୮ ପରାଜୟ ପରେ ବିଜୟର ସ୍ବାଦ ଚାଖିଲା ମୁମ୍ବାଇ

ମୁମ୍ବାଇ: ଦୀର୍ଘ ୩୫ ଦିନର ସଂଘର୍ଷ ଏବଂ ଲଗାତାର ୮ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଉଦୟ ହୋଇଛି। ଆଇପିଏଲ୍‌ର ସଫଳତମ ଦଳ ଶେଷରେ ନିଜ ନବମ ମୁକାବିଲାରେ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସକୁ ୫ ୱିକେଟ୍‌ରେ ହରାଇ ବହୁପ୍ରତୀକ୍ଷିତ ବିଜୟ ହାସଲ କରିଛି। ତା’ ସହ ସବାଶେଷ ଦଳ ଭାବେ ଚଳିତ ଆଇପିଏଲ୍‌ରେ ଖାତା ଖୋଲିଛି। ମୁମ୍ବାଇର ଏହି ବିଜୟ ପ୍ରଶଂସକଙ୍କୁ ଆଶ୍ବସ୍ତ କରିଛି। ସେହିଭଳି ନିଜ ୩୫ତମ ଜନ୍ମଦିନରେ ବ୍ୟକ୍ତିଗତ ଭାବେ ବିଫଳ ହୋଇଥିଲେ ମଧ୍ୟ ଦଳଗତ ସଫଳତା ହାସଲ କରି ଅଧିନାୟକ ରୋହିତ ଶର୍ମା ଶାନ୍ତିର ନିଶ୍ବାସ ମାରିଛନ୍ତି।
ଶନିବାର ରାଜସ୍ଥାନ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ମୁମ୍ବାଇ ପୁଣି ଥରେ ପ୍ରାରମ୍ଭିକ ବିଫଳତାର ସମ୍ମୁଖୀନ ହୋଇ ୨୬ ରନ୍‌ରେ ରୋହିତଙ୍କୁ ହରାଇଥିଲା। ଫର୍ମରେ ନଥିବା ରୋହିତଙ୍କୁ ରବିଚନ୍ଦ୍ରନ୍ ଅଶ୍ବିନ ମାତ୍ର ୨ ରନ୍‌ରେ ଡାରିଲ ମିଚେଲଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ହେଲେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ (୫୧) ସହ ଈଶାନ କିଶନଙ୍କ ୨୬ , ତିଳକ ବର୍ମାଙ୍କ ୨୭ ଏବଂ ଟିମ୍ ଡେଭିଡ୍‌ଙ୍କ ୨୦* ରନ୍ ବଳରେ ମୁମ୍ବାଇ ୧୯.୨ ଓଭରରେ ୧୬୧ ରନ୍ କରି ତା’ର ପରାଜୟ ଧାରାକୁ ଟାଳି ଥିଲା। ଶେଷ ଓଭରରୁ ବିଜୟ ପାଇଁ ୪ ରନ୍‌ର ଦରକାର ଥିଲା। ପ୍ରଥମ ବଲ୍‌ରେ କିରଣ ପୋଲାର୍ଡ ଆଉଟ୍ ହେବା ମୁମ୍ବାଇକୁ ପୁଣି ଥରେ ଆଶା, ଆଶଙ୍କା ଭିତରକୁ ଠେଲି ଦେଇଥିଲା। ତେବେ କୁଲଦୀପ ସେନ୍‌ଙ୍କ ଏହି ଓଭରର ଦ୍ବିତୀୟ ବଲ୍‌କୁ ଛକା ମାରି ଡାନିଏଲ୍ ସାମ୍ସ ମୁମ୍ବାଇକୁ ବିଜୟ ଭେଟି ଦେଇଥିଲେ।
ଡି ୱାଇ ପାଟିଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଓପନର ଜୋସ୍ ବଟଲରଙ୍କ ୬୭ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ବଟଲରଙ୍କ ବ୍ୟତୀତ କିନ୍ତୁ ଅନ୍ୟ କୌଣସି ରାଜସ୍ଥାନ ବ୍ୟାଟର୍‌ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ। ସେପଟେ ମୁମ୍ବାଇ ବୋଲର ମାପଚୁପ ଏବଂ ଶାଣିତ ବୋଲିଂ କରି ରାଜସ୍ଥାନର ଅଧିକାଂଶ ବ୍ୟାଟର୍‌ଙ୍କୁ ବା‌ନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ଏପରିକି ସିମରନ୍ ହେଟମାୟର ୧୪ ବଲ୍ ଖେଳି ମାତ୍ର ୬ ରନ୍‌ରେ ଅପରାଜିତ ରହିଥିଲେ। ଶେଷ ଆଡ଼କୁ ଅବଶ୍ୟ ଆର ଅଶ୍ବିନ ୯ ବଲ୍‌ରୁ ୨୧ ରନ୍ କରି ରାଜସ୍ଥାନ ସ୍କୋରକୁ ଦେଢ଼ ଶହ ରନ୍ ପାର କରାଇ ଦେଇଥିଲେ। ହେଲେ ମୁମ୍ବାଇର ପଦାର୍ପଣକାରୀ କଚଟି ସ୍ପିନର କୁମାର କାର୍ତ୍ତିକେୟ ସିଂହ ୪ ଓଭର ବୋଲିଂ କରି ମାତ୍ର ୧୯ ରନ୍ ବିନିମୟରେ ଗୋଟିଏ ୱିକେଟ୍ ନେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

nis-ad
Leave A Reply

Your email address will not be published.