ସିଏମ୍‌ସି ୯ ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ନାମ ଘୋଷଣା

କଟକ: ସିଏମ୍‌ସିର ତୃତୀୟ କାଉସିଲ ବୈଠକରେ ନିଗମର ୯ଟି ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବିଜୁଭବନସ୍ଥିତ ସମ୍ମିଳନୀ କକ୍ଷରେ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ସାଢେ ୨ଟାରେ ଆୟୋଜିତ ସଭାରେ ସିଏମ୍‌ସିର ୯ଟି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷଙ୍କ ନାମ ବିଧିବଧ ଭାବେ ଘୋଷଣା ହୋଇଛି।

ତେବେ ୮ଟି ଷ୍ଟାଣ୍ଡିଂ କମିଟି ମଧ୍ୟରୁ ଗୋଟିକରେ କଂଗ୍ରେସର କର୍ପୋରେଟର୍‌ଙ୍କୁ ଅଧ୍ୟକ୍ଷ ଭା‌ବେ ରଖିବାକୁ କଂଗ୍ରେସ କର୍ପୋରେଟରମାନଙ୍କ ଦାବି ପୂରଣ ନ‌ହେବାରୁ ସେମାନେ ଆଜିର ବୈଠକରେ ଯୋଗ ଦେଇ ନଥିଲେ। ମହାନଗର ନିଗମର ନବନିର୍ବାଚିତ କର୍ପୋରେଟର୍‌ଙ୍କୁ ନେଇ ଏପ୍ରିଲ ୨୯ରେ ସିଏମ୍‌ସିର ୯ଟି ସ୍ଥାୟୀ କମିଟି ମଧ୍ୟରୁ ୮ଟି କମିଟି ଗଠନ କରାଯାଇଥିଲା। ସେଗୁଡିକ ମଧ୍ୟରେ ଟିକସ ଓ ଅର୍ଥ କମିଟି, ସ୍ବାସ୍ଥ୍ୟ କମିଟି, ପୂର୍ତ୍ତ କମିଟି, ଯୋଜନା ଓ ଉନ୍ନୟନ କମିଟି, ଶିକ୍ଷା ଓ ଚିତ୍ତ ବିନୋଦନ କମିଟି, ଲାଇସେନ୍ସ ଓ ଆବେଦନ କମିଟି, ନିଗମ ସଂସ୍ଥାପନ କମିଟି ଓ ଅଭିଯୋଗ କମିଟି ଥିଲା। ଶେଷ ବୈଠକରେ ୮ଟି କମିଟି ଗଠନ ହୋଇଥିବା ବେଳେ ଆଜି ଚୁକ୍ତି କମିଟି ଗଠନ କରାଯାଇଛି। ଏଥିରେ ମେୟର୍‌ ଶ୍ରୀ ସିଂହ ଅଧ୍ୟକ୍ଷ ଥିବା ବେଳେ ୪୭ ନମ୍ବର କର୍ପୋରେଟର ଚୌଧୁରୀ ସୁବ୍ରତ ଘଡ଼ାଇ, ୧୭ ନମ୍ବରର ଏ. ଶ୍ରୀଦେବୀ ଓ ୮ ନମ୍ବରର ନମିତା ବାରିକ ସଦସ୍ୟ ଅଛନ୍ତି। ଆଜିର ବୈଠକରେ ୯ଟି କମିଟିର ଅଧ୍ୟକ୍ଷଙ୍କ ନାମ ମେୟର ସୁବାସ ସିଂହ ଘୋଷଣା କରିଥିଲେ।

