ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି ସାମୁଦ୍ରିକ ଝଡ଼ ‘ଅସାନୀ’

ଭୁବନେଶ୍ୱର : ସମୁଦ୍ର ଭିତରେ ଅଶାନ୍ତ ହେଉଛି ‘ଅସାନୀ’ । ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ସାମୁଦ୍ରିକ ଝଡ଼ । ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନୀ ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି । ୩୬ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟା ରୂପ ନେବ ।

ଏବେ ପୁରୀ ଠାରୁ ୬୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟଣାଠାରୁ ୫୦୦କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ରିକର୍ଭ ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ସ୍ଥଳଭାଗ ନ ଛୁଇଁ ସମୁଦ୍ର କୂଳେ କୂଳେ ସମାନ୍ତରାଳ ଭାବେ ଗତି କରିବ । ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଆସନ୍ତକାଲି ଠାରୁ ବଦଳିବ ପାଣିପାଗର ମିଜାଜ ।୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ,ଜଗତସିଂହପୁର, କଟକ,କେନ୍ଦ୍ରାପଡା, ବାଲେଶ୍ୱର,ଭଦ୍ରକ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ ତାରିଖରୁ କମିବ ବର୍ଷା । ପବନର ବେଗ ବଢ଼ିବ । ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୫ ରୁ ୧୧୫ କିଲୋମିଟର ଏବଂ ଝଟକା ପବନ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ବହିବା ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ସମ୍ଭାବନା ଥିବାରୁ ଗୋପାଳପୁର, ଧାମରା, ପାରାଦୀପ ଏବଂ ପୁରୀ ସିଗନାଲ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଭୀଷଣ ବାତ୍ୟା ‘ଅସାନୀ’ ସହ ଜଡିତ ବାହ୍ୟ ମେଘ ଖଣ୍ଡ ପ୍ରଭାବରେ ଭୁବନେଶ୍ୱର ସହରରେ ବର୍ଷା ହୋଇଛି ।

nis-ad
Leave A Reply

Your email address will not be published.