ସରିଲା ଆଦିବାସୀ ମେଳା: ୪କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର

ଭୁବନେଶ୍ୱର:ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ୧୦ଦିନ ଧରି ଚାଲିଥିବା ଆଦିବାସୀ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ବିଭିନ୍ନ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କୃଷିଜାତ ସାମଗ୍ରୀ ତଥା ସେମାନଙ୍କ ଦ୍ୱାରା ସଂଗୃହୀତ ବନଜାତ ପଦାର୍ଥଗୁଡ଼ିକର ବହୁଳ ପ୍ରଦର୍ଶନ ଓ ବିକ୍ରିର ବ୍ୟବସ୍ଥା ରହିଥିଲା।

କୋଭିଡ୍‌ କଟକଣା ଆଧାରରେ ଚଳିତ ବର୍ଷ ଆଦିବାସୀ ମେଳାରେ ଆଦିବାସୀ ଗାଁର ମଡେଲ ନ ଥିଲା, ତଥାପି ପ୍ରଚୁର ଜନସମାଗମ ଆଦିବାସୀ ମେଳା ପ୍ରତି ଭଲ ପାଇବା ସୂଚାଇ ଦେଉଥିଲା। ପ୍ରାୟ ୬ ଲକ୍ଷ ୫୦ ହଜାର ଲୋକ ମେଳା ପରିଦର୍ଶନ କରିବାବେଳେ ୪କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର ହୋଇଥିବା ପ୍ରାଥମିକ ଅଟକଳରୁ ଜଣାପଡ଼ିଛି। ଏଥିସହ କାରବାର କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଷ୍ଟଲ ଓ ସଂସ୍ଥାଗୁଡ଼ିକୁ ଉଦ୍‌ଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଛି।
ଉଦ୍‌ଯାପନୀ ଉତ୍ସବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଓ ସଦସ୍ୟ ସଚିବ ତଥା ମେଳାର ନୋଡାଲ ଅଫିସର ପ୍ରଫେସର ଅଖିଳ ବିହାରୀ ଓତା ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଫେସର ଓତାଙ୍କ ଦ୍ୱାରା ସମ୍ପାଦିତ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହିତ ‘ସରଗିଫୁଲ୍‌’ର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଶୁଭାରମ୍ଭ ହୋଇଥିଲା। ସରଗିଫୁଲ୍‌ ୨୦୨୧ ଉତ୍ସବରେ ଉତ୍ତମ ପ୍ରଦର୍ଶନ କରିଥିବା ରାୟଗଡ଼ା, କୋରାପୁଟ ଓ ମୟୂରଭଞ୍ଜ ଜିଲାକୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଶେଷ ସନ୍ଧ୍ୟାରେ ନବରଙ୍ଗପୁରର ଭୋତଡ଼ା ନୃତ୍ୟ, ଗଣ୍ଡ ନୃତ୍ୟ, ବାଲିପରବ ଏବଂ ଗୁଣୁପୁରର ସଉରାଙ୍କ ମିରିଆ ନାଚରେ ଦର୍ଶକ ବିମୋହିତ ହୋଇଥିଲେ।

nis-ad
Leave A Reply

Your email address will not be published.