ନାବାଳକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ …!


ହିଞ୍ଜିଳିକାଟୁ, : ରବିବାର ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ମର୍ଗତ ଘୋଡାହଡ ନଦୀପଠା ନିକଟ ଖଣ୍ଡରାଗ୍ରାମ ନିକଟ ଆମ୍ବତୋଟାରୁ ନାବାଳକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ମାନେ ହେଲେ ଶେରଗଡ଼ ଥାନା ବାରସିଙ୍ଗ ଗ୍ରାମର ମୁନା ଗୈାଡ (୨୦) ଓ କୁମାରପାଣି ଗ୍ରାମର ବସୁମତି ଶାସମଲ (୧୫) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରେମୀ ଯୁଗଳଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ୧୦ମ ଶ୍ରେଣୀ ସମେଟିଭ ଏସେସମେଣ୍ଟ-୨ ପରୀକ୍ଷା ଶେଷ ପରେ ବସୁମତି ଓ ମୁନା ବେଙ୍ଗୋଲର ଯିବା ପାଇଁ ବ୍ରହ୍ମପୁର ଯାଇଥିଲେ । ଖବର ପାଇ ମୁନା ଗୌଡଙ୍କ ଭାଇ ଓ ସର୍ମ୍ପକୀୟ ମାନେ ବ୍ରହ୍ମପୁରରେ ପହଞ୍ଚି ମୁନାଙ୍କୁ ମାଡ ମାରିବା ସହ ଧରିଥିବା ଟଙ୍କା ଛଡାଇ ନେଇଯାଇଥିଲେ ଓ ଗ୍ରାମକୁ ଫେରିବା ନିମନ୍ତେ ତାଗିଦ କରିବା ସହ ଘରୋଇଯାତ୍ରୀବାହି ଵସ ପାର୍ବତୀ ବସରେ ବସାଇଥିଲେ । ପ୍ରେମୀ ଯୁଗଳ ସନ୍ଧ୍ୟାରେ ହିଞ୍ଜିଳିକାଟୁରେ ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତ ବସ୍ ଟର୍ମିନାଲ ପରିସରରେ ବସିଥିବା କିଛି ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି । ରବିବାର ସକାଳେ ଖଣ୍ଡରାଗ୍ରାମର ସରପଚଁ ଙ୍କ ସ୍ବାମି ଆଲୋକ ସାହୁ ହିଞ୍ଜିଳି ଥାନା ଖଣ୍ଡରା ଆମ୍ବତୋଟାରେ ପ୍ରେମୀ ଯୁଗଳଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ, ଏସ ଆଇ ସିଦ୍ଧାର୍ଥ ଜେନା, କାମିଲିନି ନାଇକ, ଏଏସଆଇ ରାଜନ୍ ବିଷୋୟୀ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ପରେ ସାଇଣ୍ଟଫିକ ଟିମ୍ ସହକାରୀ ଅଧିକାରୀ ପ୍ରଣତି ନାୟକ, ଫୋଟଗ୍ରାଫର ସିମାଞ୍ଚଳ ସେଠି ଓ ସହାୟକ ବିଷ୍ଣୁପ୍ରିୟା ମହାରଣା ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ନମୁନା ସଂଗ୍ରହ କରିଥିଲେ । ମୃତ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ଖଣ୍ଡରା ଗ୍ରାମର ଆମ୍ଵ ତୋଟାରେ ଏକ ଆମ୍ବ ଗଛରେ ବସୁମତୀ ଙ୍କ ମୁତ ଦେହ ବେକରେ ରଶି ଓ ଅନ୍ୟ ପଟେ ମୁନା ଗୌଡ ଝୁଲୁଥିବା ବେଳେ ବସୁମତୀ ଙ୍କ ମୃତ ଦେହ ଭୁମିକୁ ସ୍ପର୍ଶ କରୁଥିବା ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇ ଏହା ଆତ୍ମହତ୍ୟା ନା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି ମୃତ ମୁନା ବାହାର ରାଜ୍ୟରେ କାମ କରୁଥିବା ବେଳେ ୧୫ ଦିନ ପୂର୍ବରୁ ଗାଁ କୁ ଆସିଥିଲା । ଗତ ୧ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ଶୁଣିବାକୁ ମିଳିଛି । ତେବେ ଉଭୟଙ୍କ ପ୍ରେମକୁ ପରିବାରର ସଦସ୍ୟ ଗ୍ରହଣ ନକରିବାରୁ ପ୍ରେମୀ ଯୁଗଳ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ନା କେହି ଉଭୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଛି, ତାହା ସନ୍ଦେହ ଘେରରେ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ଆଇଆଇସି ଦାସ କହିଛନ୍ତି ।

nis-ad
Leave A Reply

Your email address will not be published.