ରାଜପକ୍ଷଙ୍କୁ ଦେଶ ଛାଡ଼ିବା ମନା, ରନିଲ ବିକ୍ରମସିଂହ ହେବେ ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ। ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ। ରାଜପକ୍ଷଙ୍କ ସମେତ ତାଙ୍କ ପୁଅ ନମଲ ରାଜପକ୍ଷ ଓ ଅନ୍ୟ ୧୫ ଜଣଙ୍କ ଉପରେ କୋର୍ଟ ସମାନ କଟକଣା ଲାଗୁ କରିଛନ୍ତି। ଶ୍ରୀଲଙ୍କା ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଓ ପୋଡ଼ାଜଳା ପାଇଁ ରାଜପକ୍ଷଙ୍କୁ ଦାୟୀ କରାଯାଉଛି। ତାଙ୍କ ସମର୍ଥକମାନେ ସରକାରଙ୍କୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ଆକ୍ରମଣ କରିବାରୁ ସ୍ଥିତି ଭୟଙ୍କର ହୋଇଥିଲା ବୋଲି ଅଭିଯୋଗ ହୋଇଛି। ଏହାର ତଦନ୍ତ ନ ସରିବା ଯାଏ ରାଜପକ୍ଷ କିମ୍ବା ତାଙ୍କ ପରିବାର ଶ୍ରୀଲଙ୍କା ଛାଡ଼ି ପାରିବେ ନାହିଁ ବୋଲି ଫୋର୍ଟ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟ କହିଛନ୍ତି। ରାଜପକ୍ଷଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ ଦେଶର ଏଜି ହିଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତଦନ୍ତ ବେଳେ ତାଙ୍କର ଉପସ୍ଥିତି ଜରୁରୀ। ଏଥିପାଇଁ ଏଜି ରାଜପକ୍ଷଙ୍କ ବିଦେଶ ଯାତ୍ରା ଉପରେ ରୋକ ଲଗାଇବାକୁ ନିବେଦନ କରିଥିଲେ।
ଅନ୍ୟପକ୍ଷରେ ରନିଲ ବିକ୍ରମସିଂହ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। ସେ ପୂର୍ବରୁ ୫ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏବେ ତାଙ୍କୁ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ପୁଣି ପ୍ରଧାନମନ୍ତ୍ରୀ କରିବେ। ୟୁନାଇଟେଡ ନ୍ୟାଶନାଲ ପାର୍ଟିର ନେତା ବିକ୍ରମସିଂହ ସନ୍ଧ୍ୟା ୬.୩୦ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ତାଙ୍କ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଶପଥ ପାଠ ପରେ ବିକ୍ରମସିଂହ କଲମ୍ବୋରେ ଥିବା ଗୋଟିଏ ମନ୍ଦିରକୁ ଯିବେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ।
ଗତକାଲି ସନ୍ଧ୍ୟାରେ ବିକ୍ରମସିଂହ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ସହ ରୁଦ୍ଧ ଦ୍ୱାରା ବୈଠକ କରିଥିଲେ। ଏହି ସମୟରେ ହିଁ ତାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକ ପରେ ରାଷ୍ଟ୍ରପତି ରାଜପକ୍ଷ ଦେଶକୁ ସମ୍ବୋଧନ କରିଥିଲେ। ଏତିକି ବେଳେ ସେ ଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୂର କରିବା ପାଇଁ ଗୋଟିଏ ମିଳିତ ସରକାର ଗଠନ କରିବାକୁ ଯାଉଥିବା ଘୋଷଣା କରିଥିଲେ। ଏଥିସହ ତାଙ୍କୁ ମିଳୁଥିବା କାର୍ଯ୍ୟନିର୍ବାହୀ କ୍ଷମତାକୁ ମଧ୍ୟ ସେ ସଙ୍କୁଚିତ କରିବାକୁ ରାଜି ଥିବା କହିଥିଲେ। ରାଷ୍ଟ୍ରପତିଙ୍କ ଏପରି ଘୋଷଣା ପରେ ବିକ୍ରମସିଂହ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଖବର ପ୍ରକାଶ ପାଇବା ଆରମ୍ଭ ହୋଇଥିଲା।

nis-ad
Leave A Reply

Your email address will not be published.