ଟିକସ ଓ ଅର୍ଥ କମିଟର ଅଧ୍ୟକ୍ଷ ଭାବେ ଡେପୁଟି ମେୟର ତଥା ୪୯ ନମ୍ବର କର୍ପୋରେଟର ଦମୟନ୍ତୀ ମାଝୀ, ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷ ଭାବେ ୨୪ ନମ୍ବରର ଦୀପ୍ତିମୟୀ ମୂଳିଆ, ପୂର୍ତ୍ତ କମିଟିରେ ୪୪ ନଂ କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ଯୋଜନା ଓ ଉନ୍ନୟନ କମିଟି‌ରେ ୨୧ ନମ୍ବରର ଅଶୋକ ଶର୍ମା, ଶିକ୍ଷା ଓ ଚିତ୍ତ ବିନୋଦନରେ ୧୦ ନମ୍ବରର ମୋନାଲିସା ଦାଶ, ଲାଇସେନ୍ସ ଓ ଆବେଦନରେ ୧୭ ନମ୍ବରର ଏ. ଶ୍ରୀଦେବୀ, ନିଗମ ସଂସ୍ଥାପନରେ ୩୫ ନମ୍ବର ୱାର୍ଡର ପୂର୍ଣ୍ଣିମା ସ୍ବାଇଁ, ଅଭିଯୋଗ ଓ ସାମାଜିକ ନ୍ୟାୟ କମିଟିରେ ୩୬ ନମ୍ବର କର୍ପୋରେଟର ପ୍ରଳୟା ବେଉରାଙ୍କ ନାମ ଅଧ୍ୟକ୍ଷ ଭାବେ ରହିଛି। ଆସନ୍ତା ୧୩ ତାରିଖରେ ସିଏମ୍‌ସିର କାଉନସିଲ ବୈଠକ ବସିବ। ଏଥିରେ ନିଗମର ବିଭିନ୍ନ ସମସ୍ୟା ଓ କାମ ଉପରେ ଆଲୋଚନା କରାଯିବ ବୋଲି ମେୟର ଶ୍ରୀ ସିଂହ ସୂଚନା ଦେଇଛନ୍ତି। ନିଗମର ଗୋଟିଏ କମିଟିରେ କଂଗ୍ରେସର ଜଣେ କର୍ପୋରେଟର୍‌ଙ୍କୁ ଅଧ୍ୟକ୍ଷ ଭାବେ ରଖିବାକୁ ଦାବି କରି ବିଫଳ ହେବାରୁ ଆଜିର ବୈଠକରେ କଂଗ୍ରେସର କର୍ପୋରେଟର ଯୋଗ ଦେଇନଥିଲେ। ଏପରି ନିୟମ ପୌର ନିଗମ ଆଇନରେ ନଥିବା ବେଳେ ଏହାକୁ କରାଯାଇ ପାରିବ ନାହିଁ ବୋଲି ତାଙ୍କୁ ସୂଚନା ଦିଆଯାଇଛି ବୋଲି ମେୟର ଶ୍ରୀ ସିଂହ କହିଛନ୍ତି। ବୈଠକ‌ରେ ସିଏମ୍‌ସି କମିସନର ଅନନ୍ୟା ଦାସଙ୍କ ସମେତ ବିଜେଡି, ବିଜେପି ଓ ସ୍ବାଧୀନ କର୍ପୋରେଟର୍‌ମାନେ ଉପସ୍ଥିତ ଥିଲେ।

