ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ : ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ସୁନ୍ଦରଗଡ଼ (୦୨/୦୫) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଦିନ ସ୍ଥାନୀୟ ସଦଭାବନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା, ଅଭିଯୋଗ ଆଦି ଶୁଣାଣି କରି ଏହାର ସମାଧାନ ପାଇଁ ଉପସ୍ଥିତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ପୌରପାଳିକା ସହିତ ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନେ ଯୋଗ ଦେଇଥିଲେ। ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡରୁ ଆସିଥିବା ଲୋକେ ରାସ୍ତା, ଡ୍ରେନ, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେl ସେହିପରି ଗ୍ରାମାଞ୍ଚଳରୁ ଆସିଥିବା ଲୋକେ ଜମିଜମା ବିବାଦ, ରାସନ କାର୍ଡ, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ରାସ୍ତା, ଶୌଚାଳୟ, ପୋଖରୀ ପୁନରୁଦ୍ଧାର ଆଦି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ।

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ କେତେକ ଲୋକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଓ ପ୍ରସ୍ତାବ ଦେଇଥିଲେ। ଏହାକୁ ଜିଲ୍ଲାପାଳ ସ୍ୱାଗତ କରିବା ସହିତ ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗ୍ରାମସଭାସ୍ତରରେ ଏହାକୁ ଅନୁମୋଦନ କରି ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ଆବେଦନ କରିବାକୁ ଜିଲାପାଳ ଗ୍ରାମବାସୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସପି ସାଗରିକ ନାଥ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ଶିବ ଟପ୍ପୋ, ଉପଜିଲାପାଳ ଅଭିମନ୍ୟୁ ବେହେରା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କ ସହିତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ପ୍ରତି ମାସର ପ୍ରଥମ ସୋମବାର ଦିନ ଜିଲ୍ଲା ସଦରମହକୁମାଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ସେହିପରି ବ୍ଲକସ୍ତରରେ ମଧ୍ୟ ଜନଶୁଣାଣି କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କର ସମସ୍ୟା, ଆପତ୍ତି ଅଭିଯୋଗ ଆଦି ଗ୍ରହଣ କରାଯାଉଥିଲା। କୋଭିଡ୍ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଗତ ଏପ୍ରିଲ ୧୮ ତାରିଖରୁ ଏହି ଜନଶୁଣାଣି କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ କରାଯାଇଛି।

ଏପ୍ରିଲ ୧୮ରେ ସୁନ୍ଦରଗଡ଼ଠାରେ ଜନଶୁଣାଣି କରାଯାଇଥିବା ବେଳେ ୨୫ରେ କୋଇଡ଼ାଠାରେ ଯୁଗ୍ମ ଜନଶୁଣାଣି କରାଯାଇଥିଲା। ଏପ୍ରିଲ ୯ ତାରିଖରେ ରାଉରକେଲାଠାରେ ଯୁଗ୍ମ ଜନଶୁଣାଣି ଆୟୋଜନ କରାଯିବ।

nis-ad
Leave A Reply

Your email address will not be published.