୨୦୭୦ ସୁଦ୍ଧା ବ୍ୟାପିବ ହଜାରେ ନୂଆ ଭାଇରସ

ୱାଶିଂଟନ: ଗୋଟିଏ କି ଦୁଇଟି ନୁହେଁ। ହଜାର ସଂଖ୍ୟାରେ ନୂଆ ଭାଇରସ ଦେଖାଦେବ। ପଶୁଙ୍କ ଠାରୁ ଏହି ରୋଗ ସଂକ୍ରମଣ ଡେଇଁ ମଣିଷଙ୍କୁ ସଂକ୍ରମିତ କରିବ। ପାଣିପାଗରେ ଦୃତ ପରିବର୍ତ୍ତନ ତଥା ତାପମାତ୍ର ବୃଦ୍ଧି ଏହି ନୂଆ ସଂକ୍ରମଣକୁ ଜନ୍ମ ଦେବ। ଏନେଇ ଏକ ବିଶେଷଜ୍ଞ କମିଟି ଅଧ୍ୟୟନରୁ ଜଣାପଡ଼ିଛି। ଏହି ସଂକ୍ରମଣ ଦ୍ରୁତଗତିରେ ପଶୁମାନଙ୍କ ଦେହରୁ ମଣିଷକୁ ବ୍ୟାପିବ। ୨୦୭୦ ସୁଦ୍ଧା ଏଭଳି ଭୟଙ୍କର ଘଟଣା ଘଟିବାକୁ ଯାଉଥିବା ଜଣାପଡ଼ିଛି। ଇଣ୍ଡିଆ ଟୁଡେରେ ଏନେଇ ଖବର ପ୍ରକାଶ ପାଇଛି।
ଆଫ୍ରିକା ଓ ଏସିଆ ମହାଦେଶରେ ଏଭଳି ସଂକ୍ରମଣ ଦ୍ରୁତଗତିରେ ମାଡ଼ିବ। ଏଚ୍ଆଇଭି, ଇବୋଲା, କରୋନାଭାଇରସ ଭଳି ଏହା ଆସନ୍ତା ଦଶନ୍ଧିରେ ମାନବ ସମାଜ ନିମେନ୍ତ ବିପଦ ଆଣିଦେବ। ଗୁରୁବାର ଏନେଇ ନେଚର ପତ୍ରିକାରେ ରିପୋର୍ଟ ପ୍ରକାଶ ପରେ ଆଲୋଚନା ଆରମ୍ଭ ହୋଇଥିଲା। ୩୦୦୦ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଯଦି ପୃଥିବୀର ତାପମାତ୍ର ଆଉ ୨ ଡିଗ୍ରୀ ବଢ଼େ ତେବେ ଆସନ୍ତା ୫୦ ବର୍ଷ ଭିତରେ ପଶୁମାନଙ୍କ ଠାରୁ ଏହି ଭାଇରସ ବ୍ୟାପିବ। ପ୍ରାୟ ୪ ହଜାର ଗୁଣା ଅଧିକ ବେଗରେ ଏହି ସଂକ୍ରମଣ ସ୍ତନ୍ୟପାୟୀ ପ୍ରାଣୀଙ୍କ ଭିତରେ ବ୍ୟାପିବ। ତେବେ ଏହି ଅଧ୍ୟୟନରେ ସାମୁଦ୍ରିକ ପ୍ରାଣୀ ଓ ପକ୍ଷୀମାନଙ୍କୁ ନିଆଯାଇ ନ ଥିଲା।
କରୋନା ଭଳି ଏ ସମସ୍ତ ଭାଇରସ ହଇଚଇ ସୃଷ୍ଟି ନକଲେ ମଧ୍ୟ ଏହା ମଣିଷକୁ ସଂକ୍ରମିତ କରିବାର ବିପଦ ବଢ଼ାଇବ। ଜଳବାୟୁ ପରିବର୍ତ୍ତନ ଓ ସଂକ୍ରମିତ ରୋଗ ବ୍ୟାପୀବା ନେଇ ବିଶ୍ୱରେ ଅଲୋଚନା ଲାଗି ରହିଥିବା ବେଳେ ଏହି ଦୁଇଟି ଜିନିଷ ଉପରେ ଅଧ୍ୟୟନ ହୋଇଥିଲା। ଅଧ୍ୟୟନର ସହଧର ଜର୍ଜେଟାଉନ୍ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀ ତଥା ସହରକାରୀ ପ୍ରଫେସର କଲିନ୍ କାର୍ଲସନ୍ କହିଛନ୍ତି, ଜଳବାୟୁ ଉପରେ ସେ ବିଶେଷ କିଛି ନ କହିପରିଲେ ମଧ୍ୟ ପଶୁମାନଙ୍କ ଠାରୁ ମଣିଷଙ୍କୁ ରୋଗ ବ୍ୟାପୀବା ଆଶଙ୍କା ରହିଛି। ନେବରାସ୍କା ରାଜ୍ୟ ସଂଗ୍ରହାଳୟର ଜୀବବିଜ୍ଞାନୀ ତଥା ଅଧ୍ୟୟନର ଅନ୍ୟତମ ସହଧର ଡାନିଏଲ୍ ଆର ବ୍ରୁକସ୍ କହିଛନ୍ତି, ଦ୍ରୁତ ଜଳବାୟୁ ପରିବର୍ତ୍ତନ ସଂକ୍ରାମକ ରୋଗ ବୃଦ୍ଧିର କାରଣ ହୋଇଛି। ଜଳବାୟୁ, ସ୍ୱାସ୍ଥ୍ୟ ଓ ପରିବେଶ ବିଶେଷଜ୍ଞ ତଥା ଶିଶୁରୋଗ ଡାକ୍ତର ଆରୋନ ବର୍ନଷ୍ଟାଇନ୍ କହିଛନ୍ତି, ଏହି ଅଧ୍ୟୟନରେ ତାପମାତ୍ର ବୃଦ୍ଧିଜନିତ ରୋଗ ସଂକ୍ରମଣ ବ୍ୟାପିବାର କାରଣ ହେବ ବୋଲି ଜଣାପଡ଼ିଛି।

nis-ad
Leave A Reply

Your email address will not be published.