ଭୁବନେଶ୍ବର: ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର । ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ଵବିଦ୍ୟାଳୟର-OUTR ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା CET ଭାବେ ପରିଚିତ ଥିଲା । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର । ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା ।
କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । IIM, IIT ଓ NIT ପରି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ ।
ଆଜି OUTRର ବିକାଶ ସଂପର୍କିତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ବର୍ତ୍ତମାନ OUTRରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ IIT ଢାଞ୍ଚାରେ ବିକାଶ କରାଯିବ । ଆଜି ମୁଖ୍ୟମନ୍ତ୍ରୀ OUTRର ଭିତ୍ତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସଂପର୍କରେ ସମୀକ୍ଷା କରିଥିଲେ ।
ଏହି ବିଶ୍ଵବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶିକ୍ଷା ଓ ଗବେଷଣାର ଗୁଣାତ୍ମକମାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଉଚ୍ଚମାନର ଶିକ୍ଷାଦାନ ଉପରେ ଗୁରୁତ୍ୱ ସହ new age technology ପାଇଁ ନୂଆ ନୂଆ ପାଠ୍ୟକ୍ରମ ଖୋଲାଯାଇ ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଅଧିକ Centre of Excellence ମଧ୍ୟ ପ୍ରତିଷ୍ଠା କରାଯିବ ।