ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ହତ୍ୟାକୁ ଦୃଢ଼ନିନ୍ଦା କଲେ ଅମିତ ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ହତ୍ୟାକୁ ଦୃଢ଼ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କୋଲକାତାରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଟିଏମସିକୁ ନିଶାନା କରିଛନ୍ତି ଶାହ। ବିଜେପି କର୍ମୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଶାହ। କୋଲକାତାର ଚିତ୍ତପୁର-କସିପୋର ଏରିଆରେ ଜଣେ ବିଜେପି କର୍ମୀଙ୍କ ହତ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଶାହ। ଏହା ରାଜନୈତିକ ହତ୍ୟାକାଣ୍ଡ ବୋଲି ଶାହ ଅଭିଯୋଗ କରିଛନ୍ତି । ମୃତ ବିଜେପି କର୍ମୀ ଜଣକ ହେଉଛନ୍ତି ଅର୍ଜୁନ ଚୌରାସିଆ। ଆଜି ଏକ ପରିତ୍ୟକ୍ତ ବିଲଡିଂରେ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ପଶ୍ଚିମବଙ୍ଗକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଅମିତ ଶାହଙ୍କୁ ସ୍ୱାଗତ ପାଇଁ ବାଇକ ରାଲିର ନେତୃତ୍ୱ ନେଇଥିଲେ ଚୌରାସିଆ। ହେଲେ ରହସ୍ୟଜନକ ଭାବେ ଆଜି ସକାଳେ ତାଙ୍କର ମୃତ ଦେହକୁ ଏକ ପରିତ୍ୟକ୍ତ ବିଲଡିଂରୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଅମିତ ଶାହ ଦୃଢ଼ ନିନ୍ଦା କରିବା ସହ ତାଙ୍କ ହତ୍ୟା ପଛରେ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ବିବୃତ୍ତି ଦେଇ ଶାହ କହିଛନ୍ତି ଯେ, ଗତକାଲି ପଶ୍ଚିମବଙ୍ଗରେ ସରକାର ଗଠନକୁ ଟିଏମସିକୁ ବର୍ଷେ ପୁରିଛି। ଆଜି ରାଜ୍ୟରେ ରାଜନୈତିକ ହତ୍ୟାକାଣ୍ଡ ଆରମ୍ଭ ହୋଇଛି। ଅର୍ଜୁନ ଚୌରାସିଆଙ୍କ ହତ୍ୟାକୁ ବିଜେପି ଦୃଢ଼ ନିନ୍ଦା କରୁଛି। ମୁଁ ଅର୍ଜୁନ ଚୌରାସିଆଙ୍କ ପରିବାର ଲୋକଙ୍କୁ ଭେଟିଛି।
ଏହି ଘଟଣାରେ ବିଜେପି ସିବିଆଇ ତଦନ୍ତ ଦାବି କରୁଛି। ଅର୍ଜୁନ ଚୌରାସିଆଙ୍କ ମୃତ୍ୟୁ ଘଟଣାରେ ମୁଁ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଛି ବୋଲି ଶାହ କହିଛନ୍ତି । ପଶ୍ଚମବଙ୍ଗରେ ଲୋକେ ଭୟଗ୍ରସ୍ତ ଜୀବନ ବିତାଉଛନ୍ତି। ଗୁଣ୍ଡା ‌ଏବଂ ଆତଙ୍କରାଜ ଖେଳେଇ ବିରୋଧୀଙ୍କୁ ଚୁପ ରହିବାକୁ ବାଧ୍ୟ କରାଯାଉଛି। ଶାହ କହିଛନ୍ତି ଯେ, ବିଜେପି ହିଂସାର ରାଜନୀତିରେ ବିଶ୍ୱାସ କରେ ନାହିଁ କିମ୍ବା ହିଂସାର ରାଜନୀତିକୁ ଭୟ କରେ ନାହିଁ। ଗତ କିଛି ମାସ ହେଲା ବେଙ୍ଗଲ ଅଶାନ୍ତ ହୋଇପଡ଼ିଛି। ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ି ଥିବା ଶାହ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.