୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରି ଅଫିସ୍ ଘେରାଉ ଚେତାବନୀ ଦେଲେ ବସ୍ତି ବାସିନ୍ଦା…

ବାଲିମେଳା:ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ୮ନଂ ୱାର୍ଡ଼ ର ଦୁର୍ଗା ସାହି ବସ୍ତିରୁ କିଛି ବସ୍ତି ବାସିନ୍ଦା ଏନ୍.ଏ.ସି. ଅଧ୍ୟକ୍ଷଙ୍କ ଉପସ୍ଥିତିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ପୂର୍ଣ୍ଣ ଜନ ଅସନ୍ତୋଷର କେନ୍ଦ୍ରବିନ୍ଦୁ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଦାବି ପତ୍ର ରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ଦାବି ମୁତାବକ ବିଗତ ଦିନରେ ଆବାସ ଯୋଜନା ତାଲିକା ଯଦିଓ କାର୍ଯ୍ୟାଳୟ ପକ୍ଷରୁ ସାର୍ବଜନୀନ କରାଯାଇଥିଲା,କିନ୍ତୁ ତାଲିକାରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ବର୍ତ୍ତମାନ କାର୍ଯ୍ୟାଦେଶ ମିଳିନାହିଁ। ଅନ୍ୟପକ୍ଷରେ ଯେଉଁ ମାନଙ୍କର ଦୁଇ ମହଲା ଘର ଅଛି ସେମାନଙ୍କ ନିମନ୍ତେ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା କାର୍ଯ୍ୟାଦେଶ କେଉଁଠି ନା କେଉଁଠି ପ୍ରିୟା ପ୍ରୀତି ତୋଷଣ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି , ଅର୍ଥାତ୍ ତେଲିଆ ମୁଣ୍ଡରେ ତେଲ । ସେପଟେ କିଛି ହିତାଧିକାରୀଙ୍କୁ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ଘର ଆନ୍ଧ୍ରପ୍ରଦେଶର ଅବସ୍ଥିତି ସର୍ବେକ୍ଷଣରୁ ତଥ୍ୟ ଆସୁଛି ଯଦିଓ ସେମାନେ ଦୀର୍ଘ ବର୍ଷ ଧରି ଟିକସ ପୈଠ କରି ଆସୁଛନ୍ତି । ସବୁଠାରୁ ରୋଚକ ତଥା ଚାଞ୍ଚଲ୍ୟକର ଘଟଣା ହେଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ମାନ୍ୟବର ପୂର୍ଣ୍ଣ ଚନ୍ଦ୍ର ବାକା ଗତ ଅପ୍ରେଲ ୨୦,୨୧ ଓ ୨୨ ତାରିଖ ୩ଦିନ ଧରି ଆବାସ ଗୃହ ନିମନ୍ତେ ଯଦିଓ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ କିନ୍ତୁ କାର୍ଯ୍ୟାଦେଶରେ ଗତ ୬ ଜାନୁୟାରୀ ୨୦୨୨ ରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି । ଏହି ପରିପ୍ରେକ୍ଷୀରେ କାର୍ଯ୍ୟାଳୟ ପକ୍ଷରୁ ମୌଖିକ ସୂଚନା ଜାରି କରାଯାଇଛି ଯେ ୧୦ ମେ ୨୦୨୨ ସୁଦ୍ଧା ଯେଉଁ ହିତାଧିକାରୀ ଆବାସ ଗୃହ କାର୍ଯ୍ୟ ଆରମ୍ଭ ନ କରନ୍ତି ସେମାନଙ୍କ କାର୍ଯ୍ୟାଦେଶ ରଦ୍ଦ କରାଯିବ । ତେବେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ତାରିଖ ଓ ଉଲ୍ଲେଖ ଥିବା ତାରିଖରେ ଦେଖିବାକୁ ମିଳିଥିବା ତାରତମ୍ୟକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଥ ସଫେଇ ଦେଇଛନ୍ତି ଯେ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବା କାରଣରୁ ଜାନୁୟାରୀ ରେ ଜାରି କରାଯାଇଥିବା କାର୍ଯ୍ୟାଦେଶ ଅପ୍ରେଲ ରେ ପ୍ରଦାନ କରାଗଲା। ତେବେ ପ୍ରଶ୍ନ ଉଠୁଛି ଯେ ଦୀର୍ଘ ୩ମାସ ୧୪ ଦିନ ଧରି କ’ଣ ନିର୍ବାଚନ ଆଚରବିଧି ଲାଗୁ ରହିଥିଲା ? ସେପଟେ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ କର୍ମଚାରୀ କ’ଣ ନିର୍ବାଚନୀ ପ୍ରସ୍ତୁତିରେ କାର୍ଯ୍ୟରତ ଥିଲେ ? ୨୦ ଦିନ ଅବଧି ଭିତରେ କ’ଣ ପ୍ରତ୍ୟେକ ହିତାଧିକାରୀ କାର୍ଯ୍ୟାଦେଶ ଆଧାରରେ ଘରକାମ ଆରମ୍ଭ କରିବାରେ ସକ୍ଷମ ହୋଇଯିବେ ? ନା ସାଧାରଣ ହିତାଧିକାରୀ ବାସ୍ତବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହୁ ବୋଲି ଏହା ପ୍ରଶାସନର ଧର୍ମକୁ ଆଖି ଠାର ଭଳି ଲୋକ ଦେଖାଣୀଆ ଆବାସ ଯୋଜନା ! ଦାବି ପତ୍ରର ଅନ୍ୟ ଏକ ଦାବି ମୁତାବକ ବଜାର ଦର ଗତ ଆର୍ଥିକ ବର୍ଷରେ ଯଥାକ୍ରମେ ଲୁହା-୪୮ଟଙ୍କା/କି.ଗ୍ରା. ଓ ସିମେଣ୍ଟ ବସ୍ତା-୨୭୦ଟଙ୍କା ଥିବାବେଳେ ବର୍ତ୍ତମାନ ଲୁହା-୮୪ଟଙ୍କା/କି.ଗ୍ରା. ତଥା ସିମେଣ୍ଟ ବସ୍ତା-୩୬୦ଟଙ୍କାରେ ପହଞ୍ଚିଛି। ଏଭଳି ସ୍ଥଳେ ତତ୍କାଳୀନ ସହାୟତା ରାଶି ୨ଲକ୍ଷ ଟଙ୍କା ଆଜି ମଧ୍ୟ ଅପରିବର୍ତ୍ତିତ ରହିଲେ ସାଧାରଣ ଗରିବ ଖଟିଖିଆ,କୃଷକ କିଭଳି ଏହି ଦରବୃଦ୍ଧି ଘଣାରୁ ଉର୍ଦ୍ଧ୍ଵକୁ ଯାଇ ଏକ ଆବାସ ଗୃହର ଅଧିକାରୀ ହେବ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସର୍ବୋପରି ଉପରୋକ୍ତ ଦାବି ଗୁଡ଼ିକର ଉପଯୁକ୍ତ ବିଚାର ନ କଲେ ବସ୍ତି ବାସିନ୍ଦାଙ୍କ ତରଫରୁ ଆଗାମୀ ମେ ୯ତାରିଖରେ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଦାବିପତ୍ର ଦେବା ସମୟରେ ବସ୍ତି ସଭାପତି ବେଣୁ ବାଘ,ପି.କେ.ନାରାୟଣ,ସୁକ ଖେମୁଣ୍ଡୁ ଓ ଆସୁ ଖୋସଲା ପ୍ରଭୃତି ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.