କଂଗ୍ରେସ ଛାଡ଼ିଥିବା ସୁନୀଲ ଜାଖର ବିଜେପିରେ ମିଶିଲେ

ନୂଆଦିଲ୍ଲୀ: କଂଗ୍ରେସକୁ ଝଟକା ପରେ ଝଟକା ଲାଗିବା ଆରମ୍ଭ ହୋଇଛି। ରାଜସ୍ଥାନରେ ଦଳ ଚିନ୍ତନ ଶିବିର ଶେଷ ହେବା ପରେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ିବାରେ ଲାଗିଛନ୍ତି। ବୁଧବାର ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଦଳ ଛାଡ଼ିଥିଲେ। ଆଜି ଦଳକୁ ଆଉ ଏକ ଝଟକା ଲାଗିଛି। କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ସୁନୀଲ ଜାଖର ଆଜି ବିଜେପିରେ ମିଶିଛନ୍ତି। ଜାଖର ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ଆଜି ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।
ଜାଖରଙ୍କୁ ଦଳକୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଜାଖର ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦଳରେ ମିଶିବା ପରେ ସେ କହିଛନ୍ତି, “ମୋ ପରିବାରର ୩ଟି ପିଢ଼ି କଂଗ୍ରେସ ପାଇଁ ପ୍ରାୟ ୫୦ ବର୍ଷ କାମ କରିଛନ୍ତି। ହେଲେ କଂଗ୍ରେସ ସହ ମୁଁ ଆଜି ୫୦ ବର୍ଷ ସମ୍ପର୍କଚ୍ଛିନ୍ନ କରିଛି। ପଞ୍ଜାବରେ ଜାତୀୟତାବାଦ, ଏକତା ଓ ଭାଇଚାରା ପାଇଁ ମୁଁ ଏପରି ପଦକ୍ଷେପ ନେଇଛି। ଯେତେବେଳେ ଗୋଟିଏ ଦଳ ଏହାର ଆଦର୍ଶ ଓ ନୀତିରୁ ଦୂରେଇ ଯାଏ ସେତେବେଳେ ଇସ୍ତଫା ଦେବା ହିଁ ସବୁଠାରୁ ଭଲ ପଦକ୍ଷେପ।”
ଜାଖର ବିଜେପିରେ ମିଶିଥିବାରୁ ଜେପି ନଡ୍ଡା ମଧ୍ୟ ତାଙ୍କୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, “ମୁଁ ସୁନୀଲ ଜାଖରଙ୍କୁ ଭାରତୀୟ ଜନତା ପାର୍ଟିକୁ ସ୍ୱାଗତ କରୁଛି। ସେ ଜଣେ ଅଭିଜ୍ଞ ରାଜନେତା। ସେ ନିଜର କାମ ଜରିଆରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ପଞ୍ଜାବରେ ଦଳକୁ ସଶକ୍ତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମୋର ଆଶା। ପଞ୍ଜାବ ଗୋଟିଏ ସୀମାନ୍ତ ରାଜ୍ୟ। ସୁନୀଲ ଜାଖରଙ୍କ ଭଳି ଜାତୀୟତାବାଦୀ ନେତାଙ୍କୁ ଦଳ ସବୁବେଳେ ସ୍ୱାଗତ କରିବ।”
ଦଳ ବିରୋଧରେ ବୟାନ ଦେଇଥିବାରୁ ଏପ୍ରିଲ ୧୧ରେ କଂଗ୍ରେସ ହାଇକମାଣ୍ଡ ଜାଖରଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲେ। ହେଲେ ସେ ଏହାର ଜବାବ ନ ଦେଇ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ସେ କଂଗ୍ରେସକୁ ଗୁଡବାଏ ଓ ଗୁଡଲକ କହିଥିଲେ।
ସୂଚନାଯୋଗ୍ୟ, ସୁନୀଲ ଜାଖର ହେଉଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ବଳରାମ ଜାଖରଙ୍କ ପୁଅ। ବଳରାମ ତାଙ୍କ ରାଜନୀତିକ କ୍ୟାରିୟର୍‌ କଂଗ୍ରେସରୁ ହିଁ ଆରମ୍ଭ କରିଥିଲେ। ୨୦୦୪ରୁ ୨୦୦୯ ଯାଏ ସେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

nis-ad
Leave A Reply

Your email address will not be published.