ରାଜସ୍ଥାନ କଂଗ୍ରେସରେ ହଟ୍ଟଚମଟ : ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି

ଜୟପୁର: ପୁଣି ବାହାରିଛି ରାଜସ୍ଥାନ କଂଗ୍ରେସର ପୁରୁଣା ରୋଗ। କିଛି ଦିନର ନୀରବତା ପରେ ବରିଷ୍ଠ ନେତା ସଚିନ ପାଇଲଟଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ଏପରି କି ନିଜେ ସଚିନ ପାଇଲଟ ମଧ୍ୟ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। କାଳ ବିଳମ୍ବ ନ କରି କଂଗ୍ରେସ ହାଇକମାଣ୍ଡ ତୁରନ୍ତ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରନ୍ତୁ ବୋଲି ସଚିନ ପାଇଲଟ କହିଛନ୍ତି।
ଆଉ ପ୍ରାୟ ଦେଢ଼ ବର୍ଷ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ମନ ବଳାଇଛନ୍ତି। ପୂର୍ବରୁ ମଧ୍ୟ ସଚିନ ଓ ତାଙ୍କ ସମର୍ଥକମାନେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ତେବେ କଂଗ୍ରେସ ହାଇକମାଣ୍ଡଙ୍କ ବୁଝାସୁଝା ପରେ ସ୍ଥିତିରେ ସୁଧାର ଆସିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବାରୁ ସୋନିଆ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଥିଲେ। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ନ କରାଯାଏ, ତା’ହେଲେ ପଞ୍ଜାବ ଭଳି ରାଜସ୍ଥାନରେ ମଧ୍ୟ କଂଗ୍ରେସ ଗାଦିଚ୍ୟୁତ ହେବ। ଏ ସମ୍ପର୍କରେ ଗତ ସପ୍ତାହରେ ସଚିନ ପାଇଲଟ ପୃଥକ ପୃଥକ ଭାବେ ସୋନିଆ, ପ୍ରିୟଙ୍କା ଓ ରାହୁଲ ଗାନ୍ଧିଙ୍କ ସହ ବୈଠକ କରିଥିଲେ। ନିଜର ଭବିଷ୍ୟତ ସମ୍ପର୍କରେ ସେ ସମସ୍ତଙ୍କ ସହ ଆଲୋଚନା କରିବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଦେବାକୁ କହିଥିବା ଜଣାପଡ଼ିଛି।
୨୦୨୩ ଡିସେମ୍ବର ସୁଦ୍ଧା ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ତେଣୁ ସଚିନ ଏହାକୁ ଦୃଷ୍ଟିରେ ରଖି ହାଇକମାଣ୍ଡଙ୍କୁ ଖୋଲା ଚେତାବନୀ ଦେଇଛନ୍ତି। ଏଥିସହ ପଞ୍ଜାବ କଥା ମଧ୍ୟ କହିଛନ୍ତି। ପଞ୍ଜାବରେ ଚରଣଜିତ ସିଂହ ଚନ୍ନିଙ୍କୁ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ହେଲେ ରାଜ୍ୟରେ କଂଗ୍ରେସ ଗାଦିଚ୍ୟୁତ ହୋଇଥିଲା। ଏଥିପାଇଁ କାଳବିଳମ୍ବ ନ କରି ସଚିନ ପାଇଲଟଙ୍କୁ କଂଗ୍ରେସ ହାଇକମାଣ୍ଡ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରନ୍ତୁ ବୋଲି କହିଛନ୍ତି। ତେବେ ହାଇକମାଣ୍ଡ ଏଯାଏ ଏହା ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଯଦି ସଚିନ ପାଇଲଟଙ୍କୁ ଦାବି ଅନୁସାରେ ମୁଖ୍ୟମନ୍ତ୍ରୀ କରା ନ ଯାଏ, ତା’ହେଲେ ସେ ଅନ୍ୟ ବିକଳ୍ପ ଦେଖିବାର ମଧ୍ୟ ଆଶଙ୍କା ରହିଛି।
କାରଣ ଠିକ୍‌ ଦୁଇ ବର୍ଷ ତଳେ ୧୮ ଜଣ ବିଧାୟକଙ୍କୁ ନେଇ ସଚିନ ପାଇଲଟ ରାଜସ୍ଥାନ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଗାଦି ଚାଲିଯିବା ଭୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବାକି ୧୦୦ ଜଣ ବିଧାୟକଙ୍କୁ ଗୋଟିଏ ରସର୍ଟରେ ରଖିଥିଲେ। ବେଶ କିଛି ଦିନର ଛକାପଞ୍ଝା ଓ ଗାନ୍ଧି ପରିବାରର ହସ୍ତକ୍ଷେପ ପରେ ସଚିନ ପାଇଲଟ ଶାନ୍ତ ପଡ଼ିଥିଲେ। ହେଲେ ଏବେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁଛନ୍ତି।
ସଚିନଙ୍କୁ ବୁଝାଇବା ପାଇଁ ତାଙ୍କୁ ଅଲ ଇଣ୍ଡିଆ କଂଗ୍ରେସର ସାଧାରଣ ସମ୍ପାଦକ ପଦବୀ ଯଚା ଯାଇଥିଲା। ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବେ ସାଧାରଣ ସମ୍ପାଦକ ଅଛନ୍ତି। ତାଙ୍କ ସହ ସଚିନଙ୍କୁ ମଧ୍ୟ ଜାତୀୟ ସ୍ତରରେ ରାଜନୀତି କରିବାକୁ କଂଗ୍ରେସ ପ୍ରସ୍ତାବ ଦେଇଥିଲା। ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ରାଜସ୍ଥାନ ଓ ସେଠାରେ ରହୁଥିବା ସମର୍ଥକଙ୍କୁ ଛାଡ଼ି ସେ କୁଆଡ଼େ ଯିବାକୁ ଚାହୁଁ ନଥିବା ହାଇକମାଣ୍ଡଙ୍କ ଆଗରେ ସ୍ପଷ୍ଟ କରିଛନ୍ତି।
ଏବେ ହାଇକମାଣ୍ଡ କଂଗ୍ରେସର ବିଧାୟକ ଓ ସ୍ଥାନୀୟ ଲୋକଙ୍କ ମତାମତକୁ ଅପେକ୍ଷା କରିଛନ୍ତି। ସେମାନଙ୍କ ମତାମତ ଅନୁସାରେ ହିଁ ସଚିନ ପାଇଲଟଙ୍କ ଭାଗ୍ୟ ନିର୍ଦ୍ଦାରଣ କରାଯିବ। ମେ’ ୧୩ରୁ ୧୫ ତାରିଖ ଯାଏ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ହେବ। ଏହାପରେ ହିଁ ସଚିନଙ୍କୁ ନେଇ କଂଗ୍ରେସର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରାଯିବ।

nis-ad
Leave A Reply

Your email address will not be published.