ଏସୀୟ ବ୍ୟାଡ୍‌ମିଣ୍ଟନ: ସିନ୍ଧୁ, ସାଇନା, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ ଲକ୍ଷ୍ୟ, ପ୍ରଣୀତ ଓ କାଶ୍ୟପ ହାରିଲେ

ମାନିଲା (ଫିଲିପାଇନ୍ସ): ଭାରତର ତାରକା ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ପରେ ଯୁଗଳ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ, ଲଣ୍ଡନ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ସାଇନା ନେହ୍ବାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଏଠା‌ରେ ଚାଲିଥିବା ଏସୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ଲକ୍ଷ୍ୟ ସେନ୍‌କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଛି। ମଙ୍ଗଳବାର ସାତ୍ତ୍ବିକ-ଚିରାଗ ଯୋଡ଼ି ପୁରୁଷ ଯୁଗଳରେ ପ୍ରଥମ ରାଉଣ୍ଡ୍‌ ଅତିକ୍ରମ କରିଥିଲା ବେଳେ ବୁଧବାର ମହିଳା ଏକକରେ ଉଭୟ ସିନ୍ଧୁ ଓ ସାଇନା ପ୍ରଥମ ରାଉଣ୍ଡ ଜିତିଛନ୍ତି। ବିଶ୍ବ ମାନ୍ୟତାର ସପ୍ତମ ସିନ୍ଧୁ ପ୍ରଥମ ଗେମ୍‌ ହାରିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ୩୯ ମାନ୍ୟତାପ୍ରାପ୍ତ ଚାଇନିଜ୍ ତାଇପେର ପାଇ ୟୁ ପୋ’ଙ୍କୁ ୧୮-୨୧, ୨୭-୨୫ ଓ ୨୧-୯ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୧୭ ମିନିଟ୍‌ ଧରି ଚାଲିଥିଲା। ଅନ୍ୟପକ୍ଷରେ କିଛିଟା ଆଘାତଜନିତ ସମସ୍ୟାରୁ ମୁକୁଳିବା ପରେ କୋର୍ଟକୁ ଫେରିଥିବା ସାଇନା ପ୍ରଥମ ରାଉଣ୍ଡ୍‌ରେ ଦକ୍ଷିଣ କୋରିଆର ସିମ୍‌ ୟୁଜିନ୍‌ଙ୍କୁ ୨୧-୧୫, ୧୭-୨୧ ଓ ୨୧-୧୩ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଛନ୍ତି। ଅନ୍ୟ ଏକ ମହିଳା ଏକକ ସଂଘର୍ଷପୂର୍ଣ୍ଣ
ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ମାଲବିକା ବନ୍‌ସୁଦ୍‌ ୯-୨୧, ୨୧-୧୭ ଓ ୨୬-୨୪ରେ ସିଙ୍ଗାପୁରର ‌ୟୋ ଜିଆ ମିନ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି।
ସେହିପରି ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ଶ୍ରୀକାନ୍ତ ଆଧିପତ୍ୟ ବିସ୍ତାର କରି ସିଧାସଳଖ ଗେମ୍‌ ୨୨-୨୦ ଓ ୨୧-୧୫ରେ ମାଲେସିଆର ଏନ୍‌ଜି ଜି ୟଙ୍ଗ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ ସ୍ଥାନ ପକ୍କା କରିଛନ୍ତି।
ହେଲେ ଲକ୍ଷ୍ୟ ସେନ୍‌ଙ୍କ ସହିତ ବିଶ୍ବ ମାନ୍ୟତାର ୧୯ ବି ସାଇ ପ୍ରଣୀତ ଓ ଆକର୍ଷି କାଶ୍ୟପ ପ୍ରଥମ ରାଉଣ୍ଡ ପରାଜୟ ସହ ବିଦାୟ ନେଇଛନ୍ତି। ପଞ୍ଚମ ମାନ୍ୟତାପ୍ରାପ୍ତ ଲକ୍ଷ୍ୟଙ୍କୁ ଏହି ରାଉଣ୍ଡ୍‌ରେ ଚୀନ୍‌ର ଅଣମାନ୍ୟତା ଖେଳାଳି ଲି ସି ପେଙ୍ଗ୍‌ ୧୨-୨୧, ୨୧-୧୦ ଓ ୨୧-୧୯ରେ ପରାସ୍ତ କରିଥିଲା ବେଳେ ପ୍ରଣୀତଙ୍କୁ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟି ୨୧-୧୭ ଓ ୨୧-୧୩ରେ ପରାସ୍ତ କରିଥିଲେ। ସେହିପରି ଆକର୍ଷି ୨୧-୧୫ ଓ ୨୧-୯ରେ ଜାପାନର ଶୀର୍ଷ ମାନ୍ୟତା ଅକାନେ ୟାମାଗୁଚିଙ୍କଠାରୁ ପରାସ୍ତ ହୋଇଥିଲେ। ଏମାନଙ୍କ ବ୍ୟତୀତ ଉଭୟ ମହିଳା ଯୁଗଳ ଯୋଡ଼ି ମଧ୍ୟ ପରାଜୟର ମୁହଁ ଦେଖିଛନ୍ତି। ପ୍ରଥମ ରାଉଣ୍ଡ୍‌ରେ ଅଶ୍ବିନୀ ଭଟ୍ଟ-ସିକ୍‌ଗା ଗୌତମ ଯୋଡ଼ି ୧୯-୨୧ ଓ ୧୨-୨୧ରେ ମାଲେସିଆ ଯୋଡ଼ି ଆନ୍ନା ଚିଙ୍ଗ୍‌ ୟିକ୍‌ ଚିଓଙ୍ଗ୍ ଓ ତିଓ ମେଇ ଜିଙ୍ଗ୍‌ଙ୍କଠୁ ଏବଂ ସିମ୍ରନ ସିଂଘି-ରିତିକା ଠାକେର ଯୋଡ଼ି ୧୫-୨୧ ଓ ୧୧-୨୧ରେ ସପ୍ତମ ମାନ୍ୟତାପ୍ରାପ୍ତ ଯୋଡ଼ି ପର୍ଲି ତାନ୍‌ ଓ ମୁରଲୀଧରନ ତିନାହାଙ୍କଠୁ ହାରି ବିଦାୟ ନେଇଛନ୍ତି।

nis-ad
Leave A Reply

Your email address will not be published.