ବଳକା ଚାଉଳ ଉଠାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଧାନ ସଂଗ୍ରହ ବାବଦ ବକେୟା ସବସିଡି ଅର୍ଥ ପ୍ରଦାନ, ବଳକା ଚାଉଳ ଉଠାଣ, ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ସହ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଧାନସଂଗ୍ରହ ବାବଦକୁ ମିଳୁଥିବା ସବ୍‌ସିଡି ଅର୍ଥ ପ୍ରଦାନରେ କେନ୍ଦ୍ର ସରକାରଙ୍କ ବିଳମ୍ବ ଯୋଗୁଁ ପ୍ରମୁଖ ଧାନ ସଂଗ୍ରହକାରୀ ସଂସ୍ଥା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଉପରେ ଆର୍ଥିକ ଚାପ ସୃଷ୍ଟି ହେଉଛି ।

ଏପ୍ରିଲ୍ ୨୦୨୨ ସୁଦ୍ଧା ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ସବସିଡି ବାବଦକୁ ମୋଟ ପ୍ରାୟ ୧୦୩୩୪ କୋଟି ଟଙ୍କା ପ୍ରାପ୍ୟ ବକେୟା ରହିଛି । ପ୍ରଭିଜନାଲ ସବସିଡି ବାବଦକୁ ୭୯୩୧.୯୦ କୋଟି ଏବଂ ଅଗ୍ରୀମ ସବସିଡି ପ୍ରଦାନ ବାବଦକୁ ୨୪୦୨.୧୯ କୋଟି ବକେୟା ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ସବସିଡି ଅର୍ଥ ପ୍ରଦାନରେ ବିଳମ୍ବ ଏବଂ ସ୍ୱଳ୍ପ ପରିମାଣରେ ଅର୍ଥ ପ୍ରଦାନ ଯୋଗୁଁ ନିଗମକୁ ୫୪୫୪.୬୭ କୋଟି ଟଙ୍କାର ଅତିରିକ୍ତ ସୁଧ ବହନ କରିବାକୁ ପଡ଼ୁଛି, ଯାହାକୁ କେନ୍ଦ୍ର ସରକାର ପ୍ରଦାନ କରିବା ଆବଶ୍ୟକ । ଏଥି ସହିତ ଖରିଫ ବିପଣନ ଋତୁ ୨୦୨୧-୨୨ରେ ରାଜ୍ୟ ଦ୍ୱାରା ସଂଗୃହୀତ ୫୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ମଧ୍ୟରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟ ଜନ କଲ୍ୟାଣ ଯୋଜନାରେ ରାଜ୍ୟର ନିଜସ୍ୱ ଚାହିଦା ୩୯ ଲକ୍ଷ ମେଟ୍ରିକ୍‌ ଟନ୍ ହେଉଥିବା ବେଳେ ୧୩ ଲକ୍ଷ ମେଟ୍ରିକ୍‌ ଟନ୍ ଚାଉଳ ବଳକା ଉପଲବ୍ଧ ହେଉଛି ।

ରାଜ୍ୟରେ ଧାନସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁରେ କରିବା ନିମନ୍ତେ ଏହି ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ତୁରନ୍ତ ଉଠାଣର ଆବଶ୍ୟକତା ରହିଛି । ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ପ୍ରଦତ୍ତ ଧାର୍ଯ୍ୟ ଲକ୍ଷ୍ୟ ୫ ଲକ୍ଷ ଟନ୍ ଫୋର୍ଟିଫାଏଡ୍‌ ଉଷୁନା ଚାଉଳ ଏଫ୍‌ସିଆଇକୁ ଯୋଗାଣ ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଛି । ରାଜ୍ୟ ଅଧିକ ପରିମାଣରେ ଫୋର୍ଟିଫାଏଡ୍‌ ଉଷୁନା ଚାଉଳ ଯୋଗାଇଦେବା ପାଇଁ ସକ୍ଷମ ହୋଇଥିବାରୁ ଭାରତ ସରକାରଙ୍କୁ ଅତିରିକ୍ତ ଲକ୍ଷ୍ୟ ପ୍ରଦାନ ନିମନ୍ତେ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏତଦ୍‌ବ୍ୟତୀତ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ନିମନ୍ତେ କଟକର ଜଗତପୁରସ୍ଥିତ ଭାରତୀୟ ଖାଦ୍ୟ ନିଗମ ଡିପୋକୁ ଗହମ ଯୋଗାଣ କରିବା ପାଇଁ ଅନୁରୋଧ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ ଏବଂ ତେଲେଙ୍ଗାନା ରାଜ୍ୟ ଭଳି ଓଡ଼ିଶାର ହିତାଧିକାରୀଙ୍କୁ ଶତପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ରମନ୍ତ୍ରୀ ଗୋଏଲଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.