ଶେଷ ହେଲା ମାଟ୍ରିକର ପ୍ରଥମ ଦିନ ପରୀକ୍ଷା

କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-୨) ଆଜିଠୁ ଆରମ୍ଭ ହୋଇଛି । ୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୮ ରୁ ୧୦ ଯାଏଁ ପରୀକ୍ଷା ହୋଇଛି । ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ମଇ ୧୦ ଯାଏ ଚାଲିବ ପରୀକ୍ଷା । ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।

ରାଜ୍ୟରେ ୩୫୪୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଛି । ନୋଡାଲ ସେଣ୍ଟର ମାନଙ୍କରେ ୨୪ ଘଣ୍ଟିଆ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ୨୧ ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ୨୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ବୁକଲେଟ ଓ ଓଏମଆର ସିଟ ପଠାଯାଇଛି । ଏହାସହ କପି ରୋକିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୬୫ ଫ୍ଲାଇଂସ୍କ୍ବାର୍ଡ ସହିତ ୪ ସ୍ତରୀୟ ବ୍ୟବସ୍ଥା ଓ ବୋର୍ଡର ସ୍ବତନ୍ତ୍ର ୩୮ଟି ସ୍କ୍ବାର୍ଡ ହୋଇଛି । ଏଥର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଧିକାରୀ ସ୍କୁଲ ପରିଦର୍ଶନ କରିବେ ।

କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ସହ ଖରା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ବିଶେଷ କରି ବିଜୁଳି ସରବରାହ ଯେମିତି ବିଚ୍ଛିନ୍ନ ନ ହୁଏ, ସେଥିପାଇଁ ବିଦ୍ୟୁତ କମ୍ପାନୀ ସହ ଯୋଗାଯୋଗ ହୋଇଛି । ସବୁ କେନ୍ଦ୍ରରେ ସିସିଟିଭି ନଜର ରଖିଛି ।

ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରୀକ୍ଷା କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦେଇ ଉତ୍ତମ ପ୍ରଦର୍ଶନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଶାନ୍ତିପୂର୍ଣ୍ଣ ଓ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

nis-ad
Leave A Reply

Your email address will not be published.