ଇତିଶ୍ରୀଙ୍କୁ କିଛି ମିଳିଲାନି
ସିଏମ୍‌ସିର ୯ଟି ସ୍ଥାୟୀ କମିଟି ମଧ୍ୟରୁ କୌଣସି ଗୋଟିଏରେ ବି ଜାଗା ପାଇ ନାହାନ୍ତି ବିଜେଡିରୁ ଲଗାତାର ଦୁଇଥର କର୍ପୋରେଟର ଜିତି ଥିବା ଇତିଶ୍ରୀ ଦାସ। ୨୦୧୪ ଓ ୨୦୨୨ରେ ସେ ବିଜେଡି ଟିକେଟରେ ୨୭ ନମ୍ବର ୱାର୍ଡରୁ କର୍ପୋରେଟର ଭାବେ ବିଜୟୀ ହୋଇ ଆସିଛନ୍ତି। କିନ୍ତୁ ତାଙ୍କୁ କୌଣସି କମିଟିରେ ସ୍ଥାନ ନ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗତ ବୈଠକରେ ସ୍ବାସ୍ଥ୍ୟ କମିଟି ଗଠନ ପାଇଁ ହୋଇଥିବା ନିର୍ବାଚନରେ ଶ୍ରୀମତୀ ଦାସ ଓ ୮ ନମ୍ବର କର୍ପୋରେଟର୍‌ ନମିତା ବାରିକ ପ୍ରଥମେ ଅନୁପସ୍ଥିତ ରହିବାରୁ ଏପରି କରାଯାଇଥିବା ଆଲୋଚନା କରାଯାଉଛି। ମାତ୍ର ୮ ନମ୍ବର କର୍ପୋରେଟର୍‌ ନମିତା ବାରିକଙ୍କୁ ଚୁକ୍ତି କମିଟିରେ ଆଜିର ବୈଠକରେ ନିଆଯାଇଥିବା ବେଳେ ଶ୍ରୀମତୀ ଦାସଙ୍କୁ କିନ୍ତୁ ଆଉ ସୁଯୋଗ ମିଳିନି।

୩ ଜଣଙ୍କୁ ଡବଲ୍ ଦାୟିତ୍ବ, ୩ ଜଣ ସଂପୂର୍ଣ୍ଣ ବାଦ୍
ମହାନଗର ନିଗମର ୮ଟି ସ୍ଥାୟୀ କମିଟ‌ରେ ୭ଜଣ ଓ ଗୋଟିଏ କମିଟିରେ ୩ଜଣ କର୍ପୋରେଟର୍‌ ସଦସ୍ୟ ଭାବେ ରହିଛନ୍ତି। ମୋଟ ୯ଟି କମିଟିରେ ୫୯ଜଣ କର୍ପୋରେଟର ରହିବାର ବ୍ୟବସ୍ଥା ଥିବା ବେଳେ ୩ଜଣ କର୍ପୋରେଟରଙ୍କୁ କୌଣସି କମିଟିରେ ସ୍ଥାନ ମିଳିନାହିଁ। ସେମାନଙ୍କ ମଧ୍ୟରେ ୨ଜଣ କଂଗ୍ରେସରୁ ଥିବା ବେଳେ ଜଣେ ବିଜେଡିରୁ ଅଛନ୍ତି। କଂଗ୍ରେସରୁ ୧୫ ନମ୍ବରର ଲିଜାରାଣୀ ରାଉତ ଓ ୫୮ ନମ୍ବର ଜନାର୍ଦ୍ଦନ ପରିଡା ଥିବା ବେଳେ ବିଜେଡିରୁ ୨୭ ନମ୍ବର କର୍ପୋରେଟର ଇତିଶ୍ରୀ ଦାସ ଅଛନ୍ତି। ଅନ୍ୟପଟେ ୩୬ ନମ୍ବର କର୍ପୋରେଟର ମଧୁସ୍ମିତା ବାରିକଙ୍କୁ ପୂର୍ତ୍ତ ଓ ଅଭିଯୋଗ ୨ଟି କମିଟିରେ ସ୍ଥାନ ମଳିଛି। ସେହିପରି ୫୨ର ସୌଭାଗିନୀ ଜେନାଙ୍କୁ ଶିକ୍ଷା ଓ ଅଭିଯୋଗ କମିଟିରେ ସ୍ଥାନ ମିଳିଥିବା ବେଳେ ୧୭ ନମ୍ବର କର୍ପୋରେଟର ଏ. ଶ୍ରୀଦେବୀ ଲାଇସେନ୍ସ ଓ ଆବେଦନ କମିଟିର ଅଧ୍ୟକ୍ଷା ଥିବା ବେଳେ ଚୁକ୍ତି କମିଟିରେ ମଧ୍ୟ ତାଙ୍କୁ ସଦସ୍ୟ ଭାବେ ରଖାଯାଇଛି। ଏଭଳି ବିଚିତ୍ର ନିଷ୍ପତ୍ତି ଏବେ ସବୁ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

nis-ad
Leave A Reply

Your email address will not be published.