ଟୋଲା ସବୁ କିଛି ରାଜ୍ୟାନ୍ତର କରିଦିଆ ଯାଇଛି। ସେପଟେ ବିଳମ୍ବରେ ମଣ୍ଡି ଉଦଘାଟନ କରି ପ୍ରଶାସନ କିଭଳି ଭାବେ ଚାଷୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସମର୍ଥ ହେବ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେପଟେ କୋରୁକୋଣ୍ଡା ଲ୍ୟାମ୍ପସ ଏବଂ ମାଲକାନଗିରି ଲ୍ୟାମ୍ପସ ର ଅନେକ ପଞ୍ଚାୟତ ଜଳ ସେଚନ ବ୍ୟବସ୍ଥା ନିମନ୍ତେ ସମ୍ପୂର୍ଣ୍ଣ ଭାବେ ସୋର୍ଲୁକୋଣ୍ଡା-ପୋଟେରୁ କେନାଲ୍ ଉପରେ ନିର୍ଭରଶୀଳ ହୋଇ ଦୀର୍ଘ ବର୍ଷ ଧରି ଚାଷ କରି ଆସୁଥିଲେ । କିନ୍ତୁ ଏହି ପ୍ରକ୍ରିୟାରେ ଚଳିତ ବର୍ଷ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଯେ କେନାଲ ମରାମତି କାରଣରୁ ଜଳସେଚନ ଅସ୍ବାଭାବିକ ପରିସ୍ଥିତି ଉପୁଜିଥିଲା ଫଳରେ ଅଧିକ ଚାଷୀ ଚାଷ କରିବା ପାଇଁ ଅସମର୍ଥ ହୋଇଥିବା ଜଣା ପଡ଼ିଛି। ତଥାପି ଉତ୍ପାଦନ ହୋଇଥିବା ଦ୍ରବ୍ୟର ଉପଯୁକ୍ତ ସମୟରେ ସଂଗ୍ରହ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ନ ପାରି ଥିବାରୁ ତାହାର ସୁଯୋଗ ନେଇ ଦଲାଲ୍ ମାନେ ପ୍ରଶାସନ ସହ ଯୋଗସୂତ୍ର ରକ୍ଷା କରି ଦଲାଲ୍ ଓ ପ୍ରଶାସନ ର ମଧୁଚନ୍ଦ୍ରିକାରେ ଚାଷୀ ମାନଙ୍କର ଶୋଷଣ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ ଯଥାକ୍ରମେ ମୁଗ କୁଇଣ୍ଟାଲ୍ ପିଛା ୭୨୭୫/-, ବାଦାମ କୁଇଣ୍ଟାଲ୍ ପିଛା ୫୫୫୦/- ରହିଛି । କିନ୍ତୁ ସ୍ଥାନୀୟ ମୂଲ୍ୟ କିଛି ଏଭଳି ଜଣାଉଛି ଯେ ମୁଗ କୁଇଣ୍ଟାଲ୍ ପିଛା ୭୫୦୦/-, ବାଦାମ କୁଇଣ୍ଟାଲ୍ ପିଛା ୫୪୦୦/- । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ କିଭଳି ଦ୍ରବ୍ୟ ଗୁଡ଼ିକର ବହିଃ ରାଜ୍ୟ ସ୍ଥାନାନ୍ତରଣରେ ରୋକ୍ ଲଗାଇ କୃଷକ ମାନଙ୍କ ଉନ୍ନତି ନିମନ୍ତେ ଦାୟିତ୍ବ ନିର୍ବାହ କରିବ ତାହା ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.