ଗୋରଖନାଥ ଆକ୍ରମଣକାରୀର ଆଇଏସଆଇଏସ ଲିଙ୍କ ! 

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିର ନିକଟରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ଅହମଦ ମୁର୍ତାଜା ଆବ୍ବାସୀକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜେରା ବେଳେ ଆବ୍ବାସୀର ଲିଙ୍କ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ ସହ ରହିଥିବା ଜଣାପଡ଼ିଛି।
ୟୁପି ପୁଲିସ୍‌ର ସୂଚନା ଅନୁଯାୟୀ, ମୁର୍ତାଜା ଆବ୍ବାସୀ ଆଇଏସଆଇଏସ୍‌ ପାଇଁ ଲଢ଼େଇ କରିବାର ଶପଥ ନେଇଥିଲା। ଏଥିସହ ସଂଗଠନକୁ ସମର୍ଥନ କରୁଥିବା ଲୋକମାନଙ୍କୁ ଆର୍ଥିକ ସହାୟତା ଦେଉଥିଲା। ୨୦୨୦ରେ ହିଁ ସେ ଆଇଏସଆଇଏସ୍‌ ପାଇଁ ଶପଥ ନେବା ସହ ଲଢ଼େଇ ପାଇଁ ନିଜକୁ ପ୍ରସ୍ତୁତ କରିଥିଲା।
ଖାଲି ସେତିକି ନୁହେଁ, ଆବ୍ବାସୀ ଆଇଏସଆଇଏସ୍‌ ଆତଙ୍କବାଦୀ ଓ ଅପପ୍ରଚାର କାର୍ଯ୍ୟରେ ଲିପ୍ତ ଥିବା ମେହେନ୍ଦି ମସୁଦ ସହ ସୋଶାଲ ମିଡିଆରେ ଯୋଡ଼ି ହୋଇ ରହିଥିଲା। ୨୦୧୪ରେ ମେହେନ୍ଦିକୁ ବେଙ୍ଗାଲୁରୁ ପୁଲିସ୍‌ ଗିରଫ କରଛି। ସୋଶାଲ ମିଡିଆ ଦ୍ୱାରା ମୁର୍ତାଜା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବର ଆଇଏସ୍‌ର ବିଭିନ୍ନ ଆତଙ୍କୀ ଓ ଆକ୍କାମାନଙ୍କ ସହ ନିୟମିତ କଥାବାର୍ତ୍ତା କରୁଥିଲା ବୋଲି ଜେରା ବେଳେ ସୂଚନା ମିଳିଛି।
ଜେରେ ବେଳେ ମୁର୍ତାଜା କହିଛି ଯେ ଇଣ୍ଟରନେଟରେ ସେ ଏକ-୪୭ ଓ ୫.୪ କାରବାଇନ ଭଳି ଅତ୍ୟାଧୁନିକ ରାଇଫଲ ସମ୍ପର୍କରେ ପ୍ରକାଶିତ ଆର୍ଟିକିଲ୍‌ ସବୁ ପଢ଼ୁଥିଲା। ସେ ତା’ ଘରେ ଏୟାର ରାଫଲ ଅଭ୍ୟାସ କରିବା ସହ ନିଜକୁ ଲଢ଼େଇ ପାଇଁ ପ୍ରସ୍ତୁତ କରୁଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛି। ଏପରି ତଥ୍ୟ ଆସିବା ପରେ ପୁଲିସ୍‌ ମୁର୍ତାଜା ସହ ଲିଙ୍କ ରଖିଥିବା ଅନ୍ୟମାନଙ୍କୁ ମଧ୍ୟ ଖୋଜିବା ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଏପ୍ରିଲ ୩ ତାରିଖ ରାତିରେ ଗୋରଖନାଥ ମନ୍ଦିର ବାହାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଆଇଆଇଟି ଗ୍ରାଜୁଏଟ ମୁର୍ତାଜା ଧାରୁଆ ଅସ୍ତ୍ର ଦ୍ୱାରା ପୁଲିସ୍‌କୁ ଆକ୍ରମଣ କରିଥିଲା। ଏଥିସହ ସେ ବଳପୂର୍ବକ ମନ୍ଦିର ଭିତରକୁ ମଧ୍ୟ ପଶିବାକୁ ଚେଷ୍ଟା କରିଥିଲା। ତେବେ ସେ ମନ୍ଦିରରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ଲୋକମାନେ ତା’ ଉପରକୁ ପଥର ମାଡ଼ କରିଥିଲେ।
ପୁଲିସ୍‌ ମଧ୍ୟ ତା’ ଉପରକୁ ପଥ ମାଡ଼ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। କିଛି ସମୟର ଟକ୍କରାଟକ୍କରି ପରେ ଉପସ୍ଥିତ ଲୋକମାନେ ତା’କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ଏହି ଘଟଣାରେ ୨ ଜଣ ପୁଲିସ୍‌ କନଷ୍ଟେବଲ ଆହତ ମଧ୍ୟ ହୋଇଥିଲେ।

nis-ad
Leave A Reply

Your email address will not be published.