ମୁମ୍ବାଇ: ହନୁମାନ ଚାଳିଶା ବିବାଦ ହେତୁ ଗିରଫ ହୋଇଥିବା ମହାରାଷ୍ଟ୍ରର ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଗତକାଲି ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଜାମିନ ମିଳିବା ପରେ ଆଜି ଦୁହେଁ ଜେଲରୁ ମୁକୁଳିଛନ୍ତି। ନବନୀତ ଭାୟଖଲା ମହିଳା ଜେଲରୁ ମୁକୁଳି ଥିବା ବେଳେ ରବି ରାଣା ତଲୋଜା ଜେଲରୁ ମୁକୁଳିଛନ୍ତି। ଏହା ପରେ ସେମାନଙ୍କୁ ଲୀଳାବତୀ ଡାକ୍ତରଖାନାକୁ ନିଆଯିବ ବୋଲି ଜଣାପଡ଼ିଛି।
ତେବେ ଜାମିନ ନିମନ୍ତେ ଅଦାଲତ ରଖିଥିବା ସର୍ତ୍ତାବଳିଗୁଡ଼ିକ ହେଉଛି: ଦମ୍ପତି ତଦନ୍ତକ୍ରିୟାରେ ବାଧା ଦେବେ ନାହିଁ କିଂବା ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ସେମାନେ ଏଭଳି କୌଣସି ଅପରାଧିକ ଘଟଣା ଘଟାଇବେ ନାହିଁ। ସେମିତି ହେଲେ ମଞ୍ଜୁର ହୋଇଥିବା ଜାମିନ ଖାରଜ ହୋଇଯିବ। ପ୍ରତ୍ୟେକ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବେ। ଏହା ବ୍ୟତିରେକେ, ସେମାନେ ଗଣମାଧ୍ୟମକୁ କୌଣସି କଥା କହିବାରୁ ନିବୃତ୍ତ ରହିବେ।
ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଏପ୍ରିଲ୍ ୨୩ ତାରିଖ ଦିନ ଖାର୍ ଥାନା ପୁଲିସ ଗିରଫ କରିଥିଲା। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ଏଥିଯୋଗୁଁ ସଦ୍ଭାବନା ଉଲ୍ଲଂଘନ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା।
ଜାମିନ ପାଇଁ ଆଡ୍ଭୋକେଟ୍ ରିଜ୍ୱାନ୍ ମର୍ଚାଣ୍ଟ୍ଙ୍କ ଜରିଆରେ ଏପ୍ରିଲ୍ ୨୫ ତାରିଖରେ ସାଂସଦ-ବିଧାୟକ ଦମ୍ପତି ସେସନ୍ କୋର୍ଟରେ ଆବେଦନ କରିଥିଲେ। ଏଥିରେ ସେମାନେ ଲେଖିଥିଲେ କି, ଜନସାଧାରଣଙ୍କ ସମର୍ଥନ ଯୋଗୁଁ ସେମାନେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଥିଲେ। ଏଥିରେ କିଛି ଗୋପନ ଅଭିସନ୍ଧି କିମ୍ବା ଘୃଣା ଭାବ ନ ଥିଲା।
Sign in
Sign in
Recover your password.
A password will be e-mailed to you.