ବିଦ୍ୟୁତ୍ ଆଘାତରେ ନାବାଳକ ମୃତ…


ହିଞ୍ଜିଳିକାଟୁ : ମଙ୍ଗଳବାର ସକାଳେ ହିଞ୍ଜିଳି ଥାନା ବେଲଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ବଡ଼ସାହିର ଚିତ୍ତରଞ୍ଜନ ମହାନ୍ତି (୧୫) । ଏ ନେଇ ହିଞ୍ଜିଳି ଥାନାରେ ନଂ ୧୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ସୋମବାର ଚିତ୍ତରଞ୍ଜନ ସର୍ମ୍ପକୀୟଙ୍କ ଭୋଜିକୁ ବେଲଗାଁ ଆସିଥିଲେ । ସୋମବାର ରାତିରେ ବେଲଗାଁ ବେଲେଶ୍ୱର ମନ୍ଦିର ପରିସରରେ ଭୋଜି କାର୍ଯ୍ୟ ଶେଷ ହେବା ପରେ ମଙ୍ଗଳବାର ମନ୍ଦିର ପରିସରରେ ହଣ୍ଡାହାଣ୍ଡି ସଫା କରୁଥିଲେ । କାମ ସରିବା ପରେ ମନ୍ଦିର ପରିସରରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ନିକଟରେ ବସିଥିବା ବେଳେ ଅସାବଧାନବଶତଃ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ଉପସ୍ଥିତ ସର୍ମ୍ପକୀୟ ଆହତ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ସେଠାରେ ଡାକ୍ତର, ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ହିଞ୍ଜିଳିକାଟୁ ବିଦ୍ୟୁତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସତ୍ୟ ନାରାୟଣ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି ମନ୍ଦିରକୁ ବଦ୍ୟୁତ ସେବା ବିଚ୍ଛିନ୍ନ କରାଯାଇଥିଲା । ହୁକିଂ ସହାୟତାରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଛି ।ଘଟଣାର ତଦନ୍ତ କରାଯାଇ ମନ୍ଦିର ପରିଚାଳନା କମିଟି ବିରୋଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ମନ୍ଦିର ପରିଚାଳନା କମିଟିଙ୍କ ଦାୟିତ୍ଵହୀନ କାର୍ଯ୍ୟ ଯୋଗୁଁ ମୋ ପୁଅର ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ମା ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.